ପୁରୀ ୨/୭(ଡ଼ି ଏଚ ବି): ଅଣସର ଘରେ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ନବଯୌବନ ପ୍ରାପ୍ତି ପାଇଁ ଅଣସର ପିଣ୍ଡିରେ ଚାଲିଥିବା ପ୍ରସ୍ତୁତି ପର୍ବରେ ଆଜି ମହାପ୍ରଭୁଙ୍କୁ ବନକଲାଗି କରାଯାଇଛି। ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି। କସ୍ତୁରୀ, କେଶର, ହରିତାଳ, ହିଂଗୁଳ ଆଦିର ମିଶ୍ରଣକୁ ଶ୍ରୀଅଙ୍ଗରେ ଲାଗି କରାଯାଇଛି। ଏଥିପାଇଁ ପୂର୍ବରୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ଶ୍ରୀମନ୍ଦିରକୁ ଖଡ଼ି ପ୍ରସାଦ ବିଜେ ହୋଇଥିଲା। ଶ୍ରୀଅଙ୍ଗରେ ଶ୍ରୀମୁଖ ହୋତା ଲାଗି ହେବା ପରେ ଏହା ଉପରେ ଖଡ଼ିପ୍ରସାଦ ଲାଗି କରାଯାଇଥିଲା। ବିଳମ୍ୱିତ ରାତିରେ ବଡଦେଉଳକୁ ଖଡି ବିଜେ ହେବା ପରେ ଶ୍ରୀମୁଖ ଶୃଙ୍ଗାର ଶୁଭାରମ୍ଭ ହୋଇଥିଲା। ଆଜି ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଛନ୍ତି। ଆସନ୍ତାକାଲି ମହାପ୍ରଭୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ। ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କୁ ଏହି ଦୁର୍ଲ୍ଲଭ ବେଶରେ ଦର୍ଶନ ପାଇଁ ଭକ୍ତମାନେ ତରସି ଉଠିଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କୁ ଭିତର କାଠରୁ ଦର୍ଶନ କରିବା ବ୍ୟବସ୍ଥା କରାଯାଇଛି। ପରିମାଣିକ ଦର୍ଶନ ସାଢ଼େ ୨ଟାରୁ ସାଢ଼େ ୩ଟା ଓ ସର୍ବସାଧାରଣ ଦର୍ଶନ ସାଢ଼େ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର ହୋଇଛି। ଆସନ୍ତାକାଲି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ପରିମାଣିକ ଟିକେଟ୍ କରିଥିବା ଭକ୍ତମାନେ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ ଓ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ। ସର୍ବସାଧାରଣ ଦର୍ଶନ ପାଇଁ ସିଂହଦ୍ବାର ଦେଇ ପ୍ରବେଶ ଓ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ନବଯୌବନ ଦର୍ଶନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରିଛି। ଆସନ୍ତାକାଲି ଜୁଣ ବାହାରିବା ପରେ ସକାଳ ୯ଟାରେ ପୁନର୍ବାର ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ କରାଯିବ। ବନକଲାଗି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସୁଦର୍ଶନ ଦେବ ବୁଣାଟ ସକାଳ ସାଢ଼େ ୯ଟାରୁ ପୂର୍ବାହ୍ଣ ସାଢ଼େ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପରେ ମଧ୍ୟାହ୍ନ ୧୨ଟା ୧୫ରେ ଚକା ଅପସର ନୀତି ଅନୁଷ୍ଠିତ ହେବ। ସାଢ଼େ ୧୨ଟାରେ ମଙ୍ଗଳ ଆଳତି, ୧୨ଟା ୪୦ରେ ମଇଲମ, ଅପରାହ୍ଣ ୧ଟା ୧୫ରେ ଅବକାଶ, ସାଢ଼େ ଗୋଟାଏରେ ଦଶ ଅବତାର ଠାକୁରଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୨ଟାରେ ତାଟି ଫିଟିବା ପରେ ପରିମାଣିକ ଦର୍ଶନ ଆରମ୍ଭ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ପରେ ସାଢ଼େ ୩ଟାରୁ ସାଢ଼େ ୪ଟା ସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ସାଢ଼େ ୫ଟାରେ ଧୂଆଧୋଇ ହୋଇ ଚୁନ ପଡ଼ିବା ପରେ ସଂଧ୍ୟା ୬ଟାରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା, ସାଢ଼େ ୬ଟାରେ ନେତ୍ରୋତ୍ସବ ବନ୍ଦାପନା, ୬ଟା ୪୫ରେ ରୋଷହୋମ, ରାତି ୭ଟାରେ ରାଜନୀତି, ସାଢ଼େ ୭ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୭ଟା ୪୦ରେ ମଇଲମ, ରାତି ୮ଟାରେ ଘଣ୍ଟଛତା ସର୍ବାଙ୍ଗ, ୮ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୮ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ରାତି ୯ଟାରୁ ୧୦ଟା ଗୋପାଳ ବଲ୍ଲଭ ଓ ଘଣ୍ଟଛତା ସକାଳଧୂପ (କେବଳ କୋଠଭୋଗ), ରାତି ୯ଟା୧୦ରୁ ସାଢ଼େ ୧୦ଟା ଭୋଗମଣ୍ଡପ, ୧୧ଟାରେ ମଇଲମ ଓ ବେଶ, ରାତି ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧ୍ୟାହ୍ନଧୂପ, ରାତି ୧୧ଟା ୪୦ରୁ ରାତି ଗୋଟାଏ ଦ୍ବିତୀୟ ଭୋଗମଣ୍ଡପ, ରାତି ଗୋଟାଏରେ ଦକ୍ଷିଣି ଭୋଗ, ରାତି ସାଢ଼େ ୧ଟାରୁ ୨ଟା ମଇଲମ ଓ ବେଶ, ରାତି ୨ଟା ୧୦ରେ ସଂଧ୍ୟା ଆଳତି, ରାତି ସାଢ଼େ ୨ରୁ ସାଢ଼େ ୩ଟା ସଂଧ୍ୟାଧୂପ ଏବଂ ରାତି ୪ଟାରେ ଦତ୍ତ ବନକଲାଗିକୁ ପ୍ରବେଶ ନୀତି ଅନୁଷ୍ଠିତ ହେବ।