ଭୁବନେଶ୍ବର,୧୦/୭ (ଡି.ଏଚ.ବି): ସଂକଟରେ ସରକାରୀ ଇଞ୍ଜିନିୟରି˚ କଲେଜ। ଗତ କିଛି ବର୍ଷ ହେଲା ପିଲା ହେଉ ନ ଥିବାରୁ ଘରୋଇ କଲେଜ ବନ୍ଦ ହେଉଥିଲା। କିଛି କଲେଜର ବିଭାଗରେ ବି ନାମଲେଖା ହେଉ ନଥିଲା । ତେବେ ଚଳିତବର୍ଷ ସ୍ଥିତି ଅଧିକ ଜଟିଳ ହୋଇଛି। ପିଲା ନ ହେବାରୁ ଦୁଇଟି ସରକାରୀ ଇଞ୍ଜିନିୟରିଂ କଲେଜର ଗୋଟିଏ ଲେଖାଏଁ ବିଭାଗକୁ ବନ୍ଦ କରି ଦିଆଯାଇଛି। ଏଥିସହ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ବି.ଟେକ୍ରେ ୪ ହଜାର ୭୩ ସିଟ୍ ହ୍ରାସ କରାଯାଇଛି। ସରକାରୀ କଲେଜରେ ୧୨୦ ସିଟ୍ ଓ ଘରୋଇ କଲେଜର ବିଭିନ୍ନ ବିଭାଗରେ ୩ ହଜାର ୯୫୩ ସିଟ୍ କମିଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ମିଳିଥିବା ସୂଚନା ଅନୁଯାୟୀ, ୨୦୧୮-୧୯ ଶିକ୍ଷାବର୍ଷରେ ୩୮ହଜାର ୨୯୬ ସିଟ୍ରେ ନାମଲେଖା ହୋଇଥିଲା । ତେବେ ପିଲା ନ ହେବାରୁ ୨୫ ହଜାରରୁ ଅଧିକ ସିଟ୍ ବଳକା ପଡ଼ିଥିଲା। କେତେକ ପ୍ରମୁଖ ସରକାରୀ କଲେଜରେ ଆଗୁଆ ସିଟ୍ ପୂରଣ ହୋଇଯାଇଥିବା, ବେଳେ ଆଉ କିଛି କଲେଜରେ ପିଲା ହୋଇନଥିଲେ । ଦ୍ବିତୀୟ ପର୍ଯ୍ୟାୟ କାଉନସେଲିଂ ପରେ ବି ସିଟ୍ ଖାଲି ପଡ଼ିଥିଲା । ତାହାକୁ ଦୃଷ୍ଟିରେ ରଖି ଏଥର ବି.ଟେକ୍ ସିଟ୍ ସଂଖ୍ୟାକୁ ହ୍ରାସ କରାଯାଇଛି । ଚଳିତବର୍ଷ ମୋଟ ୩୪ ହଜାର ୨୨୩ ସିଟ୍ରେ ନାମଲେଖା ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ହ୍ରାସ ପାଇଥିବା ୪ ହଜାର ୭୩ଟି ସିଟ୍ ମଧ୍ୟରୁ ବ୍ରହ୍ମପୁରସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ମେଟାଲୋଜି ବିଭାଗ ଓ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ମିନେରାଲ ବିଭାଗରେ ୬୦ଟି ଲେଖାଏଁ ସିଟ୍ ରହିଛି । ଉକ୍ତ ଦୁଇ କଲେଜର ବିଭାଗଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଏଥିସହ ଘରୋଇ କଲେଜଗୁଡ଼ିକରେ ୩ ହଜାର ୯୪୭ସିଟ୍ରେ ନାମଲେଖା ବନ୍ଦ ହୋଇଛି । ଆଶ୍ବସ୍ତିକର ବିଷୟ ହେଉଛି ଯେ ପିଲା ନ ହେବାରୁ ଗତ ଦୁଇବର୍ଷରେ ୫ଟି ଘରୋଇ ଇଞ୍ଜିନିୟରିଂ କଲେଜରେ ତାଲା ପଡ଼ିଥିଲା। ତେବେ ୨୦୧୯-୨୦ ଶିକ୍ଷାବର୍ଷରେ କୌଣସି କଲେଜରେ ତାଲା ପଡ଼ି ନାହିଁ, ବରଂ କେବଳ ସିଟ୍ ସଂଖ୍ୟା ହ୍ରାସ ପାଇଛି। ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ସିଟ୍ କମି ନଥିବା ବେଳେ କମ୍ ଛାତ୍ରଛାତ୍ରୀ ନାମ ଲେଖାଉଥିବା କଲେଜ ଉପରେ ଏଆଇସିଟିଇର କୋପଦୃଷ୍ଟି ପଡ଼ିଛି। ଏଥର ୮୦ଟି ଘରୋଇ ଓ ୮ଟି ସରକାରୀ ଇଞ୍ଜିନିୟରିଂ କଲେଜରେ ବି.ଟେକ୍ ପାଠ୍ୟକ୍ରମ ଲାଗି ନାମଲେଖା ହେଉଛି। ୨୦୧୮-୧୯ ଶିକ୍ଷାବର୍ଷରେ ସରକାରୀ କଲେଜଗୁଡ଼ିକର ୪୨୮୮ ସିଟ୍ରେ ନାମଲେଖା ହୋଇଥିବା ବେଳେ ଏଥର ତାହାକୁ ୪୧୬୨କୁ ହ୍ରାସ କରାଯାଇଛି। ସେହିପରି ଘରୋଇ କଲେଜ ସିଟ୍ ସଂଖ୍ୟା ୩୪ ହଜାରରୁ ୩୦ ହଜାର ୬୧କୁ କମାଇ ଦିଆଯାଇଛି । ଚିନ୍ତାର ବିଷୟ ହେଉଛି ଯେ ଏଥର ବି ଇଞ୍ଜିନିୟରିଂ ସିଟ୍ ଖାଲି ପଡ଼ିବ। ମୋଟ ୩୪ ହଜାର ୨୨୩ ସିଟ୍ ପାଇଁ ମାତ୍ର ୧୨ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ତେଣୁ ଗତବର୍ଷ ପରି ଏଥର ମଧ୍ୟ ୨୦ ହଜାର ସିଟ୍ ଖାଲି ରହିବ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି । ତେବେ ଜୁଲାଇ ୨୧ରେ ସ୍ବତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବାକୁ ଥିବାରୁ ଆଉ ୪ରୁ ୫ ହଜାର ସିଟ୍ ପୂରଣ ହୋଇଯିବ ବୋଲି କଲେଜଗୁଡ଼ିକ ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶା ଘରୋଇ ଇଞ୍ଜିନିୟରି˚ କଲେଜ ସ˚ଘ(ଓପେକା) ସମ୍ପାଦକ ବିନୋଦ ଦାଶ କହିଛନ୍ତି ଯେ କେବଳ ଘରୋଇ ନୁହେଁ ସରକାରୀ କଲେଜରେ ବି ପଢ଼ିବାକୁ ପିଲାମାନେ ଆଗ୍ରହ ଦେଖାଉ ନାହାନ୍ତି । ନିଯୁକ୍ତି ସୁଯୋଗ ନ ଥିବାରୁ ଏଭଳି ସ୍ଥିତି ଉପୁଜିଛି । ପିଲାଙ୍କ ପ୍ରାଥମିକ ଶିକ୍ଷାର ମୂଳଦୁଆ ସୁଦୃଢ଼ ନ ଥିବାରୁ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ପିଲାମାନେ ଆଗ୍ରହ ଦେଖାଉ ନାହାନ୍ତି । ଏବେ ସମୟ ଆସିଛି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉ। ନ ହେଲେ ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିବ।