Friday, November 6, 2026
ADVERTISEMENT
Home ଗଞ୍ଜାମ ଲକ୍ ଡାଉନ୍ କ୍ଖତିଗ୍ରସ୍ଥ ଶ୍ରମିକ ଓ ସାଧାରଣ ଜନତାଙ୍କୁ ସହାୟତା ପ୍ରଦାନ ଦାବିରେ ପଦଯାତ୍ରା

ଲକ୍ ଡାଉନ୍ କ୍ଖତିଗ୍ରସ୍ଥ ଶ୍ରମିକ ଓ ସାଧାରଣ ଜନତାଙ୍କୁ ସହାୟତା ପ୍ରଦାନ ଦାବିରେ ପଦଯାତ୍ରା

364
ADVERTISEMENT

ବ୍ରହ୍ମପୁର,୦୯-୦୬(ଇ ରଞ୍ଜନ): ଦେଶରେ କରୋନା ମହାମାରୀର ମୁକାବିଲା ନାଁରେ ବିଜେପି ନେତୄତ୍ଵାଧୀନ ମୋଦି ସରକାର ଓ ରାଜ୍ୟର ନବୀନ ସରକାର ଯେଉଁଭଳି ତରବରିଆ ଭାବେ ଲକ୍ ଡାଉନ୍ ଘୋଷଣା କଲେ ତାରି ଫଳରେ ଦେଶର ଅର୍ଥନୀତି ବରବାଦ ହୋଇ ସାଧାରଣ ଜନତା ବିଶେଷ କରି ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସରକାରୀ ପ୍ରାୟୋଜିତ ଲକ୍ ଡାଉନ୍ ଯୋଗୁଁ ଦେଶର କୋଟି କୋଟି ଶ୍ରମିକ, କ୍ଖୁଦ୍ର ବ୍ୟବସାୟୀଙ୍କ ରୋଜଗାର ଚାଲିଯାଇଥିବା ବେଳେ ସରକାର କିମ୍ବା ସେମାନଙ୍କ ନିଯୁକ୍ତିଦାତା କମ୍ପାନୀ କେହି ବି ଲକ୍ ଡାଉନ୍ ଅବଧିର ମଜୁରୀ ହାନୀର ଭରଣା କରିନାହାନ୍ତି । ରାଜ୍ୟ ବାହାରେ ଥିବା ପ୍ରାୟ ପନ୍ଦର ଲକ୍ଷ ଶ୍ରମିକ ଘରକୁ ଫେରିବାକୁ ପଞ୍ଜିକରଣ କରିଥିଲେ ମଧ୍ୟ ସରକାର ଗତ ଏକ ମାସ ମଧ୍ୟରେ ମାତ୍ର ଅଢେ଼ଇ ଲକ୍ଷ ଶ୍ରମିକଙ୍କୁ ଆଣିବାର ବ୍ୟବସ୍ଥା କରିଛନ୍ତି । ହଠାତ ଏତେ ସଂଖ୍ୟକ ଲୋକଙ୍କୁ ରୋଜଗାର ଦେଇ ଥଇଥାନ କରିବାକୁ ଉଭୟ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ । ଅତଏବ ନିଜର ଅବିବେକିତା ଲାଗି ଲୋକଙ୍କ ରୋଜଗାର ଛଡେଇ ନେଇଥିବା ସରକାର, ଆଜି ସେମାନଙ୍କ ଦୁର୍ଦିନ ସମୟରେ ତୁରନ୍ତ ପଦକ୍ଷେପ ନେବା ବଦଳରେ ଲଗାତର ଶ୍ରମିକ ବିରୋଧୀ ପଦକ୍ଷେପ ନେବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ଶ୍ରମିକ, ବୁଲାବିକାଳୀ ଓ ମଧ୍ୟବିତ୍ତ ଲୋକଙ୍କ ବିଭିନ୍ନ ଦାବି ନେଇ ନାଗରିକ ସାମ୍ମୁଖ୍ୟ ତରଫରୁ ଆଜି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ପ୍ରତିବାଦ ପଦଯାତ୍ରାର ଆୟୋଜନ ହୋଇଥିଲା । ବରିଷ୍ଠ ଆଡଭୋକେଟ୍ ତଥା ସାମ୍ମୁଖ୍ୟର ଆବାହକ ଭଗବାନ ସାହୁଙ୍କ ସମେତ ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ହେତୁବାଦୀ ଇଂ ରାଜା ସୁରେଶ, ଛାତ୍ର ନେତା ସୋମନାଥ ବେହେରା, ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଚାଷୀ ନେତା ଶଙ୍କର ସାହୁ, ସ୍ଵାସ୍ଥ୍ୟ ଆନ୍ଦୋଳନର ଅବନୀ କୁମାର ଗୟା, ପି ପାର୍ବତୀ, ପ୍ରତାପ ନାୟକ, ସନ୍ତୋଷ ଗୌଡ, ଖାଉଟୀ ଅଧିକାର କର୍ମୀ କାମେଶ୍ଵର ରାଓ, ହେତୁବାଦୀ ନାନ୍ଦେଶୁ ସେନାପତି, କିଶୋର ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟକୁ ଫେରିବାକୁ ଚାହୁଁଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସରକାରୀ ଖର୍ଚ୍ଚରେ ତୁରନ୍ତ ଆଣିବାର ବ୍ୟବସ୍ଥା କରିବା, ରୋଜଗାର ହରାଇ ଥିବା ଶ୍ରମିକମାନଙ୍କୁ ମାସିକ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ପ୍ରବାସୀ ଶ୍ରମିକ ସହିତ ସମସ୍ତ ଗରିବ ଲୋକଙ୍କୁ ବର୍ଷ ତମାମ କାମ ଯୋଗାଇଦେବା, ଲକ୍ ଡାଉନ ଅବଧି ସମେତ ଆଗାମୀ ୨ ମାସ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କ ସମୂର୍ଣ୍ଣ ଛାଡ଼ କରିବା, ରାଜ୍ୟରେ ବନ୍ଦ ପଡିଥିବା ଚିନି କଳ, ଲୁଗା କଳ, ଝୋଟ କଳ ତଥା ବିଭିନ୍ନ ଶିଳ୍ପକୁ କାର୍ଯ୍ୟକ୍ଷମ କରାଯିବା, ସମସ୍ତ ସରକାରୀ, ବେସରକାରୀ ଶିକ୍ଷା ଅନୁଷ୍ଠାନରୁ ଛାତ୍ର ଛାତ୍ରୀଙ୍କ ସମସ୍ତ ଫିସ ଛାଡ଼ କରିବା ଆଦି ଦାବିରେ ପଦଯାତ୍ରା ସହର ପରିକ୍ରମା କରିବା ସହିତ ସ୍ଥାନୀୟ ଆରଡିସିଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା l

Advertisement