ବଲାଙ୍ଗୀର,୫। ୬ (ସୁନୀଲ ତ୍ରିପାଠୀ): ୨୦-୨୧ ଶିକ୍ଷା ବର୍ଷରୁ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ନାମଲେଖା ଆରମ୍ଭ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ଏପରିକି ଜୁନରୁ ପାଠପଢା ଆରମ୍ଭ ହେବ ବୋଲି ମଧ୍ୟ କୁହାଯାଇଥିଲା । ଦୁଃଖର କଥାଯେ, ରାଜ୍ୟ ସରକାର ଏଯାଏ ଏହି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି, କୁଳସଚିବ, ଆବଶ୍ୟକ ଅଧ୍ୟାପକ, ପ୍ରଫେସର ଓ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ଆଜି ସୁଦ୍ଧା ନିଯୁକ୍ତ କରିନାହାନ୍ତି । ଓଡିଶା ବିଶ୍ୱବିଦ୍ୟାଳୟ ଆଇନ-୧୯୮୯ ଅନୁସାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବଲାଙ୍ଗୀର ଓ ସୋନପୁର ଜିଲ୍ଲା ର ସମସ୍ତ ଡିଗ୍ରୀ କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନକୁ ଆସିବ ବୋଲି ସ୍ଥିର ହୋଇଥିଲା । ପୁଣି ୨୦୨୦ ମସିହା ଜୁନ ୧ ରୁ ଉକ୍ତ ଜିଲ୍ଲାରେ ଥିବା ଡିଗ୍ରୀ କଲେଜ ମାନ ଆଉ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ରହିବେ ନାହିଁ ବୋଲି ସ୍ଥିର ହୋଇଥିଲା । ବିଡମ୍ବନାର ବିଷୟ ଯେ ନିର୍ଦ୍ଧାରିତ ସମୟ ଗଡିଯାଇଥିଲେ ମଧ୍ୟ, ଏପର୍ୟ୍ୟନ୍ତ ସବୁ କିଛି କେବଳ ଚିଠି ଓ ଘୋଷଣା ରେ ସୀମିତ ଅଛି । ଏଣୁ ରାଜେନ୍ଦ୍ରବିଶ୍ୱବିଦ୍ୟାଳୟ ରେ ଚଳିତ ବର୍ଷ ନାମ ଲେଖା ନେଇ ଅନିଶ୍ଚିତତା ଦେଖାଦେଲାଣି । ଆଗାମୀ ଅଗଷ୍ଟ /ସେପ୍ଟେମ୍ବର ମାସରେ ବିଶ୍ୱବିଦ୍ୟାଳୟ ରେ ନାମ ଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷାକରିବାକୁ ଉଚ୍ଚ ଶିକ୍ଷାବିଭାଗ ଯୋଜନା କରି ୧୧ ଟି ବିଶ୍ୱବିଦ୍ୟାଳୟ କୁ ସେଥିରେ ସାମିଲ କରିଥିବାବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ନାମ ତହିଁରେ ନାହିଁ । ଅପର ପକ୍ଷରେ ଏହି ବିଶ୍ୱବିଦ୍ୟାଳୟର ବହୁ ପଛରେ, କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ରେ ପରିଣତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରୀ ହୋଇଛି, ଓ ସେଥିପାଇଁ କାର୍ୟ୍ୟ ଆରମ୍ଭ ହେଲାଣି । ଏପରିକି ଲକଡାଉନ ସତ୍ତ୍ୱେ ମଇ ୨୦ ରେ ଏହି ବିଶ୍ୱବିଦ୍ୟାଳୟ ପାଇଁ କୁଳ ସଚିବ, ବିତ୍ତ ନିୟନ୍ତ୍ରକ ନିଯୁକ୍ତ କଲେଣି, ଓ କୁଳପତି ନିଯୁକ୍ତ ପାଇଁ ମଇ ୩୦ ତାରିଖ ରେ ଜଣେ ପ୍ରଫେସର ଙ୍କ ନାମ ସୁପାରିଶ ପାଇଁ ସମ୍ବଲପୁର, ଉତ୍କଳ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳ ସଚିବ ମାନଙ୍କୁ କୁହାଯାଇଛି । ଏସବୁ କୁ ଦେଖିଲେ ମନେହୁଏ ବଲାଙ୍ଗୀର କୁ ଓ ବଲାଙ୍ଗୀର ର ଶିକ୍ଷା ବ୍ୟବସ୍ଥାକୁ ବାରମ୍ବାର ପ୍ରତାରଣା କରିବା ବୋଧହୁଏ ଓଡିଶା ସରକାର ଙ୍କ ଏକ ଅଦୃଶ୍ୟ ଅଟେ ।


















