Thursday, September 24, 2026
ADVERTISEMENT
Home ଆଞ୍ଚଳିକ ନେତା-ମନ୍ତ୍ରୀଙ୍କ ପ୍ରତିଶୃତି ପାଣିରେ ଗାର

ନେତା-ମନ୍ତ୍ରୀଙ୍କ ପ୍ରତିଶୃତି ପାଣିରେ ଗାର

1002
ADVERTISEMENT

ମୋହନ,୧୯/୧୦(ମୋହନ ଗୌଡ଼ ): ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଳକ ମୋହନା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ରାତି ପାହିଲେ ଶହଶହ ଅଞ୍ଚଳବାସୀ ସରକାରୀ ଓ ବେସରକାରୀ କାର୍ଯ୍ୟ ନେଇ ଏଠାକୁ ଆସିଥାନ୍ତି । ହେଲେ ସହରରେ ରହୁଥିବା ଲୋକ ଓ ବିଭିନ୍ନ ପଞ୍ଚାୟତରୁ ଆସୁଥିବା ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ନିର୍ବାଚନ ପାଖେଇ ଆସିଲେ ନେତା ମନ୍ତ୍ରୀମାନେ ମାଳମାଳ ହୋଇ ଭୋଟ ଭିକ୍ଷା ପାଇଁ ଆସି ଧୂଆଁ ବାଣ ଛାଡ଼ି ଚାଲିଯାଅନ୍ତି । ନିର୍ବାଚନ ସରିଗଲେ ସେମାନଙ୍କର ପ୍ରତିଶ୍ରୁତି ପାଣିରେ ଗାର ଭଳି କେଉଁ ଆଡ଼େ ମିଳାଇଯାଏ । ଏଣୁ ମୋହନାରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଏମକେସିଜି ଯୁବକ ସଂଘର କର୍ମକର୍ତାମାନେ ସଂଘର କାର୍ଯ୍ୟାଳୟରେ ଆହୁତ କରିଥିଲେ ସାମ୍ବାଦିକ ସମ୍ମିଳନୀ । ମୋହନା ବାସୀଙ୍କ ରହିଥିବା ୧୫ଟି ଦାବିର ତୁରନ୍ତ ସମାଧାନ ନ ହେଲେ ସେମାନେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ମୋହନା ସହରରେ ପ୍ରବେଶ କରାଇ ନ ଦେବା , ସରକାରୀ କାର୍ଯ୍ୟାଳୟରେ ତାଲା ଝୁଲାଇବା ଓ ରାଜରାସ୍ତା ଅବରୋଧ କରିବେ ବୋଲି ଦୃଢ ଶପଥ ନେଇଥିବା କହିଛନ୍ତି। ସଂଘ ପକ୍ଷରୁ ଉପସ୍ଥାପନା କରାଯାଇଥିବା ଦାବି ଗୁଡ଼ିକ ମଧ୍ୟରୁ ମୋହନା ମୁଖ୍ୟ ସଡକର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରିବା ଓ ସାହିମାନଙ୍କରେ ରହିଥିବା ଡ୍ରେନର ପୁନଃଉଦ୍ଧାର କରିବା, ୨୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ସାହି ରାସ୍ତାଗୁଡ଼ିକୁ କଂକ୍ରିଟ କରିବା, ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଠପଢାର ଉନ୍ନତି ପାଇଁ ଏକ ହାଇସ୍କୁଲ ସ୍ଥାପନ, ବୁଲା ଗାଇଗୋରୁଙ୍କ ପାଇଁ କାଞ୍ଜିଆ ହୁଦା ନିର୍ମାଣ,ସହରର ଦୁଇ ପାର୍ଶ୍ଵରେ ୨ଟି ନଦୀ ପ୍ରବାହିତ ହେଉଥିବାରୁ ସହରବାସୀଙ୍କୁ ବିପଦରୁ ଉଦ୍ଧାର ପାଇଁ ପଥରବନ୍ଧ ନିର୍ମାଣ, ପ୍ରତ୍ୟେକ ସାହିରେ ବିଜୁଳିବତୀର ସୁବ୍ୟବସ୍ଥା,ବେଆଇନ ବାଲି, ପଥର ମାଟି ଚୋରା ଚାଲାଣକୁ ବନ୍ଦ କରିବା,ବସଷ୍ଟାଣ୍ଡ ନିର୍ମାଣ, ମିନି ଷ୍ଟାଡ଼ିୟମ ନିର୍ମାଣ,ଶ୍ମଶାନ ଘIଟ ନିର୍ମାଣ, ଫୁଜ କଲ ସେଣ୍ଟାର ସ୍ଥାପନ, ବ୍ୟବସାୟୀମାନଙ୍କ ପାଇଁ ମାର୍କେଟ କମ୍ପେକ୍ସ, ଶୌରାଳୟ ନିର୍ମାଣ , ହିଲଟପ ମହାବିଦ୍ୟାଳୟ ପାର୍ଶ୍ଵରେ ୫ ବର୍ଷ ପୂର୍ବେ ନିର୍ମିତ ହୋଇଥିବା ୧ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କିର ରକ୍ଷଣାବେକ୍ଷଣ ଓ ପୁନଃରୁଦ୍ଧାର ଏବଂ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୦୦ ଶର୍ଯ୍ୟା ବିଶିଷ୍ଟ କରି ବରିଷ୍ଠ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ଆଦି ଦାବୀ ସାମ୍ବାଦିକ ସମ୍ମିଳନୀରେ କହିବା ସହିତ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଯୁବକ ସଂଘର ସଭାପତି ଅଜିତ କୁମାର ପାତ୍ର, ଉପସଭାପତି ଜିନୁ ପାତ୍ର, ସଂପାଦକ ଜିତେନ୍ଦ୍ର କୁମାର ବେହେରା, କୋଷାଧ୍ୟକ୍ଷ ରବିନ୍ଦ୍ର ପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Advertisement