ହିଞ୍ଜିଳିକାଟୁ୨୦/୦୯ : (ଶେଷଦେବ ସାହୁ) ; ବୈଶ୍ବିକ ମହାମାରୀ କରୋନା ଓଡିଶା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାର ଅସଲ ସ୍ୱରୂପ ଧାରଣ କରିଛି। ଗତ ପ୍ରାୟ ୬ ମାସ ଧରି ଗଞ୍ଜାମ ଜିଲ୍ଲାରେ ବିଭୀଷିକା ଖେଳାଇ ଆତଙ୍କ ସୃଷ୍ଟି କରିଥିବା ବେଳେ ସମ୍ପ୍ରତି ସଂକ୍ରମଣ ହାରରେ ଆଶାତୀତ ହ୍ରାସ ପାଇଛି। ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ଲକ ଅଞ୍ଚଳରେ ପ୍ରତିଟି ଗାଁ ରେ ଜିରୋ ଆକ୍ଟିଭ କେଶ ଲକ୍ଷ୍ୟ କରି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ କେତେବେଳେ କିଛି ଅସାବଧାନତା କାରଣରୁ କୋଭିଡ ମୁକାବିଲା କ୍ଷେତ୍ରରେ ନିୟୋଜିତ ଥିବା କର୍ମଚାରୀ ସଂକ୍ରମଣର ଶିକାର ହେଉଥିବା ସୂଚନା ମିଳିଛି। ଏହି କ୍ରମରେ ହିଞ୍ଜିଳି ବ୍ଲକ ସ୍ଥିତ କୃଷି ବିଭାଗରେ କାର୍ଯ୍ୟରତ ଅଧିକାରୀ ସଂକ୍ରମିତ ହେବା ଶନିବାର ଜଣାପଡିଛି। ଶେଷରେ କରୋନା କୃଷି ବିଭାଗ ଆଡକୁ ମୁହାଁଇବା ଘଟଣାରୁ ହିଞ୍ଜିଳିରେ କରୋନାର ସ୍ଥିତି ସକ୍ରିୟ ଥିବା ସ୍ପଷ୍ଟ ସଂକେତ ମିଳିଛି। ସ୍ଥାନୀୟ କୃଷି କାର୍ଯ୍ୟାଳୟରେ ଅବସ୍ଥାପିତ ହିଞ୍ଜିଳି ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥଙ୍କ ଗତ କିଛି ଦିନ ଧରି ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇଥିଲା। ପରେ ତାଙ୍କ କୋଭିଡ ପରୀକ୍ଷଣ ରିପୋର୍ଟରୁ କରୋନା ପଜିଟିଭ ଥିବା ଜଣାପଡି ଥିଲା। ଫଳରେ ଗତ ମଙ୍ଗଳବାର ଠାରୁ ସେ ଚିକିତ୍ସିତ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥି ସହିତ ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ ବେକେ ସେ ମଧ୍ୟ କୋଭିଡ ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଥିବା ସୂଚନା ମିଳିଛି।କୃଷି କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ କରୋନା ପ୍ରତି ସଚେତନ ରହି ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ଜଣାପଡିଛି।

















