୫ ଦିନ ଧରି ନାବାଳିକାକୁ ଦୁଷ୍କର୍ମ, ନିଶା ଦେଇ ପିଉସୀ କରିଥିଲେ ଅପହରଣ

176
ADVERTISEMENT

ରାଜନଗର ,୬/୭ (ଡି.ଏଚ.ବି) : ପ୍ରଥମେ ନିଶା ଦେଇ ଅପହରଣ! ପରେ ବାଲେଶ୍ବରର ଏକ ବନ୍ଦ କୋଠରୀରେ ୫ ଦିନ ଧରି ଦୁଷ୍କର୍ମ!! ଏହିଭଳି ଏକ ଅମାନୁଷିକତାର ଶିକାର ହୋଇଛନ୍ତି କେନ୍ଦ୍ରାପଡ଼ା ଅନ୍ତର୍ଗତ ରାଜନଗର ଅଞ୍ଚଳର ଜଣେ ନାବାଳିକା । ତାଙ୍କୁ ବାଲେଶ୍ବରର ଏକ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଜଣେ ମହିଳା ଉଦ୍ଧାରରେ ସହାୟତା କରିଥିବାବେଳେ ଅନ୍ୟ ଜଣେ ମହିଳା ଘଟଣା ସହିତ ସମ୍ପୃକ୍ତ। ଏହି ମହିଳା ଜଣଙ୍କ ନବାଳିକାଙ୍କ ସମ୍ପର୍କୀୟ ପିଉସୀ ବୋଲି ଜଣାପଡ଼ିଛି। ପୁଲିସ ଅପହରଣକାରୀ ମହିଳା ଓ ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟା ପିଉସୀ ଜୁନ ୩୦ ତାରିଖ ଦିନ ତାଳଚୁଆ ବଜାର ଯିବା କହି ଦିନ ପ୍ରାୟ ୮ଟାରେ ଡାକି ନେଇଥିଲେ। ବଜାର ଯିବା ବାଟରେ ତାରିଣୀ ଛକ ନିକଟରେ ଏକ ନିଶାମିଶା ଚକୋଲେଟ ଖାଇବାକୁ ଦେଇଥିଲେ। ଏହା ଖାଇବା ପରେ ନାବାଳିକା କିଛି ଜାଣିପାରି ନ ଥିଲେ। ମହିଳା ଜଣଙ୍କ ନାବାଳିକାଙ୍କୁ ତାଳଚୁଆ ଘାଟପାର କରାଇ କାରନାଳିରେ ପହଞ୍ଚି ଥିଲେ। ଧାମରା ସାମୁଦ୍ରିକ ଥାନା ଅଞ୍ଚଳର ଝାଡକଟା ଗାଁର ଧ୍ରୁବ ଚରଣ ସିଂ ତାଙ୍କ ବାଇକରେ ନାବାଳିକା ଓ ତାଙ୍କ ସମ୍ପର୍କୀୟା ପିଉସୀଙ୍କୁ ନେଇ ବାଲେଶ୍ବର ଯାଇଥିଲେ। ବାଲେଶ୍ବରର ମୋତିଗଞ୍ଜରେ ପିଉସୀ ନେଇଥିବା ଭଡ଼ାଘରେ ତିନି ଜଣ ରହିଥିଲେ। ଗୁରୁବାର ଦିନ ପ୍ରାୟ ୪ଟାରେ ମୋତିଗଞ୍ଜ ଗାଁର ସଂଜୟ କୁମାର ଦେଙ୍କ ପତ୍ନୀ ସବିତାରାଣୀ ତାଙ୍କ ଛୋଟ ପୁଅ ସହ ଖେଳୁଥିବାବେଳେ ବନ୍ଦ ଘରୁ ଚିତ୍କାର ଶୁଣି ଥିଲେ। ନାବାଳିକାର ବଞ୍ଚାଓ , ବଞ୍ଚାଓ … ଚିତ୍କାର ଶୁଣି ସବିତାରାଣୀ ବନ୍ଦ ଘର ନିକଟକୁ ଯାଇ ଡାକିଥିଲେ। ପାଟିଶୁଣି ଝରକା ପଟେ ନାବାଳିକା ହାତ ଗଳାଇ ସବିତାରାଣୀଙ୍କ ଶାଢୀ ଧରି ଉଦ୍ଧାର ପାଇଁ ନିବେଦନ କରିଥିଲେ। ଘର ଭିତରେ ଥିବା ପିଉସୀ ଓ ଧ୍ରୁବ ନାବାଳିକାଙ୍କୁ ଝରକା ନିକଟରୁ ଟାଣିନେଇ ମାଡ଼ ମାରି ଚେତାଶୂନ୍ୟ କରି ଫୋପାଡି ଦେଇଥିଲେ। ସବିତାରାଣୀ ଗ୍ରାମବାସୀଙ୍କୁ ଡାକି ଘରର କବାଟ ଓ ଝରକା ଭାଙ୍ଗି ଘର ଭିତରୁ ଚେତାଶୂନ୍ୟ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଗ୍ରାମବାସୀ ଅପହରଣକାରୀ ମହିଳା ଓ ଦୁଷ୍କର୍ମକାରୀ ଧ୍ରୁବଙ୍କୁ କାବୁ କରି ନେଇଥିଲେ। ସେଠାରୁ ୫ଶହ ମିଟର ଦୂରରେ ଥିବା ବାଲେଶ୍ବର ଟାଉନ ଥାନାରେ ନାବାଳିକା ସହ ୩ ଜଣଙ୍କୁ ଜିମା ଦେଇଥିଲେ। ଏ ସଂପର୍କରେ ଖବରପାଇ ନାବାଳିକାର ପରିବାର ଲୋକେ ଓ ତାଳଚୁଆ ସାମୁଦ୍ରିକ ଥାନା ପୁଲିସ ବାଲେଶ୍ବରରେ ପହଞ୍ଚିଥିଲେ। ଆଜି ସକାଳୁ ୨ ଅଭିଯୁକ୍ତଙ୍କ ସହ ନାବାଳିକାଙ୍କୁ ପୁଲିସ ଧରି ଫେରିଛି। ନାବାଳିକାର ବାପା ଗତକାଲି ତାଳଚୁଆ ସାମୁଦ୍ରିକ ଥାନାରେ ଝିଅକୁ ଅପହରଣ କରାଯାଇଥିବା ନେଇ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ ହୋଇଛି। ଏସଡିପିଓ ରଂଜନ କୁମାର ଦେ କହିଛନ୍ତି ଯେ, ନାବାଳିକାଙ୍କୁ ଅପହରଣ କରି ବାଲେଶ୍ବର ନିଆଯାଇଥିଲା। ସେଠାରୁ ତାକୁ ଉଦ୍ଧାର କରାଯାଇଛି। ତାକୁ ୫ ଦିନ ଧରି ବାରମ୍ବାର ଦୁଷ୍କର୍ମ କରାଯାଇଥିବା ନେଇ ନିଜେ ପୀଡ଼ିତା ଓ ତାର ପରିବାର ଲୋକ କହୁଛନ୍ତି।

Advertisement