ବାଲେଶ୍ଵର,୧୭।୪(ନରେନ୍ଦ୍ର ପ୍ରସାଦ ବେହେରା): ସାଂପ୍ରତିକ ସମାଜରେ ଅନେକ ପକ୍ଷୀଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ଗାଁ ରେ କେଉଁଠି ଶବ ପଡିଲେ ଗୁଧ୍ର ପକ୍ଷୀକୁ ଦେଖିବାକୁ ମିଳୁଥିଲା । ତା’ ବି ଆଜିକାଲି ଦେଖିବା ସ୍ଵପ୍ନ ହେଲାଣି । କାଉ କୋଇଲିର ଡାକ ପ୍ରାୟ ଶୁଣିବାକୁ ମିଳୁନାହିଁ । ଏପରିସ୍ଥଳେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ଗ୍ରାମର ଶରତ ଚନ୍ଦ୍ର ଦାଶଙ୍କ ବାଡିରେ ଥିବା ତେନ୍ତୁଳିଗଛରେ ଦେଖିବାକୁ ମିଳୁଛି ଅସଂଖ୍ଯ ବାଦୁଡି । ପ୍ରକାଶ ଥାଉକି ଦୀର୍ଘ ପ୍ରାୟ ୨୦୦ବର୍ଷରୁ ଅଧିକ ହେବ ଶ୍ରୀ ଦାଶଙ୍କ ତେନ୍ତୁଳିଗଛରେ ବାଦୁଡିମାନେ ରହି ଆସୁଛନ୍ତି । ଏହା ଦ୍ୱାରା ଶ୍ରୀ ଦାଶଙ୍କର କୌଣସି କ୍ଷତି ହୋଇନାହିଁ ବରଂ ତାଙ୍କୁ ଆନନ୍ଦ ଓ ଶାନ୍ତି ମିଳୁଛି ବୋଲି ପ୍ରକାଶ କରିଛନ୍ତି । ବାଦୁଡିମାନଙ୍କର କିଚିରି ମିଚିରି ଶବ୍ଦ ମଣିଷକୁ ଆନନ୍ଦ ଓ ମନରେ ଶାନ୍ତି ଭରି ଦେଇଥାଏ । ଖରାଦିନେ ଅତ୍ୟଧିକ ଗରମ ହେତୁ କିଛି ବାଦୁଡି ମରିବି ଯାଉଛନ୍ତି । ବର୍ତ୍ତମାନ ବହୁ ପୁରାତନ ତେନ୍ତୁଳିଗଛଟି ଉପୁଡି ପଡିବାକୁ ବସିଲାଣି । ଯଦିଓ ଭବିଷ୍ୟତରେ ଗଛଟି କେବେ ଉପୁଡିପଡେ କିମ୍ୱା ମରିଯାଏ ବାଦୁଡିମାନେ ରହିବେ କେଉଁଠି ଓ ତାଙ୍କୁ ସୁରକ୍ଷା ଦେବ କିଏ ? ଏଭଳି ବିଭିନ୍ନ ପ୍ରକାର ପ୍ରଶ୍ନ ଶ୍ରୀ ଦାଶଙ୍କ ମନରେ ଉଙ୍କି ମାରିଛି । ତେନ୍ତୁଳିଗଛର ଅବସ୍ଥା ଦେଖି ପାଖରେ ଥିବା ବାଉଁଶବୁଦା,ତାଳଗଛ, ଆମ୍ବଗଛ,କଦମ୍ବଗଛ ପ୍ରଭୃତିକୁ ଆଶ୍ରା କଲେଣି । ହେଲେ ବାରମ୍ବାର ସରକାରଙ୍କୁ ଯେତେ ଜଣାଇଲେ ମଧ୍ୟ ଶୁଣି ନ ଶୁଣିଲା ପରି ବସି ରହିଛନ୍ତି । ସୁରକ୍ଷା ପ୍ରତି ଚିନ୍ତା ବି କରୁ ନାହାନ୍ତି ଯାହା ଶ୍ରୀ ଦାଶ ପ୍ରକାଶ କରିଛନ୍ତି । ସରକାର ବନ୍ୟଜନ୍ତୁ ଓ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାଦୁଡିଙ୍କ ସୁରକ୍ଷା ପ୍ରତି ଚିନ୍ତା କରୁ ନାହାନ୍ତି କାହିଁକି ? ଯାହା ଅଞ୍ଚଳବାସୀଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଛି । ଗଛ ମୂଳକୁ ମାଟି ଦେଇ ମଜଭୂତ କରିବା, ପ୍ରବଳ ଗ୍ରୀଷ୍ମପ୍ରବାହରୁ ବାଦୁଡିମାନଙ୍କୁ ବଞ୍ଚାଇବା ପାଇଁ ପାଣିର ଏବଂ ସେମାନଙ୍କର ସୁରକ୍ଷା ପାଇଁ ବ୍ୟବସ୍ଥା ଇତ୍ୟାଦିକୁ ନେଇ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି ଶ୍ରୀ ଦାଶ । ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ସମୟ ଆସିବ ଅଞ୍ଚଳବାସୀଙ୍କ ପାଇଁ ବାଦୁଡି ଦେଖିବା ସ୍ଵପ୍ନ ହୋଇଯିବ । ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।

















