କେନ୍ଦୁଝର ,୩୦/୭ ଏଜେନସି : ପ୍ୟାରିସ୍ ସାଇକେଲ ରେସ୍ରେ ଭାଗନେବେ କେନ୍ଦୁଝର ପୁଅ ତୁଷାରକାନ୍ତି ରାଉତରାୟ । ପ୍ରାୟ ୧୨ ଶହ କିଲୋମିଟରର ଏହି ସାଇକେଲ ରେସ୍ରେ ଏକମାତ୍ର ଓଡ଼ିଆ ଭାବେ ସେ ଅଂଶଗ୍ରହଣ କରିବେ । ପ୍ୟାରିସରେ ପ୍ରତି ଚାରିବର୍ଷରେ ଥରେ ପ୍ୟାରିସ- ବ୍ରେଷ୍ଟ-ପ୍ୟାରିସ୍ ରେସ୍ ବା ପିବିପି ରେସ୍ ନାମରେ ଏହି ସାଇକେଲ ରେସ୍ର ଆୟୋଜନ କରାଯାଇଥାଏ। ମାତ୍ର ୯୦ ଘଣ୍ଟା ସମୟ ମଧ୍ୟରେ ୧୨ ଶହ କିଲୋମିଟରର ରେସ୍ ସଂପୂର୍ଣ୍ଣ ହୋଇଥାଏ । ଏହି ୧୨ଶହ କିମି ମଧ୍ୟରୁ ୧୨ କିମି ସଂପୂର୍ଣ୍ଣ ପାହାଡ଼ିଆ ଥାଏ, ଯାହାକି ସବୁଠାରୁ କଷ୍ଟକର ପର୍ଯ୍ୟାୟ । ସେହିପରି ପ୍ୟାରିସ୍ରୁ ବ୍ରେଷ୍ଟ ମଧ୍ୟରେ ତାପମାତ୍ରା ୪ ଡିଗ୍ରିରୁ ଆରମ୍ଭ କରି ୪୦ ଡିଗ୍ରି ପର୍ଯ୍ୟନ୍ତ ରହୁଥିବାରୁ ପ୍ରତିଯୋଗୀଙ୍କ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ସବୁଠୁ ବଡ଼ କଥା ହେଉଛି ଏହି ରେସ୍ରେ ଯୋଗଦେବା ପାଇଁ ପୂର୍ବରୁ ଏକ ପ୍ରି-ରେସ୍ ପ୍ରକ୍ରିୟା ସଂପୂର୍ଣ୍ଣ କରିଥିବା ଜରୁରି । ତାହା ସର୍ବନିମ୍ନ ୩ ଶହ କିମ୍ବା ୪ ଶହ କିଲୋମିଟରର ରେସ୍ ଥାଏ । ପିବିପି ରେସ୍ ପକ୍ଷରୁ ଭାରତରେ ଦାୟିତ୍ବରେ ଥିବା ଏସିପି ଫ୍ରାନ୍ସ ପକ୍ଷରୁ ଏହି ପ୍ରି ରେସ୍ ପ୍ରକ୍ରିୟା ହୋଇଥିଲା । ଏଥିରେ କେନ୍ଦୁଝର ସହରର ମାଗୁରଗାଡ଼ିଆ ବାସିନ୍ଦା ତ୍ରିଲୋଚନ ରାଉତରାୟଙ୍କ ପୁଅ ତୁଷାରକାନ୍ତି ମନୋନୀତ ହୋଇଛନ୍ତି । ଦିଲ୍ଲୀରେ ରହୁଥିବା ତୁଷାରକାନ୍ତି କେନ୍ଦୁଝର ସହରର ମୋଚିବନ୍ଧ ହାଇସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ଡିଡି ସ୍ବୟଂଶାସିତ ମହାବିଦ୍ୟାଳୟରୁ ବାଣିଜ୍ୟରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଯାଇଥିଲେ । ଏବେ ସେ ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ପ୍ରବନ୍ଧକ ଭାବେ କାମ କରୁଛନ୍ତି । ଏଥିନେଇ ତୁଷାରକାନ୍ତି କୁହନ୍ତି, ବିଷେଶତଃ ପ୍ରଦୂଷଣ କମ୍ କରିବା ଓ ସାଇକେଲ ବ୍ୟବହାରକୁ ପ୍ରସାର କରିବା ଉଦ୍ଦେଶ୍ୟ ନେଇ ଏହି ରେସ୍ ଆୟୋଜିତ ହୋଇଥାଏ । ଏଥିରେ ୬୬ଟି ଦେଶରୁ ପ୍ରତିଯୋଗୀ ଭାଗ ନେଉଛନ୍ତି।