ବ୍ରହ୍ମପୁର,୧୪/୧୦,(ସୁଦାମ ମହାରଣା) :ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ କିଛି ଦିନ ର ନିରବତାପରେ ଲୁଟେରା ଗ୍ୟାଙ୍ଗ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି । ସ୍ଥାନୀୟ ସହର ଚାଙ୍ଗୁଡିପଦର ସାହିବାସିନ୍ଦା ଜଣେ ଗହଣା ବ୍ୟବସାୟୀଙ୍କ ଘରେ ବିଳମ୍ବିତ ରାତ୍ରରେ(ପ୍ରାୟ୨ଟାରେ)ଦୁର୍ବୃତ ମାନେ ଅଢେ଼ଇ କୋଟି ଟଙ୍କାରସୁନା ଅଳଙ୍କାର ଓ ଦେଢ ଲକ୍ଷ ଟଙ୍କା ରଦୁଇଟି ମୋବାଇଲ ଲୁଟି ନେଇଛନ୍ତି। ପୁରୁଷୋତ୍ତମପୁର ଥାନା ଡକାୟତି ହୋଇଥିବା ବ୍ୟବସାୟୀଙ୍କ ଘରର ଅତି ନିକଟରେ ହୋଇ ଥିଲେ ମଧ୍ୟ ଲୁଟେରା ମାନେ ତାଙ୍କ ଯୋଜନାକୁ ସଫଳ ରୂପାୟନ କରିଛନ୍ତି।
ଲୁଟେରା ମାନେ ପ୍ରମାଣ ନଷ୍ଟ କରିବା ଲାଗି ସିସି କ୍ୟାମେରା ଭାଙ୍ଗି ଦେବା ଓ ହାର୍ଡ ଡିସ୍କକୁ ନେଇଯାଇଛନ୍ତି । ବ୍ୟବସାୟୀ ସୁରେନ୍ଦ୍ର ନାୟକ ଓ ତାଙ୍କ ପୁତ୍ର ସାଇଶଙ୍କରଙ୍କ ସୂଚନା ଅନୁସାରେ, ବିଳମ୍ବିତ ରାତ୍ରରେ ପ୍ରାୟ୨ଟାରୁ୩ଟା ମଧ୍ୟରେ ଲୁଟେରା ମାନେ ପ୍ରଥମେ ଘରର ଛାତକୁ ସଂଯୋଗ କରୁଥିବା ଗ୍ରିଲକୁ କାଟି ପଶିଥିଲେ।ଏହା ପରେ ସିସି କ୍ୟାମେରାକୁ ଭାଙ୍ଗି ଦେଇଥିଲେ। ଦ୍ବିତୀୟ ମହଲାର ସମସ୍ତ ବେଡରୁମକୁ ବାହାରପଟୁ ବନ୍ଦ କରି ପ୍ରଥମ ମହଲାର ବେଡରୁମକୁ ଯାଇଥିଲେ। ଯେଉଁଠି ତାଙ୍କ ପୁତ୍ର ସାଇଶଙ୍କର ଶୋଇ ଥିଲେ ।ତାଙ୍କୁ କିଛି ରାସାୟନିକ ପଦାର୍ଥ ଶୁଙ୍ଘାଇ ଅଚେତ କରି କେବଳ ଗୋଟିଏ ଆଲାମିରା ଭାଙ୍ଗି ବିକ୍ରି ପାଇଁ ରଖାଯାଇଥିବା ୫କେଜି ୫୦୦ଗ୍ରାମ ସୁନା ଅଳଙ୍କାର ଓ ଦେଢ ଲକ୍ଷ ଟଙ୍କା ର ଦୁଇଟି ମୋବାଇଲ ନେଇଯାଇଥିଲେ ।ସୁରେନ୍ଦ୍ର ସ୍ଥାନୀୟ ଥାନାରେ ଲିଖିତ ଏତଲା ଦେଇଥିଲେ ।ଏତଲାକୁ ଭିତ୍ତି କରି ପୁରୁଷୋତ୍ତମପୁର ପୋଲିସ ଓ ଛତ୍ରପୁର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିଲେ । ଅତି ଶୀଘ୍ର ଆସାମି ଧରାପଡିବବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

















