କୋଦଳା,୨୬।୩(ସୂର୍ଯ୍ୟନାରାୟଣ ବଡୁ) : ଗଞ୍ଜାମ ଜିଲ୍ଲା କୋଦଳା ଓ ଏହାର ଆଖପାଖ ଅଞ୍ଚଳରେ ଉଭୟ ପ୍ରଶାସନ ଏବଂ ପୋଲିସ ବିଭାଗ କରୋନା ସଚେତନତା ପାଇଁ ତତ୍ପରତା ଦେଖାଇଛନ୍ତି । କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଡ଼ାକବଜା ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଅନୁରୋଧ କରାଯାଇଛି ।
ଆଜି ସକାଳୁ ସକାଳୁ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ବସଷ୍ଟାଣ୍ଡ ଛକ ନିକଟରେ ପହଞ୍ଚି କିରାଣି ଦୋକାନ ଓ ପରିବା ଦୋକାନରେ କିଛି ଲୋକଙ୍କ ଭିଡ଼ ଜମିଥିଲା ଦେଖି ସେଠାକୁଯାଇ ଦୋକାନ ନିକଟରେ ଲୋକଙ୍କୁ ଭିଡ଼ ନ ହେବା ପାଇଁ କହିବା ସହିତ ଏକ ଅଭିନବ ପ୍ରୟାସ କରିଥିଲେ। ଲୋକଙ୍କ ଭିତରେ ଦୂରତ୍ୱ ବଢାଇବା ପାଇଁ ଚୂନରେ ଗୋଲ ପକାଇ ନମୂନା ଦେଖାଇ ଲୋକଙ୍କୁ ବୁଝାଇ କରି ଦେଖାଇଦେଲେ ଯେ କିପରି ସାମଗ୍ରୀ କିଣିବା ବେଳେ ଦୂରତ୍ୱ ରକ୍ଷା କରାଯାଇପାରିବ।ପ୍ରତ୍ୟକ ଏକ ମିଟର ଦୂରତ୍ୱ ରେ ଠିଆ ହୋଇ ଜଣେ ପରେ ଜଣେ ଦୋକାନ କୁ ଯାଇ ସୌଦା କିଣିବା ପାଇଁ ପରାମର୍ଶ ଦେଇଥିଲେ । ପୋଲିସର ଏପରି ଅଭିନବ ଉପାୟ ପାଇଁ ସମଗ୍ର ଅଞ୍ଚଳର ବୁଦ୍ଧିଜୀବି,ସାମ୍ବାଦିକ ଓ ଜନ ପ୍ରତିନିଧିମାନେ ଭରି ଭରି ପ୍ରସଂଶା କରିଛନ୍ତି । ଏହି ଉପାୟ ଅପଣାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଥାନା ଅଧିକାରୀ ମୋହଦୟ । ଅନ୍ୟପଟେ ପ୍ରତ୍ୟକ ସାହି ଓ ଛକ ମାନଙ୍କରେ ତହସିଲ ଓ ପୋଲିସ ର ମିଳିତ ଚେଷ୍ଟା ରେ ରଶି ଲଗାଇ ଜାନ ବାହାନ ବନ୍ଦ କରାଯାଉଛି ଓ ଅତିଆବଶ୍ୟକ କାର୍ଯ୍ୟ ନ ଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଉଛି । ପ୍ରଶାସନ ନିଷ୍ପତି ପ୍ରକାରେ ୧୨ ଘଣ୍ଟ ପର୍ଯନ୍ତ ନିର୍ଦ୍ଧିଷ୍ଟ କିଛି ଦୋକାନ ଖୋଲା ଥିବାବେଳେ ପରେ ପରେ ସମସ୍ତ ଦୋକାନ ବନ୍ଦ ହୋଇଯାଇଛି । ବର୍ତ୍ତମାନ ସହର ଶୁନଶାନ । ପୋଲିସର ଚେତାବନି ହେଉ କିମ୍ବା ଲୋକମାନେ ସଚେତନ ହୋଇଥାଆନ୍ତୁ ଆଜି କେହି ବି ଘରୁ ପଦାକୁ ବାହାରି ପାରି ନାହାନ୍ତି । ସମସ୍ତେ ନିଜ ପରିବାର ପାଇଁ ଚିନ୍ତିତ । ବ୍ୟବସାୟୀ ସ୍ଵ ଇଛାରେ ଦୋକାନ ବନ୍ଦ କରି ପ୍ରଶାସନ କୁ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଆଜିର ଏହି କୋଦଳା ଅଞ୍ଚଳକୁ ଦେଖିଲେ ଜଣାପଡୁଛି ।


















