ଭଞ୍ଜନଗର,୨୧/୦୭(ବିଶ୍ୱରଞ୍ଜନ ) : ଭଞ୍ଜନଗର ସହରରେ ରହିଥିବା ନାହାତୁଠ ସାହିର ଏକ ଦେଶୀ ମଦଭାଟି ଉପରରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ବ୍ୟବହୃତ ସରଞ୍ଜାମ ଜବତ କରିଛି। ମିଳିଥିବା ସୂଚନା ମୁତାବକ , ଏକ ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ସହରର ନାହାତୁଠ ସାହିରେ ରହିଥିବା ଦେଶୀ ଭାଟି ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ୨୮୦ଲିଟର ଦେଶୀ ମହୁଲି ଜବତ କରି ୫୦୦୦ ପୋଚ ନଷ୍ଟ କରିଛି। ଏ ନେଇ ୯ ଜଣଙ୍କୁ ଗିରଫ କରିବା ସହ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ।


















