କଟକ, ୪।୭ (ଡି.ଏଚ.ବି) : ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶକୁ ଉଜ୍ଜୀବିତ ତଥା ପୁନଃପରିଚିତ କରିବା ପାଇଁ ସମାଜ ପରିଚାଳନା ମଣ୍ଡଳୀ ପକ୍ଷରୁ ଏକ ଅଭିନବ ପଦକ୍ଷେପ ହାତକୁ ନିଆଯାଇଛି। ‘ସମାଜ ପରିଚାଳନା ମଣ୍ଡଳୀ’ର ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ପରାମର୍ଶକ୍ରମେ ଚଳିତବର୍ଷଠାରୁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା, ତ୍ୟାଗ ଓ ଜାତୀୟତାବାଦୀ ଚେତନା ଜାଗ୍ରତ କରିବା ପାଇଁ ଚଳିତବର୍ଷଠାରୁ ‘ଗୋପବନ୍ଧୁ ପ୍ରତିଭା ସମ୍ମାନ’ ପରିକଳ୍ପନା କରାଯାଇଛି। ରାଜ୍ୟର ପ୍ରତି ବ୍ଲକସ୍ତରୀୟ ବିଦ୍ୟାଳୟମାନଙ୍କରେ ମନୋନୟନ ପ୍ରକ୍ରିୟା ମାଧ୍ୟମରେ ଆଦର୍ଶ ବିଦ୍ୟାର୍ଥୀଙ୍କୁ ସେମାନଙ୍କର ସେବା ମନୋବୃତ୍ତି, ତ୍ୟାଗ ତଥା ସାମାଜିକ ଚେତନାକୁ ଆଧାରକରି ଏହି ସମ୍ମାନ ପ୍ରଦାନ କରାଯିବ।
ବ୍ଲକସ୍ତରରେ ଆଦର୍ଶ ବିଦ୍ୟାର୍ଥୀଙ୍କୁ ଜିଲାସ୍ତରୀୟ ଏବଂ ଜିଲାସ୍ତରରେ ଶ୍ରେଷ୍ଠ ବିବେଚିତ ବିଦ୍ୟାର୍ଥୀ ରାଜ୍ୟସ୍ତରୀୟ ପାଇଁ ମନୋନୀତ ହେବେ। ଆଦର୍ଶ ବିଦ୍ୟାର୍ଥୀମାନଙ୍କୁ ‘ଗୋପବନ୍ଧୁ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିନେଇ ଖୁବଶୀଘ୍ର ବ୍ଲକସ୍ତରରେ ବିଦ୍ୟାର୍ଥୀ ମନୋନୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ‘ସମାଜ’ର ମୁଖ୍ୟ କାର୍ୟ୍ୟକାରୀ ପରିଚାଳକ ପ୍ରିୟବ୍ରତ ମହାନ୍ତି ଘୋଷଣା କରିଥିଲେ। ‘ସମାଜ’ର ଏହି ଅଭିନବ ପ୍ରୟାସ ରାଜ୍ୟେର ପ୍ରଥମ ଓ ଅନନ୍ୟ ବୋଲି ଜଣାପଡିଛି।