ବିରିକୋଟ ଗ୍ରାମରେ ମଦ ମାଫିଆଙ୍କ ଆକ୍ରମଣରେ ୫ ପୁଲିସ ଆହତ, ୨୭ ଗିରଫ I

ମଦ କାରବାରରେ ମହିଳା ସଂପୃକ୍ତ

429
ADVERTISEMENT

ମୋହନା ୧୭/୦୪,(ମୋହନ ଗୌଡ)-ସାରା ଓଡିଶାରେ ଲକ ଡାଉନ ଚାଲିଥିବା ବେଳେ ଅବକାରୀ ବିଭାଗ ଓ ପୁଲିସକୁ ଚମଖା ଦେଖାଇ ଅବାଧରେ ବିରିକୋଟ ଗ୍ରାମର ଦଳିତ ସାହିରେ ଚାଲିଥିଲା ଚୋରା ଦେଶୀ ମହୁଲି ମଦ କାରବାର । ଅଡବା ଭାରପ୍ରାପ୍ତ ଥାନା ଅଧିକାରୀ ବିଶେଷ ସୁତ୍ରରୁ ଖବର ପାଇ ୧୪ ତାରିଖ ରାତି ପ୍ରାୟ ୧୧ଟାରେ ସଦଳବଳେ ଉକ୍ତ ସାହିରେ ଚଢଉ କରିଥିଲେ । କିନ୍ତି ମଦମାଫିଆ ପୁଲିସଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ । ଫଳରେ ୪ ଜଣ ପୁଲିସ ସାମାନ୍ୟ ଆହାତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ପଠାଯାଇଥିବା ଜଣପଡିଛି । ଏହି ଘଟଣାରେ ପୁଲିସକୁ ଆକ୍ରମଣ ଓ ମଦ କାରବାରରେ ସଂପୃକ୍ତ ମୋଟ ୨୭ ଜଣଙ୍କୁ ଅଡବା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଘରୁ ତିନିଶହ (୩୦୦) ଲିଟର ମହୁଲି ମଦ ଜବତ କରିବା ସହ ୫ ହଜାର ଲିଟର ମହୁଲି ପୋଚକୁ ନଷ୍ଟ କରିଛି ପୁଲିସ । ୧୬ ତାରିଖରେ ବିରିକୋଟ ଗ୍ରାମର ଦଳିତ ସାହିରେ ଅଡବା ପୁଲିସ ଚଢାଉକରି ପୁଲିସକୁ ଆକ୍ରମଣ ଘଟଣାରେ ୧୩ ଜଣଙ୍କୁ ଗିରଫ କରିଥିବାବେଳେ ମଦ କାରବାର ଅଭିଯୋଗରେ ଆଉ ୧୪ଙ୍କୁ ଗିରଫ କରିଛି ।

ଆକ୍ରମଣ ଘଟଣାରେ ସଂପୃକ୍ତ ୧୩ ଜଣ ଅଭିଯୁକ୍ତ ହେଲେ କାଳିଆ ନାୟକ(୨୫), ସୁରଜ କୁମାର ନାୟକ (୨୫), ବିଶ୍ୱନାଥ ନାୟକ (୩୭), ଆକାଶ ନାୟକ (୨୩), ସାକିଲ ନାୟକ (୩୫), ଯେନା ନାୟକ (୬୫), ଖୁସୁଣି ନାୟକ (୨୫), ପ୍ରମୋଦ ନାୟକ (୩୪), ଦାଶରାପତି ନାୟକ (୨୭), କୁଳକାନ୍ତ ନାୟକ (୩୬), ରାଜୀବ ନାୟକ(୨୧), ଅମନ ନାୟକ (୨୦) ଓ ରଶ୍ମୀତା ନାୟକ (୨୦) । ତେବେ ଏହି ଘଟଣାର ମୁଖ୍ୟ ଆସାମୀ ବିଜୟ ନାୟକ ଫେରାର ଅଛି । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଅଡବା ଭାରପ୍ରାପ୍ତ ଥାନା ଅଧିକାରୀ ଆଲୋକ ରଂଜନ ଜଗଦଲା ପୁଲିସ ଫୋର୍ସ ସହିତ ଉକ୍ତ ଗ୍ରାମରେ ପହଂଚି ଘର, ବିଲ ଓ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ପୋଚ ସମେତ ରନ୍ଧାମହୁଲି ମଦପାଇଁ ବ୍ୟବହୃତ ସାମଗ୍ରୀ ଯଥା – ରସହାଣ୍ଡି-୨୮, ପ୍ଳାଷ୍ଟିକ ଜାରକିନ୍ – ୪୦ଟି, ମାଟିହାଣ୍ଡି -୬ଟି, ବାଲଟି – ୫ଟି ଜବତ କରିଛି । ଗୁୁରତର ଥିବା ଅଡବା ଏଏସଆଇ ଚନ୍ଦନ ଦାସ ଓ କନେଷ୍ଟବଲ୍ ଦାଶରଥି ଶବର ଚିକିତ୍ସାଧୀନ ଥିବା ଏବଂ ମୁଖ୍ୟ ଆସାମୀ ତଥା ମୋହନା ବିଧାୟକଙ୍କ ଡାହାଣ ହାତ ବୋଲି ପୁଲିସକୁ ନାଲି ଆଖି ଦେଖାଇ ପୁଲିସକୁ ଆକ୍ରମଣ ଏବଂ ଗାଡିକୁ ଭଙ୍ଗାରୁଜା କରିଥିବା ବ୍ୟକ୍ତି ବିଜୟ ନାୟକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଅଡବା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Advertisement