ଭୁବନେଶ୍ବର,୩୧/୭ ଏଜେନସି: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ ଅର୍ଥାତ୍ ସ୍ୟାଟ୍ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଯିବ କି? ଏ ସମ୍ପର୍କରେ ରାଜ୍ୟ ସରକାର କୌଣସି ଦୃଷ୍ଟି ନଦେବା ଯୋଗୁ ଏହିଭଳି ଧାରଣା ସୃଷ୍ଟି ହୋଇଛି। ସ୍ୟାଟ୍ ପକ୍ଷରୁ ନା କୋର୍ଟ ବସୁଛି ନା ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଫଳରେ, ୫୮,୧୭୪ ମାମଲାର ଭବିଷ୍ୟତ ଏବେ ଅନ୍ଧାରରେ ରହିଛି । ଶହଶହ ଆବେଦନକାରୀ ବି ଘୋର୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଗକୁ ରାଜ୍ୟର ତଳିଆ କର୍ମଚାରୀ ଏବଂ ବେକାର ଯୁବକ,ଯୁବତୀମାନେ ନାହିଁ ନଥିବା ହଇରାଣ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଚାରପତି ନିଯୁକ୍ତି ପାଇଁ ପଦକ୍ଷେପ ନେବା ସହିତ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
୧୯୮୬ ମସିହାରେ କେନ୍ଦ୍ରୀୟ ଆଇନ୍ ବଳରେ ଓଡ଼ିଶାରେ ସ୍ୟାଟ୍ ଗଠିତ ହୋଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା, ସରକାରୀ କର୍ମଚାରୀଙ୍କ ଅଭିଯୋଗ ଓ ଆପତ୍ତିର ଯଥାଶୀଘ୍ର ବିଚାର କରି ନ୍ୟାୟ ପ୍ରଦାନ କରିବା। ଏହା ଭିତରେ ତେତିଶ ବର୍ଷ ଅତିକ୍ରମ ହୋଇସାରିଛି । ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ସ୍ୟାଟ୍ରେ ଫଇସଲା ହୋଇ ଅନେକ ଐତିହାସିକ ରାୟ ପ୍ରକାଶ ପାଇଛି । ଏହା ଯୋଗୁଁ ଅନେକ ସରକାରୀ କର୍ମଚାରୀ ମୁଖ୍ୟତଃ ତଳିଆ କର୍ମଚାରୀ ଏବଂ ଅନେକ ବେକାର ଯୁବକ ଓ ଯୁବତୀ ସୁଫଳ ପାଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ସ୍ୟାଟ୍ର ଅଧିକାଂଶ ଆଦେଶ ଉଚ୍ଚ ନ୍ୟାୟାଳୟ ଓ ଉଚ୍ଚତମ ନ୍ୟାୟାଳୟରେ କାଏମ୍ ରହି ଆସୁଅଛି । ଗତ ୪ ବର୍ଷ ତଳେ ଅର୍ଥାତ୍ ୨୦୧୫ ମସିହା ସେପ୍ଟେମ୍ବର ମାସରେ ସ୍ୟାଟ୍ ଉଚ୍ଛେଦ ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଗୃହୀତ ହୋଇ କେନ୍ଦ୍ରୀୟ ଅନୁମୋଦନ ନିମନ୍ତେ ପଠାଯାଇଥିଲା । ସେତେବେଳେ ଉଚ୍ଚତମ ନ୍ୟାୟାଳୟ ଏଲ୍.ଚନ୍ଦ୍ରକୁମାର ମାମଲାରେ ଦେଇଥିବା ଆଦେଶକୁ ଉଲ୍ଲେଖ କରାଯାଇଥିଲା। ଆହୁରି ସ୍ୟାଟ୍ର ମିଶ୍ରଣ ଉଚ୍ଚ ନ୍ୟାୟାଳୟ ସହିତ କରାଯିବ ବୋଲି ଗଣମାଧ୍ୟମକୁ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଥିଲା। ଯେହେତୁ ଉଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମୋଦନରେ ଏହି ପ୍ରସ୍ତାବ ପଠାଯାଇଥିଲା, କେନ୍ଦ୍ର ସରକାର କେତେକ ସ୍ପଷ୍ଟୀକରଣ ଚାହିଁଲେ। ଏଲ୍. ଚନ୍ଦ୍ରକୁମାର ମାମଲାରେ ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ଭିତରେ ଉଚ୍ଚ ନ୍ୟାୟାଳୟଙ୍କ ନ୍ୟାୟ ପ୍ରଦାନରେ ବିଧି ସଙ୍ଗତ କ୍ଷମତା ଓ କ୍ଷେତ୍ରାକାର ବିଷୟରେ ଉଲ୍ଲେଖ କରିଥିଲେ। ଏଥିରେ ସ୍ୟାଟ୍ ତଥା ଅନ୍ୟ କୌଣସି ଅଦାଲତର ଉଚ୍ଛେଦ କଥା ବ୍ୟାଖ୍ୟା କରାଯାଇନାହିଁ। ଏଣୁ ରାଜ୍ୟ ସରକାର ଏଲ୍ ଚନ୍ଦ୍ରକୁମାର ମାମଲାରେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ରାୟକୁ ଭିତ୍ତି କରି ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ନେବା, ସେତେବେଳେ ତଥ୍ୟାଭିଜ୍ଞ ମହଲରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଆଇନଜୀବୀମାନେ ଏହାକୁ ଆଇନର ଭୁଲ୍ ବିଶ୍ଳେଷଣ ବୋଲି ସମାଲୋଚନା କରିଥିଲେ।ମାତ୍ର, ଏହାଭିତରେ ଉଚ୍ଚ ନ୍ୟାୟାଳୟ, ରାଜ୍ୟ ସରକାରଙ୍କ ସ୍ୟାଟ୍ ଉଚ୍ଛେଦ ପ୍ରସ୍ତାବକୁ ପ୍ରଶାସନିକ ଅନୁମୋଦନ ଦେଇସାରିଥିବାବେଳେ, କେନ୍ଦ୍ର ସରକାର ମଧ୍ୟ ଆପାତତଃ ଅନୁମୋଦନ ପ୍ରଦାନ କରିସାରିଛନ୍ତି। କେବଳ ସ୍ୟାଟରେ ବିଚାରାଧୀନ ମକଦ୍ଦମା ଗୁଡିକ କେଉଁଠି ବିଚାର ହେବ, ତାହା ସ୍ଥିର ହୋଇନାହିଁ। ସଂସଦର ଅନୁମୋଦନ କ୍ରମେ ଏହା ଉଚ୍ଛେଦ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।