Monday, September 21, 2026
ADVERTISEMENT
Home ମୁଖ୍ୟ ଖବର ନଈରେ ବହୁଛି ନୀଳ ଜହର : ୧୬ ନଦୀ ସ˚ପୂର୍ଣ୍ଣ ପ୍ରଦୂଷିତ;

ନଈରେ ବହୁଛି ନୀଳ ଜହର : ୧୬ ନଦୀ ସ˚ପୂର୍ଣ୍ଣ ପ୍ରଦୂଷିତ;

357
ADVERTISEMENT

ଭୁବନେଶ୍ବର,୮/୭(ଡି.ଏଚ.ବି) : ‘ନମାମୀ ‌ଗଙ୍ଗେ’ ଯୋଜନାରେ ମହାନଦୀର ସଫେଇ ହେବ। ମହାନଦୀକୁ ବି ଗଙ୍ଗା ଭଳି ପ୍ରଦୂଷଣ ମୁକ୍ତ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦରେ କହିଥିଲେ। ଏହାପରେ ମହାନଦୀ ଅବବାହିକାରେ ରହୁଥିବା ଲୋକଙ୍କ ମଧ୍ୟରେ ବିଶୁଦ୍ଧ ପାଣି ପାଇବାର ଆଶା ସଞ୍ଚରି ଉଠିଛି। କିନ୍ତୁ ଓଡ଼ିଶାରେ ଯେ କେବଳ ମହାନଦୀ ପ୍ରଦୂଷିତ ତାହା ନୁହେଁ; ରାଜ୍ୟରେ ଆଉ ୧୬ଟି ନଦୀର ପାଣି ବି ବ୍ୟବହାର ଉପଯୋଗୀ ନୁହେଁ। ଏଥି‌େର ମହାନଦୀର ସମସ୍ତ ଶାଖା ନଦୀ, ଉପନଦୀ ସମେତ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ଖରସ୍ରୋତା ଭଳି ନଦୀ ରହିଥିବା ଓଡ଼ିଶା ଜଳ ଯୋଗାଣ ଏବ˚ ସ୍ବେରେଜ୍‌ ବୋର୍ଡ ରିପୋର୍ଟ କହୁଛି। ସ୍ବେରେଜ୍ ବୋର୍ଡ ବର୍ଜ୍ୟ ଜଳ ପରିଚାଳନା କରିବା ଏବଂ ବିଶୋଧନ କରିବା ପାଇଁ ଗଠନ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ବି ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ହୋଇପାରି ନ ଥିବାରୁ ସାରା ଓଡ଼ିଶାର ସମସ୍ତ ସହରାଞ୍ଚଳର ବର୍ଜ୍ୟ ଜଳ ନଦୀରେ ମିଶୁଛି। ଯାହା ନଦୀ ପ୍ରଦୂଷଣର ମୁଖ୍ୟ କାରଣ । କେତେକ ଅଞ୍ଚଳରେ ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନଙ୍କ ବର୍ଜ୍ୟ ସାମଗ୍ରୀ ଓ ଜଳକୁ ସିଧା ନଦୀରେ ଛାଡ଼ୁଥିବାରୁ ଏହାଦ୍ବାରା ପାଣି ଦୂଷିତ ହେଉଥିଲେ ହେଁ ଯେଉଁଠି ଶିଳ୍ପ ନାହିଁ ସେଠାରେ ଆବାସିକ ଘର ଏବଂ ବିଭିନ୍ନ ପ୍ରତିଷ୍ଠାନର ବର୍ଜ୍ୟ ଜଳ ହିଁ ନଈକୁ ଦୂଷିତ କରୁଛି । ସ୍ଥିତି ଏପରି ହୋଇଛି ଯେ, ରାଜ୍ୟର ସବୁ ନଦୀରେ ଏବେ ଜହର ବହୁଛି। ନଦୀଜଳ ବିଷାକ୍ତ ହୋଇଯାଇଥିବାରୁ ଯିଏ ଏହାକୁ ବ୍ୟବହାର କରିବ ସେ ଧୀରେ ଧୀରେ ଏହାଦ୍ବାରା ପ୍ରଭାବିତ ହେବ। ଗାଧେଇଲେ ଚର୍ମ କର୍କଟ ହେବାର ଆଶଙ୍କା ବି ରହିଛି। ବିନା ବିଶୋଧନରେ ପିଇଲେ ଡାଏରିଆ, କିଡନି ଓ ଲିଭର ନଷ୍ଟ ହେବାର ଆଶଙ୍କା ରହିଛି।

Advertisement