Wednesday, September 23, 2026
ADVERTISEMENT
Home ମୁଖ୍ୟ ଖବର ସରକାରଙ୍କ ଫୋକସ୍‌ରେ ଯୁକ୍ତ୨ କଲେଜ : ଭିତ୍ତିଭୂମି ତଥ୍ୟ ମାଗିଲେ, ନକଲି କଲେଜ ପ୍ରତି ସାବଧାନ...

ସରକାରଙ୍କ ଫୋକସ୍‌ରେ ଯୁକ୍ତ୨ କଲେଜ : ଭିତ୍ତିଭୂମି ତଥ୍ୟ ମାଗିଲେ, ନକଲି କଲେଜ ପ୍ରତି ସାବଧାନ ରହିବାକୁ ପରାମର୍ଶ ;

354
ADVERTISEMENT

ଭୁବନେଶ୍ବର,୯/୭ ( ଗୁମ୍ ରଫ ବ୍ୟୁରୋ) : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଗଲାଣି। ଜୁଲାଇ ୨୯ରୁ ପ୍ରଥମ ବର୍ଷ ପିଲାଙ୍କ ପାଠପଢ଼ା । ହାତରେ ଆଉ ମାତ୍ର ୨୦ ଦିନ ବାକି ଥିବାବେଳେ କଲେଜଗୁଡ଼ିକର ଭିତ୍ତିଭୂମି ତଥ୍ୟ ମାଗିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ଲାଗି କ୍ୟାମ୍ପସରେ ମୌଳିକ ସୁବିଧା ରହିଛି କି ନାହିଁ? ସୁରକ୍ଷା, ପାଠଗାର, ଲାବୋରୋଟାରି ଆଜି ପ୍ରମୁଖ ବିଷୟ ଉପରେ ୪ ଦିନ ଭିତରେ ତଥ୍ୟ ଦେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ ନିର୍ଦେଶ ଦେଇଛନ୍ତି । ୧୬୩୧ଟି ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ଯୁକ୍ତ୨ କଲେଜକୁ ଚିଠି ଲେଖି ଶ୍ରୀ ସିଲ୍‌ କହିଛନ୍ତି ଯେ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଲାଗି କିଭଳି ସୁବିଧା ଉପଲବ୍ଧ ହୋଇଛି ସେ ନେଇ ୧୨ ତାରିଖ ସୁଦ୍ଧା ଜଣାଓ । କ୍ୟାମ୍ପସରେ ବିଦ୍ୟୁତ୍‌ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ଶୌଚାଳୟ, ପାଚେରି, ହଷ୍ଟେଲ ସୁବିଧା, ଲାବୋରେ‌େଟାରି, ଖେଳ ପଡ଼ିଆ ଆଦି ଉପଲବ୍ଧ ରହିଛି କି ନାହିଁ ଜଣାଓ । କଲେଜରେ ପାଠାଗାର ରହିଛି କି ନାହିଁ? ଯଦି ପାଠାଗାର ରହିଛି, ସେଠାରେ ପୁସ୍ତକ ସଂଖ୍ୟା କେତେ? ବେଞ୍ଚ ଓ ଡେସ୍କ ସଂଖ୍ୟା କେତେ? ଆଦି ବିଷୟରେ ‘[email protected]’ ରେ ତଥ୍ୟ ପ୍ରଦାନ କରିବାକୁ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ କିଛି ବର୍ଷ ହେଲା ପରୀକ୍ଷା ସମୟରେ ନକଲି ଯୁକ୍ତ୨ କଲେଜ ପଦାକୁ ଆସୁଥିବାରୁ ଏଥର ଶିକ୍ଷାବର୍ଷ ପୂର୍ବରୁ ତତ୍ପରତା ପ୍ରକାଶ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ; ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ସଚେତନ କରାଇବା ସହ ସାମ୍‌ସ ପଞ୍ଜୀକୃତ ହୋଇ ନ ଥିବା ଜୁନିଅର କଲେଜରେ ନାମ ନ ଲେଖାଇବାକୁ ପରାମର୍ଶ ଦିଆଯାଇଛି । ସୋସିଆଲ୍‌ ମିଡିଆ ତଥା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଉଥିବା ବିଜ୍ଞପ୍ତିକୁ ଭଲ ଭାବେ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ୨୦୧୯-୨୦ ଶିକ୍ଷାବର୍ଷ ଲାଗି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଆଗକୁ ଆଉ ଗୋଟିଏ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ‌ହେବ। ଏଥିସହ ସ୍ପଟ୍‌ ନାମଲେଖା ବି ରହିଛି। ତେ‌ଣୁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ ଓ ନାମ ଲେଖାଇବା ପୂର୍ବରୁ ‘www.sme.odisha.gov.in’ ଓ ‘www.samsodisha.gov.in’ ୱେବସାଇଟ୍‌କୁ ଭଲ ଭାବେ ଯାଞ୍ଚ କରନ୍ତୁ । ନଜରକୁ ଆସିଛି ଯେ ସରକାରଙ୍କଠାରୁ ସ୍ବୀକୃତି ପାଇ ନ ଥିବା କିଛି ନକଲି ଅନୁଷ୍ଠାନ ବିଜ୍ଞାପନ ପ୍ରକାଶ କରି ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି । ନାମଲେଖା ସମୟରେ ଜଣାପଡ଼ୁ ନାହାନ୍ତି। କିନ୍ତୁ ପରୀକ୍ଷା ସମୟରେ ପଦାକୁ ଆସୁଛନ୍ତି । ଏପରିକି ବେଆଇନ ଭାବେ ନାମଲେଖା କରାଇଥିବା କଲେଜ ପରୀକ୍ଷା ସମୟରେ ଚାପ ସୃଷ୍ଟି କରି ପିଲାମାନଙ୍କ ଫର୍ମ ପୂରଣ କରିବା ପାଇଁ ଅନୁମତି ଦେବାକୁ ଲବି କରୁଛନ୍ତି । କୋର୍ଟ ଯିବାକୁ ବି ଧମକ ଦେଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଅଭିଭାବକ ଓ ଛାତ୍ରଛାତ୍ରୀ ନାମଲେଖା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି କାରଣରୁ ପଞ୍ଜୀକୃତ ହୋଇ ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେହି ନାମ ଲେଖାନ୍ତି ତେବେ ସମ୍ପୃକ୍ତ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ବାର୍ଷିକ ପରୀକ୍ଷା ଦେବାକୁ ବଞ୍ଚିତ ହେବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାମ୍‌ସ ୱେବସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଥିବା ତଥ୍ୟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ଓ ପରୀକ୍ଷା ପାଇଁ ଫର୍ମ ପୂରଣ ହୁଏ। ସରକାରଙ୍କଠାରୁ ସ୍ବୀକୃତି ପାଇ ନ ଥିବା ଶିକ୍ଷାନୁଷ୍ଠାନ ଯଦି ଅଫ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ବୀକୃତିପ୍ରାପ୍ତ କୌଣସି ଯୁକ୍ତ୨ କଲେଜରେ ଯଦି ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ ନାମ ଲେଖାଇବେ, ସେମାନଙ୍କ ସ୍ବୀକୃତି ପ୍ରତ୍ୟାହୃତ କରାଯିବ। ଏଥିସହ ବିଭାଗୀୟ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଉଭୟ ଶିକ୍ଷାନୁଷ୍ଠାନ ଓ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisement