କୁକୁଡାଖଣ୍ଡି , ୭/୧୧(ଇ.ରଞ୍ଜନ) :ଆଙ୍କୁଶପୁର ଗ୍ରାମର କେନାଲ ପାଖରେ ଥିବା ଏକ କଲଭର୍ଟ ନିକଟରେ ଭାରସାମ୍ୟ ହରାଇ ଏକ ବାଲି ବୋଝେଇ ଟ୍ରାକ୍ଟର ନମ୍ବର OD 07 H 3744 , ଦୁର୍ଘଟଣା ଗ୍ରସ୍ତ ହୋଇଯାଇଅଛି । ପୁରୁଷୋତ୍ତମପୁର ନିକଟସ୍ଥ କେଶପୁରର ଏକ ଟ୍ରାକ୍ଟର ବାଲି ନେଇ ଯାଉଥିଲା ବନ୍ଥପଲି। ତେବେ ଆଙ୍କୁଶପୁର କେନାଲ ନିକଟରେ ଥିବା କଲଭର୍ଟ ପାଖରେ ତାହା ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ଡ୍ରାଇଭର କାଳୁ ଦାସ ଟ୍ରାକ୍ଟର ତଳେ ପଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ ସହଯୋଗୀ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଏ ଘଟଣା ବିଷୟରେ ସଦର ଥାନା ପୋଲିସକୁ ଅବଗତ କରେଇଥିବା ବେଳେ ଆଙ୍କୁଶପୁର ଗ୍ରାମର କିଛି ଯୁବକ ସଞ୍ଜୟ ସାହୁ, ଜି .ସେଲପତି ରାଓ, ମୁରଲୀ ସେଠି, ବଳିଆ ସାହୁ, ଭଗବାନ ସାହୁ ପ୍ରମୁଖ ପୋଲିସକୁ ଏବଂ ଅଗ୍ନିଶମ ଦଳକୁ ଖବର କରିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏବଂ ସଦର ଥାନାର ଅତିରିକ୍ତ ଥାନାଧିକାରୀ ବିଶ୍ୱନାଥ ଜାଲି ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ପହଁଞ୍ଚି ମୃତ ଶରୀରକୁ ଉଦ୍ଧାର ପରେ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟରକୁ ଥାନା ପକ୍ଷରୁ ଜବତ କରି କେସ ନଂ 341/20 ରୁଜୁ କରିଥିବା ଥାନା ଅଧିକାରୀଣି ସନ୍ତୋଷୀନି ଓରାମ ସୂଚନା ଦେଇଛନ୍ତି ।

















