Friday, September 18, 2026
ADVERTISEMENT
Home ମୁଖ୍ୟ ଖବର ଖୋଜା ହେବେ ନକଲି ଶିକ୍ଷକ : ସେପ୍ଟେମ୍ବର ୩୦ ସୁଦ୍ଧା କନିଷ୍ଠ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ...

ଖୋଜା ହେବେ ନକଲି ଶିକ୍ଷକ : ସେପ୍ଟେମ୍ବର ୩୦ ସୁଦ୍ଧା କନିଷ୍ଠ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ହେବ, ଅକ୍ଟୋବର ୧୫ ସୁଦ୍ଧା ଗଣଶିକ୍ଷା ବିଭାଗକୁ ଦେବେ ‌ରିପୋର୍ଟ

320
ADVERTISEMENT



ଭୁବନେଶ୍ବର ୧/୭ (ଡ଼ିଏଚବି): ନକଲି ବିଏଡ୍‌ ଓ ସିଟି ସାର୍ଟିଫିକେଟ୍‌ ଦେଇ ନିଯୁକ୍ତି ପାଇଛନ୍ତି ପ୍ରାଥମିକ ଶିକ୍ଷକ। ପଦୋନ୍ନତି ବି ପାଇଛନ୍ତି। ଅଧିକାଂଶ ଜିଲ୍ଲାରେ ଶିକ୍ଷକମାନେ ନକଲି ସାର୍ଟିଫିକେଟ୍‌ ତଥା ଯୋଗ୍ୟତା ନଥାଇ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ତନାଘନା ଆରମ୍ଭ ହୋଇଛି। ଶିକ୍ଷକଙ୍କ ଯୋଗ୍ୟତା ତଥା ସାର୍ଟିଫିକେଟ୍‌ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ଓ ଓସେପା ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଡିପିସି ଓ ବିଇଓ ସମସ୍ତ କନିଷ୍ଠ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବେ। ଅକ୍ଟୋବର ୧୫ରେ ଯାଞ୍ଚ ସାରି ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବେ। ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଧରାପଡ଼ିଲେ ସମ୍ପୃକ୍ତ ଶିକ୍ଷକଙ୍କୁ ବହିଷ୍କାର ପରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ନିର୍ଦେଶ ଦେବା କି ନକଲି ଶିକ୍ଷକ ଧରାପଡ଼ିବା ଭଳି ଘଟଣା ବାରମ୍ବାର ହୋଇଚାଲିଛି। ଗତ ୩ ବର୍ଷ ହେଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନକଲି ଶିକ୍ଷକଙ୍କ ପ୍ରା‌ର୍ଦୁଭାବ ବଢ଼ି ବଢ଼ି ଚାଲିଛି। ଅଭିଯୋଗ ହେବା ପରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଉଛି। ‌ତେବେ ପରବର୍ତୀ ସମୟରେ ଫଳ ଶୂନ। ୨୦୧୫ ନଭେମ୍ବରରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଶିକ୍ଷକମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ୬ ଥର ଚିଠି ଲେଖାଯାଇଛି। ତଥାପି ଶିକ୍ଷା ଅଧିକାରୀ ରିପୋର୍ଟ ପ୍ରଦାନ କରିବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି। ଫଳସ୍ବରୂପ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି ପାଇଥିବା ଶିକ୍ଷକଙ୍କୁ ଧରାଯାଇପାରୁ ନାହିଁ।

ଏବେ ପୁଣି ଅଭିଯୋଗ ଆସିଛି ଯେ କନିଷ୍ଠ ଶିକ୍ଷକ ଓ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକମାନେ ନକଲି ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ତେଣୁ ନିୟମିତ ହେବା ପୂର୍ବରୁ ସମସ୍ତ କନିଷ୍ଠ ଶିକ୍ଷକଙ୍କ ଶିକ୍ଷାଗତ ଓ ତାଲିମପ୍ରାପ୍ତ ପ୍ରମାଣପତ୍ର ଯାଞ୍ଚ କରାଯିବ। ନିଯୁକ୍ତ ପାଇଥିବା ଶିକ୍ଷକମାନଙ୍କ ସାର୍ଟିଫିକେଟ୍‌ ଠିକ୍‌ ଅଛି କି ନାହିଁ? କେଉଁ ଅନୁଷ୍ଠାନରୁ ପାସ୍‌ ସାର୍ଟିଫିକେଟ୍‌ ପାଇଛନ୍ତି? ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନରୁ ବିଏଡ୍‌ ଓ ସିଟି ପାସ୍‌ କରିଥିଲେ ଉକ୍ତ ଅନୁଷ୍ଠାନ କୌଣସି ବିଶ୍ବବିଦ୍ୟାଳୟ ଅନୁବନ୍ଧିତ କି ନୁହେଁ? ନକଲି ଶିକ୍ଷାନୁଷ୍ଠାନ ହୋଇଥିଲେ ତାହାର ଯାଞ୍ଚ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି।ଆହୁରି କୁହାଯାଇଛି ଯେ, ଯେଉଁ ଶିକ୍ଷକଙ୍କ ପ୍ରମାଣପତ୍ର ଠିକ୍‌ ବୋଲି ଜଣାପଡ଼ିବ ତାହା ଯାଞ୍ଚ ହେଲା ବୋଲି ସରକାରଙ୍କୁ ଜଣାଇବେ। ଯେଉଁଠି ନକଲି ସାର୍ଟିଫିକେଟ୍‌ ମିଳିବ ସଙ୍ଗେ ସ‌ଙ୍ଗ‌େ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ନ ହେଲେ ଏନେଇ ସରକାରଙ୍କୁ ସୁପାରିଶ କରିବେ। ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନିତ କରିବା ଲାଗି ଏକ କମିଟି ଗଠନ ହୋଇଛି। କମିଟିରେ ଥିବା ସଦସ୍ୟମାନେ ଯାଞ୍ଚ ବ୍ୟବସ୍ଥାର ଟିକିନିଖି ଅନୁଧ୍ୟାନ କରିବେ।



Advertisement