ବ୍ରହ୍ମପୁର, ୦ ୨/୦୩ (ବ୍ୟୁରୋ) : ଆଜି ଠାରୁ ନୂତନ ଟ୍ରାଫିକ୍ ନିୟମ କଡାକଡି ପାଳନ ହେବ ବୋଲି ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଖିଲାପକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଦେବା ପାଇଁ ରାଜ୍ୟର ସବୁ ଅଞ୍ଚଳରେ ପୋଲିସ ପ୍ରଶାସନ ଏବଂ ପରିବହନ କର୍ତ୍ତୃପକ୍ଷ ଏକ ବ୍ଳୁ ପ୍ରିଣ୍ଟର ପ୍ରସ୍ତୁତ କରିଛନ୍ତି ।
ସେହି ପରିପ୍ରେକ୍ଷିରେ ଆଜି ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳଗୁଡିକରେ ଗାଡି ଚାଳକମାନେ ସତର୍କତାର ସହ ଟ୍ରାଫିକ୍ ନିୟମକୁ ମାନୁଥିବା ଏବଂ ପ୍ରତ୍ୟେକ ଦୁଇଚକିଆ ଚାଳକ ହେଲମେଟ ପିନ୍ଧିଥିବା ଲକ୍ଷ କରାଯାଇଛି । ଅନ୍ୟ ପକ୍ଷରେ ବ୍ରହ୍ମପୁର ପାର୍ଶ୍ଵ ଦେଇ ଯାଇଥିବା କୋଲକତା- ଚେନ୍ନେଇ ୧୬ ନମ୍ବର ଜାତୀୟ ରାପଥର ସଂପ୍ରସାରଣ ଯୋଜନା ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ ଚାଲିଛି ।
ଏହି ରାସ୍ତାର ହଳଦିଆପଦର ବସ୍ ଷ୍ଟାଣ୍ଡ ଠାରୁ ଜିଲ୍ଲା ସଦର ମହକୁମା ଛାତ୍ରପୁର ଯାଏ ଯାଇଥିବା ୬ ଥାକିଆ ରାସ୍ତାର ବିଦ୍ୟୁତ୍ କରଣ ଡ୍ରେନ ଏବଂ ମୁଖ୍ୟରାସ୍ତାର ଉଭୟ ପଟୁ ଲୁହା ଗ୍ରୀଲ ଦିଆଯାଇଛି । ଯାହାକି ଦୁର୍ଘଟଣା ରୋକିବାକୁ ବେଶ ସହୟତା ହୋଇପାରିବ । ଏହା ସତ୍ତ୍ୱେ ସଚେତନତା ଅଭାବରୁ ରଙ୍ଗରୁଟରେ ଗାଡିଚଳାଇବା ଯୋଗୁଁ ଶହଶହ ଦୁର୍ଘଟଣା ପ୍ରତ୍ୟେକ ଦିନ ହେଉଥିବା ଜଣାପଡିଛି ।
ଗତ ସପ୍ତାହର ଏକ ଆକଳନରେ କେବଳ ରଙ୍ଗରୁଟରେ ଗାଡି ଚଳାଇବା, ମୋବାଇଲ୍ରେ କଥା ହୋଇ ଗାଡି ଚଳନା ଏବଂ ନିଶାରେ ଥାଇ ଗାଡି ଚଳାଇବା ଯୋଗୁଁ, ଓଡିଶା ଆନ୍ଧ୍ରସୀମା ଇଚ୍ଛାପୁର ଠାରୁ ବାଲୁଗାଁ ଭିତରେ ୪୩୬ ଦୁର୍ଘଟଣା ଘଟିଛି । ସେଥି ମଧ୍ୟରୁ କେବଳ ଦୁଇ ଚକିଆ ଚାଳନାରେ ସର୍ବାଧିକ ୨୫୩ଟି ଦୁର୍ଘଟଣା ହୋଇଥିବା ବିଭିନ୍ନ ସୂତ୍ରରୁ ସଂଗୃହିତ ତଥ୍ୟରୁ ଜଣାପଡିଛି ।
ଏହି ତଥ୍ୟ ଅନୁସାରେ ବ୍ରହ୍ମପୁରକୁ ସଂଯୋଗ କରୁଥିବା ହଳଦିଆପଦର ରେଳ ଓଭର ବ୍ରିଜ କ୍ରସିଂରେ ସର୍ବଧିକ ୭୫ଟି ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହେବା ସହ ୪୦ଜଣ ଆହତ ହୋଇଥିଲେ ସେମାନଙ୍କ ମଧ୍ୟରୁ ୧୧ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ଏବଂ କଟକ ସ୍ଥାନାନ୍ତର କରାଯାଇଛି । ସେହିଭଳି କମାପଲ୍ଲୀ ରୋଡ ଠାରୁ ଲାଞ୍ଜିପଲ୍ଲୀ ଦେଇ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ବେପରୁଆ ଗାଡିଚାଳନା, ରଙ୍ଗରୁଟ ଗାଡି ଚାଳନାରେ ୧୩୨ଟି ଘଟଣାରେ ୮୫ଜଣ ଆହତ ହୋଇଛନ୍ତି । ୨୩ ଜଣ ଗୁରୁତରଙ୍କ ହାତ ଏବଂ ଗୋଡ କଟାଯାଇଛି ।
ବ୍ରହ୍ମପୁରର ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ସେମାନେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଛତ୍ରପୁର ଡିଆରଡିଏ ଛକ, ବାଲିଘାଇ ଛକ, ଚମାଖଣ୍ଡି ଛକ, ଗୋବିନ୍ଦପୁର ଛକ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳକୁ ସଂଯୋଗ କରୁଥିବା ରାସ୍ତା ମାଣ୍ଡିଆପଲ୍ଲୀ ଛକ, ପୋକଡିବନ୍ଧ ଛକ, ଜଗନ୍ନାଥପୁର ଲେବଲ୍ କ୍ରସିଂ ସହ ପୋକଡିବନ୍ଧ ଲେବଲକ୍ରସିଂ ଠାରୁ ଓଭରବ୍ରିଜ୍ ନିର୍ମାଣ କରାଗଲେ ଅଧିକାଂଶ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି ।
ଏହାଛଡା ଜାତୀୟ ରାଜପଥରେ ଦୃଢ଼ ଗାଡିଚାଳନା ରୋକାଯିବା ପାଇଁ ରାଡାର ବ୍ୟବସ୍ଥା ସହ ଓଭରଟେକିଂ ନିୟମକୁ କଡାକଡି ପାଳନ କଲେ ଦୁର୍ଘଟଣା ଅଧିକାଂଶ ଦୁର୍ଘଟଣା ରୋକାଯାଇପାରିବ ବୋଲି ଦୁର୍ଘଟଣା ବିଶେଷଜ୍ଞମାନେ ମତ ପ୍ରଦାନ କରିଛନ୍ତି ।

















