ଗଜପତି,୨୯।୪(ପ୍ରଭାତ ପାତ୍ର ): ଆନ୍ଧ୍ର ସୀମାରେ ପାରଳାଖେମୁଣ୍ଡି ଠାରୁ ମାତ୍ର ତିନି କିଲୋମିଟର ଦୂରରେ ପାତପାଟନମ ଠାରେ ତିନୋଟି ପୋଜିଟିଭ ଚିହ୍ନଟ ପରେ ପାତପାଟନମ ମଣ୍ଡଳର ୧୩ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଆନ୍ଧ୍ର ପ୍ରଶାସନ। ତେବେ କିଛି ଗଳାବାଟ ଦେଇ ଓଡ଼ିଶା ସୀମାକୁ ଅନେକ ଲୋକ ଚାଲି ଆସୁଥିବା ଦେଖି ଗଜପତି ପ୍ରଶାସନ ବିଭିନ୍ନ ପାଦଚଲା ରାସ୍ତାକୁ ଜେସିବି ସାହାଯ୍ୟରେ ଖୋଳି ସମ୍ପୂର୍ଣ୍ଣ ବିଛିନ୍ନ କରିଛି। ଇତି ମଧ୍ୟରେ ଗତକାଲି ଶ୍ରୀକାକୁଲମ ଜିଲ୍ଲା କୋତୁରୁ ମଣ୍ଡଳର ଆଳତି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ କଷ୍ଟରେ ଖାଲ ଦେଇ ପାର କରାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଦୁଇ କିଲୋମିଟର କମ ରାସ୍ତା ହୋଇଥିବାରୁ ଉକ୍ତ ରାସ୍ତା ଦେଇ ଗର୍ଭବତୀଙ୍କୁ କୋତୁରୁ ଚିକିତ୍ସାଳୟକୁ ନିଆଯାଉଥିଲା। ତେବେ ଆନ୍ଧ୍ର ପ୍ରଶାସନ ସହ ଗଜପତି ଜିଲ୍ଲା ପ୍ରଶାସନ ଆଲୋଚନା ପରେ ଏହି ରାସ୍ତାକୁ ସଜାଡି ଦିଆଗଲା। ତେବେ ଉକ୍ତ ଗ୍ରାମ ଠାରୁ ଆନ୍ଧ୍ର ସୀମାରେ ରାସ୍ତା ଥିବା ସତ୍ତ୍ବେ ଓଡ଼ିଶା ମଧ୍ୟ ଦେଇ ଆସିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏହାକୁ ଓଡ଼ିଶାର ହୀନ ପ୍ରୟାସ ବୋଲି ଆନ୍ଧ୍ର ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି। କିନ୍ତୁ ପୁର୍ବରୁ ଵେଆଇନ ଭାବରେ ଗଳାବାଟ ଦେଇ ପ୍ରୟାସ କରି ଶତାଧିକ ଲୋକ ପୋଲିସ କ୍ୱାରାଣ୍ଟାଇନ ଯିବାର ନଜିର ରହିଛି, ଏବେବି ରେଡ ଯୋନରୁ ସମାନ ଭାବରେ ପସି ଆସୁଛନ୍ତି। ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ।


















