ଦିଗପହଣ୍ଡି, ୧୬।୬(ସୁନୀଲ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆଗୁମ୍ମା ଗ୍ରାମ ନିକଟ ଏକ ଚାଷଜମିରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଚାଷୀଜଣକ ହେଲେ ଦିଗପହଣ୍ଡି ବ୍ଳକ ଫାଶୀଗୁଡ଼ା ପଞ୍ଚାୟତ ଜକମେରୀ ପଲ୍ଲୀ ଗ୍ରାମର କଂଗ୍ରେସ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି । ଖବର ଅନୁଯାୟୀ , କଂଗ୍ରେସ ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗ୍ରାମ ନଦୀ ନିକଟ ଚାଷ ଜମିକୁ ଯାଇ ଆଉ ଘରକୁ ଫେରି ନଥିଲେ। ଅପରାହ୍ନରେ ଜଣେ ଛେଳି ଜଗୁଆଳ ନଦୀହିଡ ଦେଇ ନୂଆଗୁମ୍ମା ଗ୍ରାମକୁ ଛେଳି ପଲ ନେଇ ଫେରୁଥିବା ବେଳେ ଖୋଲା ପଡିଆ ଜମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବା ପରେ ଦୋୖଡି ଯାଇ ଗ୍ରାମର ଲୋକଙ୍କୁ ଜଣାଇଥିଲେ। ଖବର ପ୍ରଚାରିତ ହେବାପରେ ମୃତଦେହ ପଡିଥିବା ଜମି ନିକଟରେ ଆଖପାଖ ଗ୍ରାମର ବହୁସଂଖ୍ୟକ ଲୋକଙ୍କ ଭିଡ଼ ହୋଇଥିଲା । ଦିଗପହଣ୍ଡି ଥାନା ଏସ ଆଇ ମାଧବ ଚନ୍ଦ୍ର ଟାକରିଙ୍କ ସହ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ. ୫/୨୦ ଅନୁଯାୟୀ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

















