Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ପେନସନଭୋଗୀଙ୍କ ସୁବିଧା ପାଇଁ ଇପିଏଫଓର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଜନସେବା କେନ୍ଦ୍ରରେ ଦାଖଲ କରିହେବ ଜୀବନ ପ୍ରମାଣପତ୍ର

ପେନସନଭୋଗୀଙ୍କ ସୁବିଧା ପାଇଁ ଇପିଏଫଓର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଜନସେବା କେନ୍ଦ୍ରରେ ଦାଖଲ କରିହେବ ଜୀବନ ପ୍ରମାଣପତ୍ର

1220
ADVERTISEMENT

ଭୁବନେଶ୍ୱର,୧୨-୦୬(ଡ଼ି ଏଚ): କୋଭିଡ-୧୯ ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ ଇପିଏସ ପେନସନଭୋଗୀମାନଙ୍କୁ ଘର ପାଖରେ ସୁବିଧା ପ୍ରଦାନ କରିବା ଉଦେ୍ଦଶ୍ୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ।

ଜନ ସେବା କେନ୍ଦ୍ର ଏବଂ ଇପିଏଫଓ ମଧ୍ୟରେ ଏକ ସହଭାଗିତା ସ୍ଥାପନ କରାଯାଇଛି । ଯାହାଫଳରେ ବରିଷ୍ଠ ପେନସନଭୋଗୀମାନେ ଏବେ ସେମାନଙ୍କ ଘର ପାଖରେ ଥିବା ଜନସେବା କେନ୍ଦ୍ରରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଦେଶରେ ବର୍ତମାନ ୩.୬୫ ଲକ୍ଷ ଜନସେବା କେନ୍ଦ୍ରର ଏକ ବିଶାଳ ନେଟୱର୍କ ରହିଛି । ଯାହାଫଳରେ ଇପିଏଫଓର ୬୫ ଲକ୍ଷ ପେନସନଭୋଗୀ ସେମାନଙ୍କ ଘର ପାଖରେ ଥିବା ଜନସେବା କେନ୍ଦ୍ରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ନିୟମିତ ଭାବେ ପେନସନ ଉଠାଣ ନିମନ୍ତେ ଇପିଏସ ପେନସନଭୋଗୀମାନଙ୍କୁ ବର୍ତମାନ ବର୍ଷକୁ ଥରେ ଜୀବନ ପ୍ରମାଣ/ଲାଇଫ ସାର୍ଟିଫିକେଟ ଦାଖଲ କରିବାକୁ ହେଉଛି ।

ଜନସେବା କେନ୍ଦ୍ରଗୁଡ଼ିକ ବ୍ୟତୀତ ଇପିଏସ ପେନସନଭୋଗୀମାନେ ମଧ୍ୟ ୧୩୫ଟି ଆଂଚଳିକ କାର୍ୟ୍ୟାଳୟ, ୧୧୭ଟି ଜିଲ୍ଲା କାର୍ୟ୍ୟାଳୟ ଏବଂ ସେମାନେ ପେନସନ ଉଠାଉଥିବା ବ୍ୟାଙ୍କରେ ମଧ୍ୟ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଇପିଏଫଓ ପକ୍ଷରୁ ଏକ ବହୁମୁଖୀ ବିକଳ୍ପ ମଡେଲ ଗ୍ରହଣ କରାଯାଇଛି । ଯାହାଫଳରେ ଇପିଏସ ପେନସନଭୋଗୀଙ୍କ ନିକଟରେ ନିଜ ସୁବିଧା ଅନୁସାରେ ସେବା ପାଇବାର ବିକଳ୍ପ ଓ ଅଧିକାର ରହିବ ।

ବର୍ଷର ଯେକୌଣସି ସମୟରେ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା ଇପିଏସ ପେନସନଭୋଗୀମାନଙ୍କୁ ପ୍ରଦାନ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପରିବର୍ତ୍ତନ କରାଯାଇଛି । ଦାଖଲ କରିବାର ୧ ବର୍ଷ ପର୍ୟ୍ୟନ୍ତ ଜୀବନ ପ୍ରମାଣପତ୍ରର ବୈଧତା ରହିବ । ପୂର୍ବରୁ ବର୍ଷର କେବଳ ନଭେମ୍ବର ମାସରେ ଜୀବନପ୍ରମାଣପତ୍ର ଦାଖଲର ସୁବିଧା ପେନସନଭୋଗୀ ମାନଙ୍କୁ ମିଳୁଥିଲା । ଏହି କାରଣରୁ ପେନସନଭୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପେନସନ ବନ୍ଦ ହୋଇଯିବାର ବହୁସଂଖ୍ୟକ ଅଭିଯୋଗ ଆସୁଥିଲା । ଆହୁରି ବିଳମ୍ବରେ ଜୀବନ ପ୍ରମାଣପତ୍ର ଦାଖଲ କରାଯିବାର ଫଳ ସ୍ୱରୂପ ନଭେମ୍ବର ମାସ ପର୍ୟ୍ୟନ୍ତ ମାତ୍ର କିଛି ମାସ ଲାଗି ଏହାର ବୈଧତା ରହୁଥିଲା । ଇପିଏସ ପେନସନଭୋଗୀମାନଙ୍କୁ ବାଧାମୁକ୍ତ ସାମାଜିକ ସୁରକ୍ଷା ପ୍ରଦାନ କରିବା ଲାଗି ସେମାନଙ୍କ ଲାଗି ଅନୁକୂଳ ପଦକ୍ଷେପ ଗ୍ରହଣ କରାଯାଇଛି ।

ସଙ୍କଟ ସମୟରେ ୬୫ ଲକ୍ଷ ଇପିଏସ ପେନସନଭୋଗୀମାନଙ୍କୁ ଉଚିତ ସମୟରେ ପେନସନ ପ୍ରଦାନ କରି ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ପ୍ରତି ଇପିଏଫଓ ପ୍ରତିଶ୍ରୁତିବଦ୍ଧ ।

Advertisement