ପାଟନାଗଡ଼ ୧/୭(ଡ଼ି ଏଚ ବି) : ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ଜନସାଧାରଣଙ୍କ ଉପସ୍ଥିତିରେ ଉଠବସ କରାଇ ଗିରଫ ହୋଇଥିବା ବିଧାୟକ ସରୋଜ ମେହେରଙ୍କୁ ଆଜି ଭୋର ସମୟରେ ପାଟନାଗଡ଼ରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଆଜି ଭୁବନେଶ୍ୱରର ଏଡିଜେ କୋର୍ଟରେ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହେବ। ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ପାଟଣାଗଡ଼ କୋର୍ଟରେ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହୋଇ ପାରି ନାହିଁ । ସେଥିପାଇଁ ଭୁବନେଶ୍ୱର କୋର୍ଟରେ ଶୁଣାଣି କରାଯିବ ବୋଲି କୁହାଯାଉଛି । । ଗତକାଲି ସନ୍ଧ୍ୟାରେ ମେଡ଼ିକାଲରୁ ତାଙ୍କୁ ପାଟନାଗଡ଼ ଜେଲକୁ ନିଆଯାଇଥିଲା । ଉଭୟ ପକ୍ଷଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ମିଳିଥିବା ସୂଚନା ଅନୁଯାୟୀ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ବି ଭୁବନେଶ୍ୱର କୋର୍ଟରେ ଉପସ୍ଥିତ ରହିବେ। ଗତକାଲି ପ୍ରବୀଣା ରାଜହଂସ ଅଭିଯୋଗ କରିଥିଲେ ଯେ ତାଙ୍କ ପରିବାରକୁ ସରୋଜ ମେହେରଙ୍କ ସହଯୋଗୀମାନଙ୍କ ପକ୍ଷରୁ ଧମକଚମକ ଦିଆଯାଉଛି। ସୂଚନାଯୋଗ୍ୟ, ଗତ ଜୁନ୍ ୫ତାରିଖରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇବା ଘଟଣାରେ ଗତ ମାସ ୨୪ ତାରିଖରେ ସରୋଜ ମେହେରଙ୍କୁ ପୁଲିସ ଗିରଫ କରିଥିଲା ।