ମାଲକାନଗିରି,୮/୭(ଡି.ଏଚ.ବି) : ପିଲାଙ୍କ ପେଟରୁ କାଟି ନିଜ ପକେଟରେ ଭର୍ତି କରୁଥିଲେ। ଦିନ, ସମୟ କିଛି ଦେଖି ନଥିଲେ। ଆଖି ବୁଜି କରି ଚାଲିଥିଲେ ଦୁର୍ନୀତି। ଏମିତି ଖାଇଲେ ଯେ ସରକାରୀ ରିପୋର୍ଟରେ ବି ଲୁଚାଇବା ପାଇଁ ଭୁଲିଗଲେ। ମାଲକାନଗିରି ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ପ୍ରଦାନରେ ଏମିତି ବଡ଼ ଧରଣର ବାଟମାରଣା ପଦାକୁ ଆସିଛି। ଖୋଳତାଡ଼ କଲେ ଆହୁରି ସାଂଘାତିକ ତଥ୍ୟ ଆସିବ ବୋଲି ମଧ୍ୟ କୁହାଯାଉଛି । ଯାହାକି ଏବେ ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ପାଲଟିଛି। ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବାରେ ସହାୟକ ହୋଇଛି ମଧ୍ୟାହ୍ନ ଭୋଜନ ଯୋଜନା । କିନ୍ତୁ ଏହି ଯୋଜନାକୁ ନେଇ ନିୟମିତ ଭାବେ ଅନେକ ଅଭିଯୋଗ ଉଠେ। ପରିଚାଳନା କରିବାକୁ ନେଇ ବିବାଦ ବି ହୁଏ। କେତେବେଳେ ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ବହୁ ସମୟରେ ଏହି ଯୋଜନାର ପରିଚାଳନାକୁ ଶିକ୍ଷକ କଥା ଏସ୍ଏଚ୍ଜିଗୁଡ଼ିକ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ । ତାହାରି ମଧ୍ୟରେ ମାଲକାନଗିରି ଜିଲ୍ଲାରେ କେମିତି ଚାଲିଛି ଏହି ଯୋଜନା ତାହା ସରକାରୀ ରିପୋର୍ଟ ଦେଖିବା ପରେ ସମସ୍ତଙ୍କୁ ଚକିତ କରିଛି। ଛୁଟି ଦିନକୁ ବାଦ ଦେଇ ଅନ୍ୟ ଦିନ ମଧ୍ୟାହ୍ନ ଭୋଜନ ଦେବାକୁ ସରକାର ଘୋଷଣା କରିଛନ୍ତି। କେଉଁ ଦିନ କ’ଣ ଦିଆଯିବ ତାହାର ବି ତାଲିକା ରହିଛି । ହେଲେ ମାଲକାନଗିରି ଜିଲ୍ଲାରେ ଛୁଟି ଦିନରେ ବି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ସୁଚନା ଅନୁଯାୟୀ, ଖଇରପୁଟ ବ୍ଲକ ଅନ୍ତର୍ଗତ ବାଲିକୁଣ୍ଡ ପ୍ରାଥମିକ ବିଦ୍ୟାଳୟରେ ୧୯ଜଣ ପିଲା ପାଠ ପଢ଼ୁଛନ୍ତି। ନିୟମିତ ଭାବେ ସବୁ ପିଲା ସ୍କୁଲକୁ ଆସୁଥିବା ନେଇ ବିଦ୍ୟାଳୟ କର୍ତୃପକ୍ଷ ଦର୍ଶାଉଛନ୍ତି। ସବୁ ପିଲା ମଧ୍ୟାହ୍ନ ଭୋଜନ ଖାଉଥିବା ନେଇ ବି ସରକାରଙ୍କ ସ୍ବତନ୍ତ୍ର ଆପ୍ ଜରିଆରେ ସ୍କୁଲ କର୍ତୃପକ୍ଷ ରିପୋର୍ଟ ଦେଉଛନ୍ତି। ତେବେ ଗତ ମାସ ୩୦ତାରିଖ ରବିବାର ହୋଇଥିବା ବେଳେ ସେହିଦିନ ବି ପିଲା ମଧ୍ୟାହ୍ନ ଭୋଜନ ଖାଇଥିବା ରିପୋର୍ଟ ଦିଆଯାଇଛି। ଛୁଟି ଦିନ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ବନ୍ଦ ରହୁଥିବା ବେଳେ କେମିତି ଦିଆଗଲା ତାହାର ସ୍ପଷ୍ଟ ଉତ୍ତର କେହି ଦେଉ ନାହାନ୍ତି। ବିଦ୍ୟାଳୟର ନିଜସ୍ବ କୋଠା ନ ଥିବାରୁ ପରିଚାଳନା କମିଟି ଅଧ୍ୟକ୍ଷଙ୍କ ଭଙ୍ଗା ଘରେ ଶିକ୍ଷାଦାନ ହେଉଛି। ଏଥିପାଇଁ ପ୍ରଧାନ ଶିକ୍ଷକଙ୍କ ସହ ଜଣେ ସହକାରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ମଧ୍ୟାହ୍ନ ଭୋଜନରେ ଅନିୟମିତତା ନେଇ ପ୍ରଧାନ ଶିକ୍ଷକ ରଂଜନ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିବାକୁ ଏହି ବିଷୟରେ ସେ କିଛି ଜାଣି ନଥିବା କହିଥିଲେ। ପୁଣି ଏହି ଅଞ୍ଚଳରେ ଇଣ୍ଟରନେଟ୍ ନାହିଁ। ପ୍ରଧାନ ଶିକ୍ଷକ ମଧ୍ୟ କୌଣସି ସ୍ମାର୍ଟ ଫୋନ ବ୍ୟବହାର କରୁ ନଥିବା ପ୍ରକାଶ କରିଛନ୍ତି। ତେଣୁ କେମିତି ମଧ୍ୟାହ୍ନ ଭୋଜନ ରିପୋର୍ଟ ଦିଆଗଲା ସେହି ବିଷୟରେ ସେ ସଂପୂର୍ଣ୍ଣ ଅଜ୍ଞ ଥିବା କହିଛନ୍ତି। ଯଦି ପ୍ରଧାନ ଶିକ୍ଷକ ଏହି ତଥ୍ୟ ଦେଇ ନାହାନ୍ତି, ଏମିତି ରିପୋର୍ଟ ସରକାରଙ୍କୁ କିଏ ଦେଲା ବୋଲି ଏବେ ପ୍ରଶ୍ନ ଉଠୁଛି। ସେହିପରି ଆପ୍ ଜରିଆରେ ଦିଆଯାଉଥିବା ତଥ୍ୟକୁ ନେଇ ଡାଟା ଏଣ୍ଟ୍ରି ଅପରେଟର ସରକାରୀ ରିପୋର୍ଟ ପ୍ରସ୍ତୁତ କରନ୍ତି। ସେ ମଧ୍ୟ ୩୦ତାରିଖ ରବିବାର ବୋଲି କେମିତି ଜାଣିପାରିଲେ ନାହିଁ। ଅନ୍ୟପଟେ ୧୯ଜଣ ପିଲା କ’ଣ ସବୁ ଦିନ ବିଦ୍ୟାଳୟକୁ ଯାଉଛନ୍ତି? ବିଭାଗୀୟ ଅଧିକାରୀ ନିୟମିତ ନିରୀକ୍ଷଣ ପାଇଁ ବିଦ୍ୟାଳୟକୁ ଯାଉ ନଥିବାରୁ ଏମିତି ଘଟଣା ଘଟିଥିବା କୁହାଯାଉଛି। ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ଶଶି ଭୂଷଣ ମିଶ୍ରଙ୍କୁ ପଚରିବାରୁ ଅନିୟମିତତାର ତଦନ୍ତ କରାଯିବ; କେଉଁ ସ୍ତରରେ ଭୁଲ ରହିଲା ତାହାର ଯାଞ୍ଚ କରାଯିବ ବୋଲି ପ୍ରକାଶ କରିଛନ୍ତି।