ରାଇରଙ୍ଗପୁର,୧୬।୨ (ଡି.ଏଚ ) : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚମ୍ପାଉଦା ଗ୍ରାମ୍ୟ ପୋଖରୀରେ ପଡ଼ି ୩ବର୍ଷର ଶିଶୁ ପୁତ୍ର ମୃତ ହୋଇଥିବା ଏକ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରକାଶ ଥାଉକି ଚମ୍ପାଉଦା ଗ୍ରାମର ମନୋଜ କୁମ୍ଭାକାରଙ୍କ ସ୍ତ୍ରୀ ଶନିବାର ଦିନ୧୨ଟା ପାଖାପାଖି ସମୟରେ ନିଜର ୩ ଶବର୍ଷର ଶିଶୁ ପୁତ୍ରକୁ ସାଙ୍ଗରେ ଧରି ଗାଁ ପୋଖରୀକୁ ଶୌଚ ଓ ଲୁଗା ସଫା ନିମନ୍ତେ ଯାଇଥିଲେ । ପୋଖରୀ ତୁଠରେ ଲୁଗାପଟା ସଫା କରୁଥିଲା ବେଳେ ପିଲାଟି ପାଖରେ ଖେଳୁ ଖେଳୁ କେତେବେଳେ ପୋଖରୀରେ ପଡ଼ି ଯାଇଥିଲା ମା ‘ ତାଙ୍କର ଜାଣି ପାରି ନ ଥିଲା । କିଛି ସମୟପରେ ହଠାତ୍ ମା’ପୁଅକୁ ଖୋଜିଲା ବେଳକୁ ପୁଅ ପୋଖରୀରେ ପଡ଼ିଯାଇଥିଲା । ପୋଖରୀରୁ ପିଲାକୁ ଉଠାଇ ବାଇକ୍ ସାହାଯ୍ୟରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ । ଡାକ୍ତର କଥା ଶୁଣି ହତଭାଗିନୀ ମା’ର ଚିତ୍କାର ଓ କାନ୍ଦ ବୋବାଳିରେ ରାଇରଙ୍ଗପୁର ଡାକ୍ତରଖାନା ଉଠୁଥିଲା ପଡୁଥିଲା । ରବିବାର ଦିନ ପିଲାଟିର ଶବ ବ୍ୟବଚ୍ଛେଦ କରାଯିବ । ପୋଲିସ ୩/୨୦ଅପମୃତ୍ଯୁ ମାମଲା ରୁଜୁ କରିଛି ।

















