କଟା ଗୋଡ ଧରି ଚଟାଣରେ ସାରା ରାତି ପଡ଼ିରହିଲେ ଯୁବକ, ଚିକିତ୍ସା ଆରମ୍ଭ ହେଲା ପର ଦିନ ସକାଳେ

204
ADVERTISEMENT

କଟକ ୨/୭(ଡ଼ି ଏଚ ବି): କଟକ ବଡ଼ ଡାକ୍ତରଖାନାରୁ ଆସିଛି ଏକ ଦୁଃଖଦ ଖବର । ଦୁର୍ଘଟଣାରେ ସମ୍ମୁଖୀନ ହୋଇ କଟା ଗୋଡ ଧରି ଚଟାଣରେ ରାତିସାରା ପଡ଼ିରହିଲେ ଯୁବକ। ଏଭଳି ଅବସ୍ଥାରେ ପଡ଼ିରହିଥିଲେ ବି ଚିକିତ୍ସାରେ ବିଳମ୍ବ କରିଥିଲେ କାର୍ଯ୍ୟରତ ଡାକ୍ତର । ଅଭିଯୋଗ ହୋଇଛି କି ଟ୍ରେନରେ କଟି ଦୁଇଗୋଡ ହରାଇଥିବା ଯୁବକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ବିଳମ୍ବରେ ଆରମ୍ଭ ହେଲା ଚିକିତ୍ସା । ଘଟଣା ଅନୁସାରେ, ଟ୍ରେନ୍ ଧକ୍କାରେ ଯୁବକଙ୍କ ଦୁଇ ଗୋଡ କଟିଯାଇଥିଲା । ଗୁରୁତର ଅବସ୍ଥାରେ ମଂଚେଶ୍ୱର ରେଳବାଇ ପୋଲିସ ତାଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲା । ସଂପୃକ୍ତ ଯୁବକ ରାତିସାରା ଏସସିବିର ଆଶୁଚିକିତ୍ସା କେନ୍ଦ୍ର ଚଟାଣରେ ଅସହାୟ ଅବସ୍ଥାରେ ପଡିରହିଥିଲେ । ହେଲେ ତାଙ୍କୁ କେହି ବି ପଚାରୁନଥିଲେ । ସନ୍ଧ୍ୟାରୁ ରାତି ୧୨ଟା ଯାଏଁ ସେ ଆଶୁଚିକିତ୍ସା କେନ୍ଦ୍ରରେ ପଡିଥିଲେ । କିନ୍ତୁ ତାଙ୍କୁ ଚିକିତ୍ସା ସୁବିଧା ମିଳିନଥିଲା । ବର୍ଷା ଛିଟା ଓ ମଶା କାମୁଡାରେ ସଂପୃକ୍ତ ଯୁବକ ଛଟପଟ ହୋଇଥିଲେ । ଦୁର୍ଘଟଣାଗ୍ରସ୍ତଙ୍କ କଟା ଗୋଡ ଓ ହାତ ଯୋଡିବା ପାଇଁ କଟକ ବଡ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଚିକିତ୍ସା ଲାଗି ସ୍ୱତନ୍ତ୍ର ୱାର୍ଡ ରହିଛି । କିନ୍ତୁ କାହିଁକିଁ ସଂପୃକ୍ତ ଯୁବକଙ୍କୁ ଚଟାଣରେ ପକାଯାଇଥିଲା ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଆଜି ସକାଳେ ଯୁବକଙ୍କ ଚିକିତ୍ସା ଆରମ୍ଭ ହୋଇଛି । ତେବେ ବର୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନାହିଁ ।

Advertisement