ଆଜି ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ମାସିକିଆ ରିପୋର୍ଟ ପ୍ରଦାନ କରିବେ

162
ADVERTISEMENT

ଭୁବନେଶ୍ବର, ୬/୭ (ଡି.ଏଚ.ବି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଶପଥ ନେବାର ପ୍ରଥମ କ୍ୟାବିନେଟ ବୈଠକରେ ପ୍ରତି ମାସର ସପ୍ତମ ଦିନରେ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତା ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ସବୁ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ମାସିକିଆ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ଜୁଲାଇ ୭ ତାରିଖ ରବିବାର ପଡ଼ୁଥିବାରୁ ୬ ତାରିଖରେ ହିଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କଠୁ ରିପୋର୍ଟ ନେବା ପାଇଁ ସ୍ଥିର କରାଯାଇଛି।

ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ନିର୍ବାଚନୀ ଇସ୍ତାହାରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିସୃତି ଅନୁଯାୟୀ କେତେ ଅଗ୍ରଗତି ହୋଇଛି ସେ ନେଇ ସମୀକ୍ଷା କରାଯାଇଛି। କଳାହାଣ୍ଡିରେ ବିଜୁ ଏକ୍ସପ୍ରେସ୍ ଏବେ କାମର ଅଗ୍ରଗତି ନେଇ ସେ ମଧ୍ୟ ସମୀକ୍ଷା କରିବାକୁ କଳାହାଣ୍ଡି ଗସ୍ତ କରିଛନ୍ତି। ସେହିପରି କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚିଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଦୁଇଟି ବିଭାଗର ଅଗ୍ରଗତି ରିପୋର୍ଟ ପ୍ରସ୍ତୁତ ହୋଇସାରିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, ପ୍ରତିମାସର ସପ୍ତମ ଦିନ ପୂର୍ବରୁ ରିପୋର୍ଟ ପ୍ରଦାନ କରିବାକୁ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ସେ ତାଙ୍କ ପାଖରେ ଥିବା ଦୁଇଟି ବିଭାଗ ପର୍ଯ୍ୟଟନ ସହିତ ସଂସ୍କୃତି ବିଭାଗର ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତି କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସମସ୍ତଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଓ ଡାକ୍ତରମାନଙ୍କର ଅବସରକାଳୀନ ବୟସସୀମା ୬୮ରୁ ୭୦ ବର୍ଷକୁ ବୃଦ୍ଧି ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ସହିତ ଡାକ୍ତର ନିଯୁକ୍ତି, ଭୁବନେଶ୍ବର ଏମ୍‌ସରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଚିକିତ୍ସା ସୁବିଧା ମିଳିବା ନେଇ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏସବୁର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ବିଭାଗରେ ସଂସ୍କାର ପାଇଁ ନିଆଯାଇଥିବା ନୂଆ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ବିଭାଗୀୟ ସମୀକ୍ଷା ସରିଛି। ୧୫ ଲକ୍ଷ ଯୁବକଯୁବତୀଙ୍କ ଦକ୍ଷତା ବିକାଶ କରିବା ପାଇଁ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ।

Advertisement