ବ୍ରହ୍ମପୁର,୨୪/୪(ସପନ ଦାଶ):ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ କଂଗ୍ରେସ (ଏ ଆଇ ଟି ୟୁ ସି ) ଅନୁବନ୍ଧିତ ନିଖିଳ ଓଡ଼ିଶା ଏମ୍ ଡି ଏମ୍ ପାଚିକା ମହାସଂଘ ରାଜ୍ୟ ସମ୍ପାଦିକା ତଥା ଗଞ୍ଜାମ ଜିଲ୍ଲା ସମ୍ପାଦିକା ଶ୍ରୀମତୀ ପି ରେଣୁକା ଦୋରା ଗତ ବୁଧବାର ଦିନ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଚାରି ଦିନ ପୂର୍ବରୁ ମ୍ୟାଲେରିଆରେ ଆକ୍ରାନ୍ତ ଥିବା ସ୍ବର୍ଗତ ଦୋରାଙ୍କ ଅବସ୍ଥା ବ୍ରେନ୍ ମ୍ୟାଲେରିଆକୁ ଗତି କରିଥିଲା ।ମୃତ୍ୟୁ ବେଳକୁ ୪୮ ବର୍ଷୀୟା ଥିବା ରେଣୁକା ଅଞ୍ଚଳର ଜଣେ ପ୍ରମୁଖ ମହିଳା କମ୍ୟୁନିଷ୍ଟ କର୍ମୀ ଥିବା ସହ ଜିଲ୍ଲା ପାଚିକା ସଂଘ ଓ ନିଖିଳ ଓଡ଼ିଶା ପାଚିକା ମହାସଂଘର ରାଜ୍ୟ ସମ୍ପାଦିକା ଭାବେ କାର୍ଯ୍ୟ କରୁଥିଲେ ।ନିଜର ସାଙ୍ଗଠନିକ କାର୍ଯ୍ୟ ଦକ୍ଷତା ଏବଂ ଦୁରଦୃଷ୍ଟି ସମ୍ପନ୍ନ ବକ୍ତବ୍ୟ ପ୍ରଦାନ ଦ୍ଵାରା ପାଚିକା କର୍ମୀଙ୍କୁ ଏକତ୍ରିତ କରି ସଂଗଠନକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଏକଦା କମ୍ୟୁନିଷ୍ଟ ଦୁର୍ଗ ଥିବା ଗୌତମୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ପ୍ରିୟ ନାରୀନେତ୍ରୀଙ୍କୁ ଶେଷ ଦର୍ଶନ କରିବାକୁ ବହୁ ସିପିଆଇ ନେତୃବୃଦଙ୍କ ସହ ଏ ଆଇ ଟି ୟୁ ସି କାର୍ଯ୍ୟକର୍ତ୍ତା ସ୍ବର୍ଗତ ରେଣୁକା ଙ୍କ ନିଜ ଗ୍ରାମ ଭୁଡୁକିରେ ପହଞ୍ଚିବା ସହ କରୋନା ଜନିତ ସାମାଜିକ ଦୂରତା ଓ ମାସ୍କ୍ ବ୍ୟବହାର କରି ଦଳ ଓ ସଂଗଠନ ପକ୍ଷରୁ ଶେଷ ସମ୍ମାନ ପ୍ରଦାନ କରିଥିଲେ ।
ସିପିଆଇ ସାନଖେମୁଣ୍ଡି ଜୋନ୍ ସମ୍ପାଦକ କୈଳାସ ପାତ୍ର,ଜିଲ୍ଲା ଉପସଭାପତି ଅଳକ ମିଶ୍ର ,ଜିଲ୍ଲା ପାଚିକା ସଂଘ ସଭାପତି ରାଜେନ୍ଦ୍ର ଦାଶ, ଗୌତମୀ ସରପଞ୍ଚ ସୁଶାନ୍ତ ସ୍ୱାଇଁ,ସଂଗଠକ ପ୍ରସନ୍ନ ରାଉତ ପ୍ରମୁଖ ମୃତଶରୀର ରେ ସଂଗଠନ ପତାକା ଆଚ୍ଛାଦିତ କରିବା ସହିତ ପୁଷ୍ପମାଲ୍ୟ ପ୍ରଦାନ କରି ଶେଷ ସମ୍ମାନ ପ୍ରଦାନ କରିଥିଲେ। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ସ୍ବର୍ଗତ ଆତ୍ମାର ସଦଗତି ପ୍ରାର୍ଥନା କରିଥିଲେ ।


















