ଭୁବନେଶ୍ବର ,୩୦/୭ ଏଜେନସି : ଓଡ଼ିଶା ଉପରେ ଲଘୁଚାପ ପ୍ରଭାବ ଜାରି ରହିଛି । ଏଥିସହ ମୌସୁମୀ ବି ସକ୍ରିୟ ରହିଛି। ପ୍ରଭାବରେ ଅଗଷ୍ଟ ୫ ଯାଏଁ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ। ସମସ୍ତ ଜିଲ୍ଲାରେ ବର୍ଷା ହେବ। ତେବେ ୩୦ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ରେଡ୍-ଆଲର୍ଟ ଜାରି କରାଯାଇଛି। ଏହି ସମୟ ମଧ୍ୟରେ କଳାହାଣ୍ଡି, ନୂଆପଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ବି ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ବୌଦ୍ଧ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ବି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ତାହାକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ଆଲର୍ଟ ଜାରି କରାଯାଇଛି । ୩୦ ତାରିଖ ପରେ ବି ବର୍ଷା ଲାଗି ରହିବ,କୁହାଯାଇଛି ଯେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ। ୩୧ ରାତି କିମ୍ବା ଅଗଷ୍ଟ ୧ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହେବ। ତେଣୁ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଜାରି ରହିବ। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ମୌସୁମୀ ଅଧିକ ସକ୍ରିୟ ହେବ। ତେଣୁ ସମୁଦ୍ର ଅଶାନ୍ତ ରହିବ। ପବନ ବି ହୋଇପାରେ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ।ପାଣିପାଗ ବିଶେଷଜ୍ଞ ପ୍ରଫେସର୍ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତ ଯେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଓଡ଼ିଶା ଉପରେ ରହିବ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୩୦ ଓ ୩୧ରେ ଉପକୂଳ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଅଗଷ୍ଟ ୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ଉତ୍ତର ଉପକୂଳବର୍ତୀ ଅଞ୍ଚଳରେ ୨ରୁ ୪ ତାରିଖ ଯାଏଁ ବର୍ଷା ହେବ। ୪ ଓ ୫ତାରିଖରେ ପଶ୍ଚିମ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଏହି ଲଘୁଚାପ ମଧ୍ୟ ଅଧିକ ଘନୀଭୂତ ହେବନି। ଫଳରେ ରାଜ୍ୟର ଦକ୍ଷିଣ ଓଡ଼ିଶାରେ ସ୍ପଳ୍ପରୁ ମଧ୍ୟମଧରଣ, ଉପକୂଳ ଓ ଉତ୍ତର ଓଡ଼ିଶାରେ ମଧ୍ୟମଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ ଅଧିକ ବର୍ଷା ହୋଇପାରେ । ଅନ୍ୟପକ୍ଷରେ ଗତ ୩୬ ଘଣ୍ଟା ମଧ୍ୟରେ ପୁରୀରେ ୧୬୦.୨ ମିମି ବର୍ଷା ହୋଇଛି। କୋରାପୁଟରେ ୧୩୩, ମାଲକାନଗିରିରେ ୧୦୭.୬, ସୋନପୁରରେ ୭୮.୨, ବାଲେଶ୍ବରରେ ୫୯.୫, କେନ୍ଦୁଝରରେ ୫୪.୬, ହୀରାକୁଦରେ ୫୪.୨, ପାରାଦୀପରେ ୪୬.୬, ଦାରିଙ୍ଗବାଡ଼ିରେ ୪୧ ମିମି ବର୍ଷା ରେକର୍ଡ କରାଯାଇଛି । କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି।