ଦିଗପହଣ୍ଡି,୨୦।୩(ସୁନୀଲ ସାହୁ):ଗତ କିଛି ଦିନ ହେଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ୪ଜି ମୋବାଇଲ ଡାଟା ବ୍ୟାହତ ଘଟୁଥିବା ଅଭିଯୋଗ ହୋଇଛି। ବିଭିନ୍ନ କାରଣରୁ ଦିନର ଅନେକାଂଶରେ ୪ଜି ଡାଟା ସେବା ସ୍ପୀଡ଼ ସ୍ଲୋ ରହୁଥିବା ବେଳେ ଜରୁରୀକାଳୀନ ସମୟରେ ସମସ୍ୟା ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନ କ୍ୟାସଲେସ ବ୍ୟବସ୍ଥା ପ୍ରଚଳିତ ରହିଥିବା ବେଳେ ଏହା ସମ୍ପୂର୍ଣ୍ଣ ଇଣ୍ଟରନେଟ ଉପରେ ନିର୍ଭରଶୀଳ। କ୍ୟାସଲେସ ଅର୍ଥ କାରବାର ନେଇ ବିଭିନ୍ନ ପ୍ରକାରର ମୋବାଇଲ ଆପ୍ଲିକେସନ ଆଉ ୱେବ ସାଇଟ ମାଧ୍ୟମରେ କରାଯାଉଥିବା ବେଳେ ସ୍ଲୋ ଡାଟା ସର୍ଭିସ ନେଇ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ଅର୍ଥ ଦେଣନେଣ କାରବାର ସମୟରେ ଇଣ୍ଟରନେଟ ସର୍ଭିସ ସ୍ଲୋ ହୋଇଗଲେ ସମ୍ପୃକ୍ତ ହିତାଧିକାରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଦିଗପହଣ୍ଡି ସହରରେ ପ୍ରଥମକରି ୪ଜି ଡାଟା ସେବା ଯୋଗାଇଦେବା ଆରମ୍ଭ ସମୟରେ ଉପଭୋକ୍ତା ମାନଙ୍କୁ ଉଚ୍ଚ ମାନର ଅତ୍ୟଧିକ ସ୍ପୀଡ଼ ସମ୍ପନ୍ନ ଡାଟା ସେବା ମିଳୁଥିଲା। ଧୀରେ ଧୀରେ ଉପଭୋକ୍ତା ସଂଖ୍ୟା ବୃଦ୍ଧି ଘଟିବା ପରେ ଦିନକୁ ଦିନ ଡାଟା ସ୍ପୀଡ଼ କମ ହୋଇଯାଉଥିବା ପରିଲଖିତ ହୋଇଛି। ପ୍ରଥମେ ଜିଓ ଏବଂ ପରେ ପରେ ଏୟାରଟେଲ, ଭୋଡାଫୋନ, ଆଇଡିଆ, ବିଏସଏନଏଲ ଆଦି କମ୍ପାନୀ ସବୁ ଦିଗପହଣ୍ଡିରେ ୪ଜି ଡାଟା ସେବା ଯୋଗାଇବା ବ୍ୟବସ୍ଥା ଆରମ୍ଭ କରିଥିଲେ। ଦିନକୁ ଦିନ ସହରରେ ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ସମସ୍ତ ମୋବାଇଲ କମ୍ପାନୀଙ୍କ ଉପଭୋକ୍ତାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟୁଛି । ହେଲେ ସେହି ଅନୁପାତରେ ୪ଜି ଡାଟା ସେବା ଉପଭୋକ୍ତାମାନଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। ସୁଉଚ୍ଚ ପ୍ରାସାଦ ଅଟ୍ଟାଳିକା ଆଦିରେ ସହର ବୃଦ୍ଧି ପାଇଯାଇଥିବା ବେଳେ ଉପଭୋକ୍ତା ମାନଙ୍କ ନିକଟରେ ଆବଶ୍ୟକ ରେଞ୍ଜ ପହଂଚିପାରୁନାହିଁ। ନିକଟରେ ସମସ୍ତ ମୋବାଇଲ କମ୍ପାନୀ ମାନଙ୍କର ଡାଟା ସର୍ଭିସ ଭାଉଚର ପ୍ରାଇସ ବୃଦ୍ଧି ପାଇଛି । ଇଣ୍ଟରନେଟ ସହିତ ଓତଃ ପ୍ରତ ଭାବେ ଜଡ଼ିତ ଉପଭୋକ୍ତା ମାନେ ଘରେ ମୋବାଇଲ ନେଟୱର୍କ କିମ୍ବା ୪ଜି ଡାଟା ସ୍ପୀଡ଼ ସଠିକ ଭାବେ ପାଇପାରୁନଥିବା ଅଭିଯୋଗ ହୋଇଛି। ବିଶେଷ କରି ରିଲାଏନ୍ସ ଜିଓ ଏବଂ ଏୟାରଟେଲର ଉପଭୋକ୍ତା ଅଧିକ ରହିଥିବା ବେଳେ ସର୍ବଦା ୪ଜି ଡାଟା ସେବା ନେଇ ସମସ୍ୟା ଦେଖାଦେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଅପରପକ୍ଷରେ ସମ୍ପୃକ୍ତ ମୋବାଇଲ କମ୍ପାନୀ ମାନଙ୍କର କର୍ତ୍ତୃପକ୍ଷ ମାନେ ସର୍ବେକ୍ଷଣରେ ଆସି ସମସ୍ୟା ପ୍ରତି ଅବଗତ ହେଲେ ସମାଧାନ ହୋଇପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି। ମୋବାଇଲ କମ୍ପାନୀ କର୍ତ୍ତୃପକ୍ଷମାନେ ନଆସି ପାର୍ଟ ଟାଇମ ଜବ ଆଳରେ ପିଲାମାନଙ୍କୁ ରଖି ସେମାନଙ୍କ ଦ୍ବାରା କାମ କରାଯାଉଥିବା ବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବା ସମୟରେ ଟାୱାର ମାନଙ୍କରେ ଡିଜିଟାଲ ଜେନେରେଟର ଲଗାଯାଉନାହିଁ। ଏଥିପାଇଁ ଗ୍ରାମାଞ୍ଚଳ ଗୁଡିକରେ ବିଦ୍ୟୁତ ସେବା କାଟ ସମୟରେ ମୋବାଇଲ ସର୍ଭିସ ମଧ୍ୟ ବନ୍ଦ ହୋଇଯାଉଥିବା ଅଭିଯୋଗ ହେଉଛି । ସମ୍ପ୍ରତି କୋରୋନା ଭାଇରସ ସଂକ୍ରମଣର ମୁକାବିଲା କରିବା ପାଇଁ ସମସ୍ତ ସମୟରେ ହାଇ ଆଲର୍ଟ ସହ ଅପଡେଟ ସବୁ ସରକାର ଯୋଗାଇଦେଉଥିବା ବେଳେ ଦୁର୍ବଳିଆ ୪ଜି ଡାଟା ସେବା ଯୋଗୁଁ ଜନ ସମସ୍ୟା ଦେଖା ଦେଇଛି। ବ୍ଲକର କୁଶପଡ଼ା, ପଦ୍ମନାଭପୁର, ବମକେଇ, ବଡଡୁମୁଳା, ବି.ତୁରିବୁଡି, ଭୀଷ୍ମଗିରୀ, ଖମ୍ବାରୀଗାଁ, ନିମଖଣ୍ଡି ପେଣ୍ଠ ଆଦି ପଞ୍ଚାୟତର ବିଭିନ୍ନ ଗାଁ ଗହଳିରେ ୪ଜି ଡାଟା ସେବା ଦୁର୍ବଳ ହୋଇଯାଇଛି ବୋଲି ଅଭିଯୋଗ ଆସିଛି। ସେହିପରି ଦିଗପହଣ୍ଡି ସହରରେ ଘର ମଧ୍ୟକୁ ଚାଲିଗଲେ ୪ଜି ଡାଟା ସେବା ସ୍ପୀଡ଼ ଆପେ ଆପେ ଦୁର୍ବଳ ହୋଇଯାଉଛି ।


















