ବ୍ରହ୍ମପୁର ,୨।୫(ଡ଼ି ଏଚ) : ଗଂଜାମ-ଗଜପତି ଜିଲାର ବିଶିଷ୍ଠ ଶିକ୍ଷକ ନେତା,ଓଷ୍ଟାର ଗଂଜାମର ପୂର୍ବତନ ସଂପାଦକ ତଥା ଓଷ୍ଟାର ଉପସଭାପତି ସ୍ବର୍ଗତ ଗୋବିନ୍ଦ ଦାଶଙ୍କର ଦ୍ବାଦଶାହ ଅବସରରେ ଓଷ୍ଟାର ପୂର୍ବତନ ଓ ବର୍ତମାନର କିଛି କର୍ମକର୍ତ୍ତାଙ୍କ ପ୍ରଚେଷ୍ଟାରେ ତାଙ୍କର ସ୍ମୃତି ଚାରଣ କରାଯାଇ ଏକ ସ୍ମରଣିକା ଉନ୍ମୋଚନ କରାଯାଇଛି । ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ରାଜେନ୍ଦ୍ର କୁମାର ଜେନା,ବରିଷ୍ଠ ସାମ୍ବାଦିକ ତଥା ନବୀନ ସଂପାଦକ ରବି ରଥ ଉପସ୍ଥିତ ରହି ସାମାଜିକ ଦୂରତା ପାଳନ କରି ସ୍ମରଣିକା ଉନ୍ମୋଚନ କରିଥିଲେ । ଓଷ୍ଟାର ପୂର୍ବତନ ଉପସଭାପତି ଅରୁଣ କୁମାର ପାତ୍ରଙ୍କ ଦ୍ବାରା ପରିଚାଳିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଓଷ୍ଟା ଗଂଜାମର ପୂର୍ବତନ ସଂପାଦକ କାମରାଜୁ ମହାରଣା ସ୍ମରଣିକା ପ୍ରକାଶନ ଉପରେ ବିବରଣୀ ପ୍ରଦାନ କରିଥିଲେ।ସ୍ବର୍ଗତ ଦାଶଙ୍କ ଜାମାତା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ବନମାଳୀ ପାଣିଗ୍ରହୀଙ୍କ ସମେତ ଗୋବିନ୍ଦ ସାହୁ,ରାଜେନ୍ଦ୍ର ପଣ୍ଡା,ଶ୍ୟାମସୁନ୍ଦର ଖାଡଙ୍ଗା ,ମୃତ୍ୟୁଞ୍ଜୟ ତ୍ରିପାଠୀ ,ଦେବହରି ମହାନ୍ତି, ପ୍ରଭାତ କୁମାର ଜେନା,ସୁରେଶ ଚନ୍ଦ୍ର ମହାପାତ୍ର,ଭଗବାନ ପଣ୍ଡା,ପଲ୍ଲବ କୁମାର ଦାଶ,ରାଜେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ସ୍ବର୍ଗତ ଦାଶଙ୍କର ସାଂଗଠନିକ ଦକ୍ଷତା,ଶିକ୍ଷକ ସମାଜର ଉନ୍ନତି କଳ୍ପେ ଅବିରତ ସଂଗ୍ରାମ ଓ ତାଙ୍କ ସହିତ ନିଜନିଜର ସଂପର୍କ ଉପରେ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ଗୋବିନ୍ଦ ଦାଶ ସ୍ମୃତି ଟ୍ରଷ୍ଟ ଗଠନ କରି ପ୍ରତିବର୍ଷ ଜଣେ ବିଶିଷ୍ଟ ଶିକ୍ଷାବିତଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା।



















