Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନା ସାଙ୍ଗକୁ ମହଙ୍ଗା ମାଡ଼;ଚିନ୍ତାରେ ଖାଉଟି

କରୋନା ସାଙ୍ଗକୁ ମହଙ୍ଗା ମାଡ଼;ଚିନ୍ତାରେ ଖାଉଟି

197
ADVERTISEMENT

ହିଞ୍ଜିଳିକାଟୁ,୧୬/୧୦(ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଜନସାଧାରଣଙ୍କ ଆର୍ଥୀକ ଅବସ୍ଥା ସମ୍ପୁର୍ଣ୍ଣ ବିଗିଡ଼ି ଯାଇଛି । ଲୋକେ ଅଂଟା ସଳଖିବାକୁ ଆରମ୍ଭ କରିବା ବେଳକୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ହୋଇଥିବାରୁ କରୋନା ସମୟରେ ମହଙ୍ଗା ମାଡ଼ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି । ଆଳୁ, ପିଆଜ, ପନିପରିବା ସାଙ୍ଗକୁ ରାସନ ସାମଗ୍ରୀର ଦର ବୃଦ୍ଧି ହୋଇଥିବାରୁ ଗରିବ, ମଧ୍ୟବିତ ଶ୍ରେଣୀର ପରିବାର ଚଳିବେ କିପରି ସେ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । କରୋନା ସଂକ୍ରମଣକୁ ପ୍ରତିହିତ କରିବା ଲକ୍ଷ୍ୟରେ ଦୀର୍ଘ ୬ମାସ ଧରି ଲକଡ଼ାଉନ, ସଟଡ଼ାଉନ କରାଯାଇଥିବାରୁ ଲୋକେ ନିଜ ନିଜର ଜୀବିକା ହରାଇ ବସିଥିଲେ । ଔଷଧ, ପନିପରିବା ଓ ରାସନ ଦୋକାନୀକୁ ବାଦ ଦେଲେ ସ୍ଥାନୀୟ ଅଂଚଳର ହୋଟେଲ କର୍ମଚାରୀ, ଫାଷ୍ଟଫୁଡ଼ ଦୋକାନ ମାଲିକ ଓ କର୍ମଚାରୀ, ଗାଡ଼ି ଚାଳକ, ପାନ ଓ ଚାହା ଦୋକାନି ସମେତ ପ୍ରାୟତଃ ସମସ୍ତ ବ୍ୟବସାୟୀଙ୍କ ଆର୍ଥୀକ ଅବସ୍ଥା ଦୋହଲି ଯାଇଥିଲା । ଅନଲକ-୫ କାର୍ଯ୍ୟକାରୀ କରାଯିବା ପରେ ବର୍ତମାନ କିଛି ଦିନ ହେବ ଲୋକେ ରୋଜଗାର ଆରମ୍ଭ କରିଛନ୍ତି । କରୋନା ମହାମାରୀ ସମୟରେ ଦୀର୍ଘ ୬ମାସ ଧରି ଜୀବିକା ହରାଇଥିବାରୁ ସଂଚିତ ଅର୍ଥକୁ ଶେଷ କରିବା ପରେ ଧାର କରଜ କରି ପରିବାର ପ୍ରତିପୋଷଣ କରିଥିଲେ । ବର୍ତମାନ ସମୟରେ ରୋଜଗାର ଆରମ୍ଭ କରିବା ବେଳକୁ ଆଳୁ, ପିଆଜ, ପନିପରିବା ସାଙ୍ଗକୁ ରାସନ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କରୋନା ସମୟରେ ବଜାର ଦର ଯାହା ଥିଲା ବର୍ତମାନ ସମୟରେ ବଜାର ଦର ଆକାଶଛୁଆଁ ରହିଛି । ପ୍ରତିଦିନ ଆବଶ୍ୟକ ହେଉଥିବା ଡ଼ାଲି, ତେଲ, ଆଳୁ, ପିଆଜ ଓ ପନିପରିବାର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଖାଇବା ତେଲ ଲିଟର ପିଛା ୧୧୮ ଟଙ୍କା ରହିଥିବା ବେଳେ ହରଡ଼ ଡ଼ାଲି କିଲୋ ପ୍ରତି ୯୬ଟଙ୍କା ରହିଛି । କିଛି ଦିନ ପୂର୍ବରୁ ହରଡ଼ ଡ଼ାଲି କିଲୋ ପିଛା ୧୧୫ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିଲା । ଡ଼ାଲି ଦର ସାମାନ୍ୟ ହ୍ରାସ ପରେ ଗରିବ ଶ୍ରେଣୀର ଲୋକେ କିଛିଟା ଆଶ୍ୱସ୍ତ ଅନୁଭବ କରିଛନ୍ତି । ହେଲେ ଆଳୁ କିଲୋ ୩୫ ଟଙ୍କା ରହିଥିବା ବେଳେ ପିଆଜ ଦର ୪୬ରୁ ୫୦ ଟଙ୍କା ରହିଛି । ପନିପରିବା ଦର ନକହିଲେ ଭଲ ହେବ । ସମସ୍ତ ପ୍ରକାରର ପନିପରିବାର ଦର ୪୦ଟଙ୍କାରୁ ଉର୍ଦ୍ଧ୍ୱ ରହିଛି । କେନ୍ଦ୍ର ସରକାର ଆଳୁ, ପିଆଜ ଉପରୁ ଅତ୍ୟାବଶ୍ୟକ ସାମଗ୍ରୀର ମାନ୍ୟତା ହଟାଇବା ପରେ ସ୍ଥାନୀୟ ପ୍ରଶାସନ ଆଉ ଦରକୁ ନେଇ କୌଣସି ଅଙ୍କୁଶ ଲଗାଇ ପାରୁନଥିବା ଜଣାପଡ଼ୁଛି ଯାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡୁଛି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳରୁ ପ୍ରଚୁର ପରିମାଣରେ ପନିପରିବା ଅମଳ କରାଯାଇ ଗଞ୍ଜାମ ଜିଲ୍ଲା ସମେତ ନିକଟସ୍ଥ ଜିଲ୍ଲାକୁ ରପ୍ତାନି କରାଯାଉଥିବା ବେଳେ ବର୍ତମାନ ପୂର୍ବଭଳି ଅମଳ କରାଯାଉନାହିଁ । ଯାହା ବି ଅମଳ କରାଯାଉଥିଲା ଗତ କିଛି ଦିନ ଧରି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ ପ୍ରଭାବରୁ ଗତ ୪ ଦିନ ଧରି ଲଗାଣ ବର୍ଷା ହେବାରୁ ଫସଲ ଜମିରେ ପାଣି ଜମି ରହି ସମ୍ପୁଣ୍ଡ ନଷ୍ଟ ହୋଇଯାଇଛି । ଗୁରୁବାର ହିଞ୍ଜିଳିକାଟୁ ପରିବା ବଜାରରେ ପନିପରିବାର ଖୁଚୁରା ଦର ଛୋଟ କାଙ୍କଡ଼ ୧୦୦, କଟିକି ୬୦(ଦେଶୀ), ବାଇଗଣ ୫୦, ଭେଣ୍ଡି ୩୦, ଜହ୍ନି ୩୦, ଫୁଲକୋବି ୭୦, ବିନିସ୍ ୮୦, ଟମାଟ ୪୦, ବନ୍ଧାକୋବି ୪୦, ଅଲଡ଼ି ୪୦ଟଙ୍କାରେ ବିକ୍ରି ହେଉଥଇବା ଜଣାପଡ଼ିଛି । ବଜାରରେ ଦର ବୃଦ୍ଧି ଯୋଗୁଁ ଗରିବ ଓ ମଧ୍ୟବିତ୍ ଶ୍ରେଣୀର ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି । ମହାମାରୀ କରୋନା ସମୟରେ ଲୋକଙ୍କୁ ଯେତିକି ପରିମାଣରେ କଷ୍ଟ ହୋଇନଥିଲା ବର୍ତମାନ ସମୟରେ ଆଳୁ, ପିଆଜ, ପନିପରିବା ସାଙ୍ଗକୁ ରାସନ ସାମଗ୍ରୀର ଦର ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି ।

Advertisement