Friday, November 6, 2026
ADVERTISEMENT
Home ଆଞ୍ଚଳିକ ସରକାରୀ ସହାୟତା ହିଁ କଳାକାରଙ୍କ ଜୀବନ ନାଟିକା : ଲୋକ କଳା ନିର୍ଦ୍ଦେଶକ ସଂଘ

ସରକାରୀ ସହାୟତା ହିଁ କଳାକାରଙ୍କ ଜୀବନ ନାଟିକା : ଲୋକ କଳା ନିର୍ଦ୍ଦେଶକ ସଂଘ

403
ADVERTISEMENT

ବ୍ରହ୍ମପୁର, ୩।୬ (ବ୍ୟୁରୋ): ବିଶ୍ୱତ୍ରାସୀ କରୋନା ମହାମାରୀର ଆତଙ୍କ ଓ ତାହାର ପ୍ରତିକାର ସ୍ୱରୂପ ସରକାରଙ୍କ ଲକ୍ ଡାଉନ୍ ବ୍ୟବସ୍ଥା ଆଜି କଳାକାର ସମାଜର ମେରୁଦଣ୍ଡ ଭାଙ୍ଗି ଦେଇଛି । କଳାକୁ ପେଷା କରି ପରିବାର ପୋଷଣ କରୁଥିବା ଅଧିକାଂଶ କଳାକାରଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଲାଣି । କେତେକ ନିଜ ବେଉସାର ସାଧନ ବାଦ୍ୟଯନ୍ତ୍ର ବିକ୍ରି କଲେଣି ତ କେତେକ ନିଜ ଜମିବାଡ଼ି, ଘରଦ୍ୱାର ବନ୍ଧକ, ବିକ୍ରିବଟା ଆରମ୍ଭ କଲେଣି । ସଂପ୍ରତି ଏହି ସ୍ଵାଭିମାନୀ କଳାକାର ଅନନ୍ୟୋପାୟ ଭାବରେ ସରକାରଙ୍କ ନିକଟରେ ବାଧ୍ୟ ହୋଇ ହାତ ପାତି ଛିଡ଼ା ହୋଇଛି । କହିବାକୁ ଗଲେ ସରକାରୀ ସହାୟତା ଉପରେ ହିଁ କଳାକାରମାନଙ୍କ ଜୀବନ ନାଟିକା ସମାହିତ ବୋଲି ମା’ କୁରେଇଶୁଣୀ ଲୋକ କଳା ନିର୍ଦ୍ଦେଶକ ସଂଘ ମତବ୍ୟକ୍ତ କରିଛି । ବ୍ରହ୍ମପୁର ସହର ଉପକଣ୍ଠ ଘଟିକାଳୁଆ ବିଶ୍ଵକର୍ମା ମନ୍ଦିର ପରିସରରେ ସାମାଜିକ ଦୂରତ୍ବ ରକ୍ଷା ସହ ସଂଘ ସଭାପତି ଜି. ରାଜେନ୍ଦ୍ର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ଉପଦେଷ୍ଟା ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଓ ନୃତ୍ୟାଚାର୍ୟ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ତଥ୍ୟ ସରକାରଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିର୍ଦ୍ଦେଶକ ଭଗବାନ ସାହୁଙ୍କ ଦିବଂଗତ ଆତ୍ମାର ସଦ୍ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ରୋଗଶଯ୍ୟାରେ ପୀଡ଼ିତ ସୁନାମଧନ୍ୟ ବର୍ଷୀୟାନ ଲୋକ ନାଟକ ନିର୍ଦ୍ଦେଶକ ଉଦୟନାଥ ମହାରଣା ଏବଂ ଶଙ୍କର୍ଷଣ ବେହେରାଙ୍କ ଆଶୁ ଆରୋଗ୍ୟ ନିମନ୍ତେ ସମୂହ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭରେ ସଂଘ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ସ୍ଵାଗତ ଭାଷଣ ଭିତରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ୟ୍ୟକ୍ରମ ପରିଚାଳନା କ୍ଷେତ୍ରରେ ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ଗୋପାଳ ସେଠୀ, ବନଜ କୁମାର ସାହୁ, ସନାତନ ନାୟକ, ଧର୍ମରାଜ ସ୍ୱାଇଁ, ସୁଦାମ ପ୍ରଧାନ, ରାମ ଚନ୍ଦ୍ର ପ୍ରଧାନ, ମୋହନ ପାତ୍ର, ଗଜେନ୍ଦ୍ର ସ୍ୱାଇଁ, ପଙ୍କଜ କୁଣ୍ଡ, ଭୀମସେନ ବିନ୍ଧାଣୀ ପ୍ରମୁଖ ନାଟ୍ୟ ନିର୍ଦ୍ଦେଶକ ମାନେ ସହଯୋଗ କରିଥିବା ବେଳେ ପରିଶେଷରେ ସଙ୍ଗୀତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement