ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା; ୧୩ଟି ଜିଲ୍ଲା ପାଇଁ ‘ୱେଲୋ ଓ୍ଵାର୍ଣିଂ’ ଜାରି

196
ADVERTISEMENT

ଭୁବନେଶ୍ୱର ୨/୭(ଡ଼ି ଏଚ ବି): ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଵେଲ ମାର୍କଡ୍‌ ଲୋ ପ୍ରେସର’ରେ ପରିଣତ ହୋଇ ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ସମେତ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ତମାମ ରାଜ୍ୟରେ ଗତ ରବିବାର ରାତି ଠାରୁ ଲଗାଣ ବର୍ଷା ଲାଗି ରହିଛି। ତେବେ, ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଜି ଅପରାହ୍ଣରେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ବୌଦ ପ୍ରଭୃତି ୧୩ଟି ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ‘ୱେଲୋ ଓ୍ଵାର୍ଣିଂ’ ଜାରି କରାଯାଇଛି। ସେହିପରି ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲାରେ ୧୬ ସେ.ମି ବୃଷ୍ଟିପାତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୧୫, ପୁରୀରେ ୧୩, କଟକ ୧୩, ବାଲେଶ୍ୱର ୧୩, ଭଦ୍ରକ ୧୨, ଖୋର୍ଦ୍ଧା ୧୧, ନୟାଗଡ଼ ୧୧, ଜଗତସିଂହପୁର ଜିଲ୍ଲାରେ ୯ ସେ.ମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି।

Advertisement