ସାନଖେମୁଣ୍ଡି,୧୩/୧୧(ସପନ ଦାସ ) :ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଗଞ୍ଜେଇ ଚୋରାଚାଲାଣକୁ ଧରିବାରେ ସଫଳ ହୋଇପାରିଥିବା ଜଣାପଡିଛି । ବିଳମ୍ବିତ ରାତିରେ ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ତଥା ସାନଖେମୁଣ୍ଡି ବ୍ଲକ ଦଶେଇପୁର ଗ୍ରାମ ଛକ ମୁଖ୍ୟରାସ୍ତାରେ ୧୦୪ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ବୋଝେଇ କାରକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ନାବାଳକ ସମେତ ଜଣେ ଯୁବକକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଯୁବକ ହେଲେ ଗଜପତି ଜିଲ୍ଲା ଅଡ଼ବା ଥାନା ଖ୍ରୀଷ୍ଟିଆନ ସାହିର ଜୋସେଫ ବୀର ବୋଲି ଜଣାପଡିଛି । ଖବରପ୍ରକାରେ , ଶୁକ୍ରବାର ବିଳମ୍ବିତ ରାତିରେ ପାଟପୁର ପୋଲିସ ପକ୍ଷରୁ ପୋଡ଼ାମାରି ଅଞ୍ଚଳରେ ରାତିରେ ପେଟ୍ରୋଲିଂ ସାରି ଥାନାକୁ ଫେରୁଥିବା ବେଳେ ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା କାର ( ଓ ଆର୍ ୦୭ ଏମ୍ – ୨୦୩୭)ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବରପାଇ ପାଟପୁର ପୋଲିସ ଗାଡିରେ ପିଛାକରି ଦଶେଇପୁର ଗ୍ରାମ ମୁଖ୍ୟ ରାସ୍ତାରେ ଅଟକାଇ ଛାନଭିନ୍ କରିଥିଲା । ସାନଖେମୁଣ୍ଡି ତହସିଲଦାର ତଥା ଏକଜୁକେଟିଭ୍ ମାଜିଷ୍ଟ୍ରେଟ ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଉକ୍ତ ଗାଡ଼ିରେ ୪ଟି ଜରି ବସ୍ତାରେ ରହିଥିବା ଗଞ୍ଜେଇର ଓଜନ କରାଯାଇଥିଲା । ତେବେ ସେଥିରେ ୧୦୪ କେଜି ୨୦୦ ଶହ ଗ୍ରାମ ଓଜନର ଗଞ୍ଜେଇ ରହିଥିଲା । ଏନେଇ ପାଟପୁର ଥାନା ମାମଲା ( ନଂ. ୨୭୬/୨୦) ଦଫା – ଏନ୍ ଡି ପି ଏସ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

















