ହିଞ୍ଜିଳିକାଟୁ,୧୬।୬(ଶେଷଦେବ ସାହୁ): ଉତ୍କଳୀୟ ସଂସ୍କୃତିରେ ୧୨ ମାସରେ ୧୩ ପର୍ବପର୍ବାଣୀ ମଧ୍ୟରୁ ଆଷାଢ ସଂକ୍ରାନ୍ତିର ରଜପର୍ବର ଗୁରୁତ୍ୱ ସର୍ବଦା ରହିଆସିଛି । କୃଷି ପ୍ରଧାନ ରାଜ୍ୟ ଭାବେ ଓଡ଼ିଶାର ଘରେ ଘରେ ଏହି ପର୍ବକୁ ବେଶ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରିଥାନ୍ତି । ଚଳିତ ବର୍ଷ ଜୁନ ୧୪ ତାରିଖରେ ପହିଲି ରଜ, ୧୫ ତାରିଖରେ ରଜସଂକ୍ରାନ୍ତି ଓ ୧୬ ତାରିଖରେ ଭୂଇଁଦହଣ ପ୍ରଭୃତି ୩ ଦିନ ବ୍ୟାପି ପାଳନ ହେଉଥିବା ଏହି ପର୍ବରେ ଗାଁ ଠୁ ସହର ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇଉଠିଥାଏ । ହେଲେ ଚଳିତ ବର୍ଷ ମହାମାରୀ କରୋନା ଭୁତାଣୂ ସଂକ୍ରମଣ କାୟା ବିସ୍ତାର କରିଥିବାରୁ ସରକାର ଗତ ମାର୍ଚ୍ଚ ୨୩ ତାରିଖଠାରୁ ୪ଟି ପର୍ଯ୍ୟାୟ ଲକଡ଼ାଉନ ଘୋଷଣଶ କରିବା ପରେ ଚଳିତ ମାସ ମାସ ପହିଲାରୁ ଅନଲକ-୧ କାର୍ଯ୍ୟକାରୀ କରିଛନ୍ତି । ବିବାହିତ ଝିଅ ମାନେ ରଜରେ ବାପାଘରୁ ଆସି ରଜ କଟାଇବା ସହ ଶ।ଶୁର ଘରକୁ ଆମ୍ବ, ପଣସ ଓ ମିଠା ଭାର ନେବାର ପରମ୍ପରା ରହିଛି । ରଜରେ ଚଷାପୁଅ ମାନେ ନିଜର କାମଧନ୍ଦା ବନ୍ଦ କରି ପାନ ଖାଇବା ଓ ତାସ ଖେଳିବାରେ ସମୟ କଟାଇଥାନ୍ତି । ରଜ ସକାଶେ ଜାମା ଓ ଲୁଗା ଦୋକାନରେ ପ୍ରବଳ ଭିଡ଼ ଲାଗିରହୁଥିବା ବେଳେ ଚଳିତ ବର୍ଷ କରେନା ତାହା ବୁଡ଼ାଇ ଦେଇଛି ବୋଲି ଲୁଗା ଓ ଡେ଼୍ରସ ଦେକାନୀ ମାଲିକ ମାନେ କହିଛନ୍ତି । ମୋଟ ଉପରେ କହିବାକୁ ଗଲେ ରଜ ପାଇଁ ବଜାର ସରଗରମ ନାହିଁ । ତେବେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଓ ବସ୍ତୁବାଦୀ ମାନସିକତା ଯୋଗୁଁ ସମ୍ପ୍ରତି ରଜପର୍ବ ପୂର୍ବ ପରି ଆକର୍ଷଣୀୟ ହେଉନଥିଲେ ବି ପରମ୍ପରା ହରାଇନାହିଁ । ଆଗଭଳି ଗାଁ ଦାଣ୍ଡରେ ରଜଦୋଳି ଗୀତ ଆଉ ଶୁଭୁନାହିଁ କିମ୍ବା ଯୁବକ ମାନେ ବାଗୁଡ଼ି ଖେଳ ଓ ତାସ୍ ଖେଳରେ ଦିନ ବିତାଉ ନାହାଁନ୍ତି । ଏ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମହାନ ଉତ୍କଳୀୟ ପରମ୍ପରାକୁ ଉଜ୍ଜୀବିତ ସକାଶେ ଚାଲିଛି ପ୍ରୟାସ । ବିଭିନ୍ନ ସ୍ଥାନରେ ସାମୁହିକ ଭାବେ ରଜପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ପୋଡ଼ାପିଠା ତିଆରି ପାଇଁ ଆଉ କାଠ ଚୁଲି ଦେଖିବାକୁ ମିଳୁନାହିଁ । ଆଧୁନିକତାର ଛାପ ପ୍ରାୟତଃ ଅଧିକାଂଶ ପର୍ବପର୍ବାଣୀକୁ ଗ୍ରାସ କରିସାରିଛି । ରଜ ପର୍ବ ମଧ୍ୟ ତାହାର ଅସ୍ୱିତ୍ୱ ହରାଇବାକୁ ବସିଛି ବୋଲି ଆଲୋଚିତ ହେଉଛି । ଆଜିର ବଜାରୀକରଣ ଯୁଗରେ ରଜପର୍ବ କେବଳ ଏକ ପୁରୁଣା ଛାପ ହୋଇ ରହିଯିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

















