ନୂଆଦିଲ୍ଲୀ,୧୦-୦୭-୨୦୨୦(ପିଆଇବି): ଏକ ବିଶେଷ ସଫଳତା କ୍ରମେ, କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୨,୦୬,୫୮୮ ଅଧିକ ହୋଇଛି । ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାଠାରୁ ୧.୭୫ ଗୁଣ (ପ୍ରାୟ ଦୁଇଗୁଣ) ଅଧିକ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ, ମୋଟ ୧୯,୫୪୭ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି, ଯାହା ଆଜିସୁଦ୍ଧା ସମୁଦାୟ ଆରୋଗ୍ୟ ସଂଖ୍ୟାକୁ ୪,୭୬,୩୭୭ରେ ପହଞ୍ଚାଇଛି । କଣ୍ଟାକ୍ଟ ଟ୍ରେସିଂ ଏବଂ ଏକାନ୍ତବାସ ସହିତ ସମୟାନୁଯାୟୀ ପ୍ରଭାବୀ ଢଙ୍ଗରେ ଚିକିତ୍ସା ପରିଚାଳନା ମାଧ୍ୟମରେ ନିରୀକ୍ଷଣର ଫଳାଫଳ ।
ବର୍ତ୍ତମାନ ଦେଶରେ ମୋଟ ୨,୬୯,୭୮୯ ସକ୍ରିୟ ରୋଗୀ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି । ଭାରତର କୋଭିଡ-୧୯ ଆରୋଗ୍ୟ ହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଆଜି ଆରୋଗ୍ୟ ହାର ୬୨.୦୯ ପ୍ରତିଶତକୁ ବୃଦ୍ଧି ପାଇଛି । ସଂପୂର୍ଣ୍ଣ ସଂଖ୍ୟା ଦୃଷ୍ଟିରୁ ଭାରତକୁ ଅନ୍ୟ ଦେଶ ସହିତ ତୁଳନା କରିବା ବୋଧହୁଏ ଠିକ୍ ହେବ ନାହିଁ, ଭାରତରେ ପ୍ରତି ମିଲିୟନ ଜନସଂଖ୍ୟାରେ ୧୯୫.୫ ମାମଲା ରହିଛି ଯାହା ବିଶ୍ଵର ସର୍ବନିମ୍ନ । କଣ୍ଟେନମେଣ୍ଟ ଏବଂ ବଫର ଜୋନରେ ଆକ୍ରମଣାତ୍ମକ ପରୀକ୍ଷଣ, ଶୀଘ୍ର ଓ ଠିକ ସମୟରେ ଚିହ୍ନଟ ତଥା ଚିକିତ୍ସା ନିୟମାବଳୀ, ଉତ୍ତମ ଆଇସିୟୁ / ହସ୍ପିଟାଲ ପରିଚାଳନା ଯୋଗୁଁ ବିଶ୍ୱରେ ଭାରତର ମୃତ୍ୟୁ ସଂଖ୍ୟା ସର୍ବନିମ୍ନ । ଭାରତରେ ମିଲିୟନ ଜନସଂଖ୍ୟା ପିଛା ମୃତ୍ୟୁ ସଂଖ୍ୟା ୧୫.୩୧, ଯାହା ମୃତ୍ୟୁହାର ୨.୭୫%କୁ ଦର୍ଶାଏ, ଯେଉଁଠାରେ ବିଶ୍ଵରେ ଏହି ହାର ୬୮.୭ ରହିଛି ।
ଭାରତର ଦୈନିକ ନମୁନା ପରୀକ୍ଷା ସଂଖ୍ୟା ମଧ୍ୟ କ୍ରମାଗତ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୬୭,୦୬୧ ନମୁନା ପରୀକ୍ଷା କରାଯାଇଛି । ଆଜି ପର୍ୟ୍ୟନ୍ତ କୋଭିଡ-୧୯ ଚିହ୍ନଟ ପାଇଁ ସମୁଦାୟ ୧,୦୭,୪୦,୮୩୨ ନମୁନା ପରୀକ୍ଷା କରାଯାଇସାରିଲାଣି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆଇସିଏମଆରର ମିଳିତ ପ୍ରୟାସରେ ଦେଶରେ ପରୀକ୍ଷାଗାର ସଂଖ୍ୟାରେ ଚମତ୍କାର ବୃଦ୍ଧି ଘଟିଛି, ଯାହା ସରକାରୀ ପରୀକ୍ଷାଗାର ସଂଖ୍ୟା ୮୦୫କୁ ବୃଦ୍ଧି ପାଇଥିବା ବେଳେ ଘରୋଇ ସଂଖ୍ୟା ୩୨୭କୁ ବୃଦ୍ଧି ପାଇ ବର୍ତ୍ତମାନ ଦେଶରେ ମୋଟ ୧୧୩୨ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।



















