୧୫ ଲକ୍ଷ ଟଙ୍କାର ଚାକିରି ଛାଡି ଗାଁରେ ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଏହି ଇଞ୍ଜିନିୟର

236
ADVERTISEMENT


ଝାଡ଼ଖଣ୍ଡ ୧/୭(ଡ଼ି ଏଚ ବି): ପାଖରେ ଥିଲା ଗାଡି, ବିଳାସମୟ ଚାକିରୀ ଓ ଏକ ସୁନେଲି ଭବିଷ୍ୟତ | କିନ୍ତୁ ଏସବୁକୁ ଛାଡି, ସହରୀ ଜୀବନକୁ ପଛରେ ପକାଇ ନିଜ ଗାଁକୁ ଚାଲିଆସିଲେ ଏହି ଇଞ୍ଜିନିୟର | ପରିବର୍ତ୍ତନର ଧାରାରେ କେବଳ ନିଜର ଜୀବନଶୈଳୀ ବଦଳାଇବା ସବୁକିଛି ନୁହେଁ ଏକଥାକୁ ବୁଝିଥିଲେ ୩୨ ବର୍ଷୀୟ ଦେବ କୁମାର ବର୍ମା | ଝାଡ଼ଖଣ୍ଡର କତରାଶ ଜିଲ୍ଲାର ଦେବଙ୍କ ବାପା କୋଇଲା ଖଣିରେ ଶ୍ରମିକ ଥିଲେ ବି ନିଜସ୍ୱ ପରିଶ୍ରମ ଯୋଗୁଁ ଏନଆଇଟି ଓ ଆଇଆଇଏମ ଭଳି ଖ୍ୟାତନାମା ଶିକ୍ଷାନୁଷ୍ଠାନରେ ପାଠ ପଢିଥିଲେ ଦେବ | ଶିକ୍ଷା ସମାପ୍ତ ପରେ ବର୍ଷକୁ ୧୫ ଲକ୍ଷ ଟଙ୍କାର ଚାକିରିର ଅଫର ମିଳିଥିଲା | ତେବେ ସେ ଅତି ନିକଟରୁ ଦେଖିଥିଲେ ଗାଁର ଚିତ୍ର।   ନିଜ ଆଖପାଖ ଅଂଚଳର ଛୋଟ ଛୋଟ ପିଲାମାନେ ପାଠ ପଢିପାରୁନଥିଲେ | ସେମାନଙ୍କ ବାପା-ମା କୋଇଲା ଖଣିରେ ଶ୍ରମିକ ଭାବେ କାମ କରୁଥିବାବେଳେ ପିଲାଙ୍କ ପାଠପଢା ପାଇଁ ପାଖରେ ସମ୍ବଳ ନ ଥିଲା | ସେଥିପାଇଁ ଦେବ ଆରମ୍ଭ କରିଥିଲେ ମାଗଣା ଟ୍ୟୁସନ ସେବା |

୫ ଜଣ ଛାତ୍ରଙ୍କୁ ନେଇ ଆରମ୍ଭ କରିଥିଲେ ‘ପାଠଶାଳା’ | ପିଲାମାନେ କିଭଳି ପାଠ ପଢ଼ିପାରିବେ ସେଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ | ଏବେ ୫୦୦ ଜଣ ପିଲାଙ୍କୁ ଶିକ୍ଷାଦାନ ଦେଉଛନ୍ତି ଦେବ | କେବଳ ଶିକ୍ଷାଦାନ ନୁହେଁ ବରଂ ମାଗଣାରେ ୟୁନିଫର୍ମ ସାଙ୍ଗକୁ କମ୍ ମୂଲ୍ୟରେ ବହି ଯୋଗାଉଛନ୍ତି ଏହି ଇଞ୍ଜିନିୟର | ଏସବୁ କରିବା କେବଳ ଦେବଙ୍କ ପାଇଁ ସମ୍ଭବ ନଥିଲା | ତେଣୁ ଦେବ ନିଜ ସାଙ୍ଗମାନଙ୍କୁ ଏହି ଅଭିଯାନ ବାବଦରେ କହିଥିଲେ | ଦେଶର ବିଭିନ୍ନ ଅନୁଷ୍ଠାନରେ ଉଚ୍ଚପଦରେ ଅବସ୍ଥାପିତ ସାଙ୍ଗମାନେ ୫୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ଯାଏଁ ସହଯୋଗ କଲେ | ଏବେ କେବଳ ପାଠ ବହିରେ ପିଲାମାନଙ୍କୁ ସୀମିତ ନ ରଖି ସେମାନଙ୍କୁ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିଛନ୍ତି ଦେବ | କମ୍ପ୍ୟୁଟର ଶିକ୍ଷା ସହ ପ୍ରୋଜେକ୍ଟର ମାଧ୍ୟମରେ ପ୍ରେରଣାଦାୟୀ କାହାଣୀ ଦେଖାଉଛନ୍ତି ଏହି ଇଞ୍ଜିନିୟର | ଦେବଙ୍କ କହିବା କଥା ଆନନ୍ଦ କୁମାରଙ୍କର ସୁପର ୩୦ ଭଳି ସେ ସୁପର ୫୦ର ପ୍ରୟାସ ଏବେ କରୁଛନ୍ତି | ନିଜ ଗାଁର ପିଲାମାନେ କିଭଳି ସୁରକ୍ଷିତ ଭବିଷ୍ୟତ ପାଇବେ ଏହା ହିଁ ତାଙ୍କର ଇଚ୍ଛା ବୋଲି ଦେବ କୁହନ୍ତି |

Advertisement