କଟକ, ୬/୭ (ଡି.ଏଚ.ବି): ଇଣ୍ଟରନେଟ୍ରୁ ବାହାରିଥିବା ମାର୍କସିଟ୍ରେ ମୋଟ ନମ୍ବର ୪୭୪; ଗ୍ରେଡ୍-ବି-୧। କିନ୍ତୁ ବୋର୍ଡ ସାର୍ଟିଫିକେଟ୍ରେ ବଦଳିଯାଇଛି ଏହି ମାର୍କସିଟ୍। ଛଅ ନମ୍ବର ଅଧିକ ବଢ଼ି ହେଇଛି ୪୮୦। ପୁଣି ଗ୍ରେଡ୍ ବି-୧ ବଦଳରେ ଉଲ୍ଲେଖ ରହିଛି ଗ୍ରେଡ୍ ଏ-୨। ବୋର୍ଡର ଏଭଳି ସାଂଘାତିକ ତ୍ରୁଟି ଛାତ୍ରୀ ଋତପୂର୍ଣ୍ଣା ମିଶ୍ରଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। କେଉଁ ମାର୍କସିଟ୍ ଠିକ୍, ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର କ୍ଲବ୍ ପଇଗାଁସ୍ଥିତ କ୍ଷୀରେଶ୍ବର ବିଦ୍ୟାପୀଠର ଛାତ୍ରୀ ଋତୁପୂର୍ଣ୍ଣା। ନେଟ୍ରେ ଛଡ଼ାଯାଇଥିବା ମାର୍କ ଓ ବୋର୍ଡ ସାର୍ଟିଫିକେଟ୍ରେ ଥିବା ନମ୍ବର ଓ ଗ୍ରେଡ୍ ଭିନ୍ନ ଭିନ୍ନ ହୋଇଥିବାରୁ ଏବେ ଛାତ୍ରୀ ଋତୁପୂର୍ଣ୍ଣାଙ୍କ କଲେଜ ଆଡମିସନ୍ରେ ସମସ୍ୟା ଉପୁଜିଛି। ଏପରିକି ତ୍ରୁଟି ସଂଶୋଧନ ପାଇଁ ବୋର୍ଡ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ବି କୌଣସି ସୁଫଳ ମିଳୁନଥିବା ଋତୁପୂର୍ଣ୍ଣାଙ୍କ ବାପା ବିଜୟ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଏହା ସିଧାସଳଖ ବୋର୍ଡ କର୍ତୃପକ୍ଷଙ୍କ ଚରମ ଦାୟିତ୍ବହୀନତାର କେବଳ ପରିଚୟ ଦେଉଛି, ତା’ନୁହେଁ; ବରଂ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଜଡ଼ିତ ପ୍ରସଙ୍ଗରେ କର୍ତୃପକ୍ଷ କିଭଳି ଖାମଖିଆଲ ମନୋଭାବ ପୋଷଣ କରୁଛନ୍ତି, ତାହା ସୂଚାଇ ଦେଉଛି।
ସୂଚନାନୁଯାୟୀ, ଟାଙ୍ଗୀ-ଚୌଦ୍ବାର କ୍ଲବ୍ ପଇଗାଁସ୍ଥିତ କ୍ଷୀରେଶ୍ବର ବିଦ୍ୟାପୀଠ ଛାତ୍ରୀ ଋତୁପୂର୍ଣ୍ଣା ନେଟରୁ କାଡ଼ିଥିବା ମାର୍କସିଟ୍ରେ ମୋଟ ୪୭୪ ନମ୍ବର ଓ ବି-୧ ଗ୍ରେଡ୍ ରହିଥିଲା। ଏହି ମାର୍କସିଟ୍ ଦାଖଲ କରି ଋତୁପୂର୍ଣ୍ଣା ବିଭିନ୍ନ କଲେଜରେ ନାମଲେଖା ପାଇଁ ଆବେଦନ କରିଥିଲେ। କିନ୍ତୁ ଏପଟେ ତାଙ୍କୁ ଜୁଲାଇ ୧ତାରିଖରେ ସ୍କୁଲରୁ ବୋର୍ଡ ସାର୍ଟିଫିକେଟ୍ କମ୍ ମାର୍କସିଟ୍ ମିଳିଥିଲା। ସେଥିରେ ମାର୍କ ମୋଟ ୪୮୦ନମ୍ବର ଓ ଗ୍ରେଡ୍ ଏ-୨ ରହିଛି। ନେଟ୍ ମାର୍କରେ ଓଡ଼ିଆରେ ୮୦ ନମ୍ବର ରହିଥିବା ବେଳେ ବୋର୍ଡ ମାର୍କସିଟ୍ରେ ଓଡ଼ିଆରେ ୮୨ନମ୍ବର ରହିଛି। ଏଭଳି ସ୍ଥିତିରେ ଯଦି ୨ନମ୍ବର ବଢ଼ିଲା, ତେବେ ବୋର୍ଡ ସାର୍ଟିଫିକେଟ୍ରେ ୪୭୬ ନମ୍ବର ହେବା କଥା। କିନ୍ତୁ ମିଶାଣରେ ଭୁଲ ହୋଇ ୪୭୬ ନମ୍ବର ବଦଳରେ ୪୮୦ ନମ୍ବର ହୋଇଛି। ଏପରି ସାଂଘାତିକ ତ୍ରୁଟି ପାଇଁ ଯାଜପୁର ଏନ୍ସି କଲେଜରେ ନାମଲେଖାରୁ ବଞ୍ଚିତ ହୋଇଥିବା ଋତୁପୂର୍ଣ୍ଣ ବାପା ବିଜୟ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କ କହିଛନ୍ତି, ସାର୍ଟିଫିକେଟ୍ ତ୍ରୁଟି ଥିବା ଜାଣିବା ପରେ ସେ ଓ ସ୍କୁଲ ପ୍ରଧାନଶିକ୍ଷକ ବୋର୍ଡ ସାର୍ଟିଫିକେଟ୍ ଧରି ଗତ ୩ତାରିଖରେ ବୋର୍ଡ କାର୍ଯ୍ୟାଳୟକୁ ଯାଇଥିଲେ। ସାର୍ଟିଫିକେଟ୍ ସଂଶୋଧନ ପାଇଁ ଆଉ କିଛି ପ୍ରଧାନଶିକ୍ଷକ ବି ଆସିଥିଲେ। ସେଠାରେ ଦିନ ୧ଟାରୁ ଅପରାହ୍ଣ ୫.୩୦ ପର୍ଯ୍ୟନ୍ତ ଅପେକ୍ଷା କଲେ। କିନ୍ତୁ କେହି ଶୁଣିଲେ ନାହିଁ। ତାଙ୍କ ଝିଅ ଯୋଗ୍ୟତା ଠାରୁ ଅଧିକ ନମ୍ବର ପାଇଥିବା ବୋର୍ଡର ଜଣେ ଅଧିକାରୀ ତାଙ୍କୁ ତାଚ୍ଛଲ୍ୟ କରି କହିଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏସଂକ୍ରାନ୍ତରେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁ ପିଲାଙ୍କ ସାର୍ଟିଫିକେଟ୍ରେ ତ୍ରୁଟି ରହିଛି, ତାହା ସଂଶୋଧନ କରାଯାଉଛି। କିଛି ପିଲାଙ୍କ ଏଭଳି ତ୍ରୁଟି ସଂଶୋଧନ ହୋଇସାରିଥିବା ସେ କହିଛନ୍ତି।