Thursday, November 5, 2026
ADVERTISEMENT
Home ଆଞ୍ଚଳିକ ସଙ୍ଗରୋଧରୁ ଫେରି ଜୀବିକା ଚିନ୍ତାରେ ପ୍ରବାସୀ

ସଙ୍ଗରୋଧରୁ ଫେରି ଜୀବିକା ଚିନ୍ତାରେ ପ୍ରବାସୀ

231
ADVERTISEMENT

ହିଞ୍ଜିଳିକାଟୁ, ୧୦।୬ (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳର ସହସ୍ରାଧିକ ଯୁବକ ପରିବାର ପ୍ରତିପୋଷଣ ସକାଶେ ଭିଟାମାଟି ଛାଡ଼ିଛନ୍ତି । ଅର୍ଥ ରୋଜଗାର ଆଶାରେ ବାହାର ରାଜ୍ୟ ସୁରତ, ମୁମ୍ବାଇ, କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶିଗଡ଼ ପ୍ରମୁଖ ରାଜ୍ୟକୁ ଯାଇ କାମ କରି ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ପରେ ଦେଶର ବିଭିନ୍ନ ରାଜ୍ୟର କର୍ମସଂସ୍ଥାନ ଗୁଡ଼ିକ ବନ୍ଦ ହୋଇ ପଡ଼ିଛି । ବେରୋଜଗାର ହୋଇଛନ୍ତି ବହୁ ଯୁବକ । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳର ସହସ୍ରାଧିକ ପ୍ରବାସୀ ଶ୍ରମିକ ଭିଟାମାଟିକୁ ଫେରିବା ପରେ ସରକାରଙ୍କ ନିୟମାନୁସାରେ ୨୧ /୧୪ ଦିନ ଲେଖାଏଁ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରିଥିଲେ । ନିର୍ଦ୍ଧାରିତ ଅବଧି ପୁର୍ଣ୍ଣ ପରେ ପରିବାରକୁ ଲେଉଟି ଘରେ ବସି ରହିଛନ୍ତି । ପରିବାର ପ୍ରତିପୋଷଣ ସକାଶେ କେଉଁଠାରେ ମଧ୍ୟ କାମଧନ୍ଦା ପାଉନାହାନ୍ତି । ପରିବାର କିପରି ପ୍ରତିପୋଷଣ କରିବେ ସେ, ନେଇ ଚିନ୍ତିରେ ରହିଛନ୍ତି । ଅଜଣା କରୋନା ଭାଇରସ ଆମ ଜୀବିକା ଛଡ଼ାଇନେଲା । ଅଧିକ କିଛି ଅର୍ଥ ଉପାର୍ଜନ କରିବା ପରେ ତେଲ ଲୁଣର ସଂସାର କରି ଯାହା କିଛି ଚଳୁଥିଲା ଭିଟାମାଟିରେ ପଡ଼ି ରହିଥିବା ବାପା, ମା, ସ୍ତ୍ରୀ ଓ ପିଲାଛୁଆଙ୍କ ପେଟକୁ ଆହାର ଯୋଗାଇବା ପାଇଁ ପ୍ରତିମାସରେ ଘରକୁ ଟଙ୍କା ପଠାଉଥିଲୁ । ଗାଁରେ କୌଣସି ପ୍ରକାର କାମଧନ୍ଦା ନମିଳିବାରୁ ପରିବାର ଚଳାଇବା ବହୁତ କଷ୍ଟକର ହୋଇପଡ଼ିଛି ବୋଲି ଅଂଚଳର ବହୁ ପ୍ରବାସୀ କହିଛନ୍ତି । ରାଜ୍ୟ ସରକାର ପ୍ରତ୍ୟେକ ଦିନ କାମଧନ୍ଦା ଯୋଗାଇଥିଲେ ଦୁଃଖେକଷ୍ଟ ପରିବାର ପ୍ରତିପୋଷଣ କରି ରହିଥାନ୍ତୁ । ମନରେଗା ଯୋଜନାରେ ସବୁଦିନ କାମ ମିଳିଥିଲେ ମଧ୍ୟ ବାହାର ରାଜ୍ୟକୁ ଯାଇ କଷ୍ଟ ସ୍ୱୀକାର କରିନଥାନ୍ତୁ ବୋଲି ଫେରନ୍ତା ପ୍ରବାସୀ ମାନେ କହିଛନ୍ତି । ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଯେକୌଣସି ଯୋଜନାରେ ମଧ୍ୟ କାମଧନ୍ଦା ଯୋଗାଇ ଦେଲେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ହୋଇପାରନ୍ତା ବୋଲି କହିଛନ୍ତି ।

Advertisement