ବ୍ରହ୍ମପୁର,୩୧/୧୦(ସୁଦାମ ମହାରଣା) :ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ କୋଟି କୋଟି ଟଙ୍କାର ଆଇପିଏଲ ବେଟିଂ ଚାଲିଥିବା ବେଳେ ଏହାର ଚେର ଅନ୍ୟ ରାଜ୍ୟ କୁ ଲମ୍ବିଛି। ଏହି ବେଆଇନ୍ କାରନାମାକୁ ରୋକିବା ପାଇଁ ବ୍ରହ୍ମପୁର ଏସପିଙ୍କ ପ୍ରତ୍ଯେକ୍ଷ ତତ୍ବାବଧାନରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଆଇପିଏଲ ବେଟିଂର କିଙ୍ଗପିନ୍ ଆର.ଲାଲୀ ଆଚାରୀ(୫୦) ଓ ତାର ସହଯୋଗୀ କେ.ପ୍ରଶାନ୍ତ କୁମାର ସୁବୁଦ୍ଧି(୪୩)ଙ୍କୁ ଗିରଫ କରାଯାଇଛି।ସୂଚନା ଅନୁସାରେ, ବେଟିଂର କିଙ୍ଗପିନ୍ ଗଣେଶ ନଗର ତୃତୀୟ ଗଳିର ଆର.ଲାଲୀ ଆଚାରୀ ଓ ଗାନ୍ଧୀ ନଗର ସାଇ କମ୍ପ୍ଲେକ୍ସର କେ.ପ୍ରଶାନ୍ତ କୁମାର ସୁବୁଦ୍ଧିଙ୍କ ଠାରୁ ନଗଦ ୩୩ଲକ୍ଷ ୬୧ହଜାର ୨ଶହ ଟଙ୍କା,୪ଟି ମୋବାଇଲ୍ ଫୋନ୍ ଓ ୩ଟି ଏଟିଏମ୍ କାର୍ଡ ଜବତ କରିଛି। ଗୋସାଇଁନୂଆଗାଁ ପୁଲିସ ଥାନା କେଶ୍ ନଂ ୧୪୧/୨୦୨୦ ରେ ମାମଲା ରୁଜୁ ହୋଇଥିବା ନେଇ ଆଜି ଏସପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ସତ୍ୟବ୍ରତ ଭୋଇ ଓ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।


















