ନୂଆଦିଲ୍ଲୀ,୧୦/୭ (ଡି.ଏଚ.ବି): ଲୋକସଭା ବାଚସ୍ପତି ଓମ ବିର୍ଲା ଅଳ୍ପକେ ବର୍ତ୍ତିଯାଇଛନ୍ତି । ପ୍ରକୃତରେ ଲୋକସଭା ବାଚସ୍ପତି ଭାବେ ଚୟନ ହେବା ପରେ ରାଜସ୍ଥାନର କୋଟାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଚ ଉପରେ ବାଚସ୍ପତିଙ୍କ ସହ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ । ଯାହାଫଳରେ ମଞ୍ଚଟି ଭାଙ୍ଗିଯାଇଥିଲା । ମିଳିଥିବା ସୂଚନା ମୁତାବକ ରାଜସ୍ଥାନର କୋଟାରୁ ଦୁଇଥର ସାଂସଦ ରହିଆସିଥିବା ଓମଙ୍କ ସ୍ୱାଗତ ପାଇଁ ସ୍ଥାନୀୟ ବିଜେପି କର୍ମୀମାନେ ବଡଧରଣର ପ୍ରସ୍ତୁତି କରିଥିଲେ । ବହୁ ସଂଖ୍ୟାରେ କର୍ମୀ ଓମଙ୍କୁ ସ୍ୱାଗତ କରିବା ପାଇଁ ମଞ୍ଚ ଉପରେ ଚଢ଼ିଯାଇଥିଲେ । ଓମ ମଧ୍ୟ ସେମାନଙ୍କ ଅଭିବାଦନ ସ୍ୱୀକାର କରିଥିଲେ । ତେବେ ଆବଶ୍ୟକତାଠାରୁ ଅଧିକ ଲୋକ ଏହି ମଞ୍ଚ ଉପରେ ଛିଡା ହୋଇଥିବାରୁ ମଞ୍ଚଟି ଭୁଶୁଡି ପଡିଥିଲା । ତେବେ ଏଥିରେ କାହାରିକୁ ଆଘାତ ଲାଗିନଥିବାବେଳେ ଓମ ମଧ୍ୟ ସୁରକ୍ଷିତ ଅଛନ୍ତି । ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ନୂଆ ସାଂସଦମାନଙ୍କୁ ସଂସଦରେ କହିବାକୁ ବାରମ୍ବାର ସୁଯୋଗ ଦେଉଥିବାରୁ ଏହାକୁ ଭୁରି ଭୁରି ପ୍ରଶଂସା କରାଯାଉଛି । ସଂସଦର ପ୍ରଥମ ଅଧିବେଶନରେ ପ୍ରଥମ ଥର ଲୋକସଭାକୁ ଆସିଥିବା ସମସ୍ତ ସାଂସଦଙ୍କୁ ଓମ କହିବାର ସୁଯୋଗ ଦେଇସାରିଲେଣି ।