ଫୁଲବାଣୀ,୧୪/୧୧(ଡ଼ି.ଏଚ,ବ୍ୟୁରୋ): ସରକାର ଜନସାଧାରଣଙ୍କ ପାଇଁ ଯୋଜନା ପରେ ଯୋଜନା କରି କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ତାହାର ସୁଫଳ ସ୍ଥଳରେ ସାଧାରଣ ହିତାଧିକାରୀ ଏହାର ଫାଇଦା ନେଇ ପାରୁନାହାନ୍ତି। ଏଭଳି ଏକ ଅଭିଯୋଗ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକରୁ। ସରକାରଙ୍କ ମମତା ଯୋଜନା ଦାରିଙ୍ଗବାଡ଼ି ବ୍ଲକରେ ମମତାହୀନ ହୋଇଥିବା ଅଭିଯୋଗ ହୋଇଛି। ମାସେ ନୁହେଁ କି ଦୁଇ ମାସ ନୁହେଁ ପ୍ରସବର ଦୀର୍ଘ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମମତା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହୋଇନି।
ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ପଞ୍ଚାୟତର ଦୁର୍ଗମ ଜାଗାଡ଼ି ଗ୍ରାମର ଏକାଧିକ ପ୍ରସୂତୀ ସରକାରଙ୍କ ମମତା ଯୋଜନାରୁ ଟଙ୍କାଟିଏ ବି ପାଇନଥିବା ଅଭିଯୋଗ କରିଛନ୍ତି। ଗ୍ରାମର ରୀତାଞ୍ଜଳି ପ୍ରଧାନଙ୍କର ଗୋଟିଏ ପୁଅକୁ ୪ବର୍ଷ ବୟସ ହୋଇଥିବା ବେଳେ ସାନ ପୁଅକୁ ବେର୍ଷ ୭ମାସ , ସୁକୁମାରି ଗଗେରଙ୍ଗାଙ୍କ ପୁଅକୁ ୨ବର୍ଷ , ସୁନିତା ପ୍ରଧାନଙ୍କ ପୁଅକୁ ୪ବର୍ଷ , ରିମନ୍ତି ପ୍ରଧାନଙ୍କ ଝିଅକୁ ୩ବର୍ଷ, ହାନା ଦିଗାଳଙ୍କ ପୁଅକୁ ବେର୍ଷ ୭ମାସ, ସୁଲତା ପ୍ରଧାନଙ୍କ ଝିଅକୁ ୭ମାସ ଏବଂ ଇନଜିନି ପ୍ରଧାନଙ୍କ ପୁଅକୁ ୨ମାସ ହୋଇଛି। ଆଜି ପର୍ଯ୍ୟନ୍ତ ମମତା ଯୋଜନା ଟଙ୍କା ଏହିସବୁ ପ୍ରସୂତିଙ୍କ ପାଇଁ ସ୍ୱପ୍ନ ପାଲଟିଛି। କେବଳ ସେତିକି ନୁେହଁ ଡାକ୍ତରଖାନାରେ ପ୍ରସବ କରିବା ପରେ ସରକାରଙ୍କ ନିୟମ ଅନୁସାରେ ୧୪ଶହ ଟଙ୍କା ଦେବାର ବ୍ୟବସ୍ଥା ଥିବା ସତ୍ୱେ ତାହା ମଧ୍ୟ ପ୍ରସୂତିଙ୍କୁ ଦିଆଯାଇନାହିଁ ।

















