Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର ଘଣ୍ଟାକରେ ଭାସିଲା : ୧୬.୫ମିମି ବର୍ଷା ପାଣି ବି ନାକେଦମ୍ କଲା, ବିଏମ୍‌ସି ଓ ପୂର୍ତ୍ତ...

ଘଣ୍ଟାକରେ ଭାସିଲା : ୧୬.୫ମିମି ବର୍ଷା ପାଣି ବି ନାକେଦମ୍ କଲା, ବିଏମ୍‌ସି ଓ ପୂର୍ତ୍ତ ବିଭାଗ ପ୍ରସ୍ତୁତି ଫେଲ୍‌ ମାରିଲା

323
ADVERTISEMENT

ଭୁବନେଶ୍ବର ୧/୭ (ଡ଼ିଏଚବି) : ମୌସୁମୀ ବର୍ଷାକୁ ମୁକାବିଲା କରିବା ପାଇଁ ବିଏମ୍‌ସି, ପୂର୍ତ୍ତ ବିଭାଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ବିଭିନ୍ନ ଡ୍ରେନ୍ ସଫା କରିବା ସହିତ ରାଜଧାନୀର ୧୦ଟି ଯାକ ନାଳର ବି ସଫେଇ ହୋଇଥିଲା। ବିଭିନ୍ନ ସ୍ଥାନରୁ ଜବରଦଖଲ ଉଚ୍ଛେଦ ହୋଇଥିଲା। ହେଲେ ସବୁ ଫେଲ୍‌ ମାରିଲା। ମାତ୍ର ଘଣ୍ଟାକରେ ହୋଇଥିବା ୧୬.୫ମିଲିମିଟର ବର୍ଷାରେ ରାଜଧାନୀର ବହୁ ଅଞ୍ଚଳ ଉବୁଟୁବୁ ହୋଇଛି। ଯଦିଓ ପାଣି ଅଧିକ ସମୟ ପାଇଁ ରାସ୍ତାରେ ଜମିକି ରହିନି କିନ୍ତୁ ଯେତିକି ସମୟ ଜମିଲା ସେଥିରେ ‌ରାଜଧାନାବାସୀଙ୍କୁ ନାକେଦମ୍ କରିଦେଲା। ଲଘୁଚାପ ଜନିତ ବର୍ଷା ରାଜଧାନୀରେ ଆଜିଠୁ ହେବ ବୋଲି ପାଣିପାଗ ବିଭାଗ ତିନି ଦିନ ତଳୁ ପୂର୍ବାନୁମାନ କରିଥିଲା। କିନ୍ତୁ ବିଏମ୍‌ସି ପକ୍ଷରୁ ଯେମିତି ପ୍ରସ୍ତୁତି ହେବା କଥା ହେଲାନି। ଜାତୀୟ ରାଜପଥରୁ ଆରମ୍ଭ କରି ଜନପଥ, କଟକରୋଡ୍‌, ବିଦ୍ୟୁତ ମାର୍ଗ, ଜୟଦେବ ବିହାର-ନନ୍ଦନକାନନ ରାସ୍ତା ସମେତ ପୂରା ରାଜଧାନୀରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲା। ରାସ୍ତାରେ ଅଣ୍ଟେ ଉଚ୍ଚରେ ପାଣି ଚାଲିଲା। ଏପରିକି ଓଭରବ୍ରିଜ୍‌ଗୁଡ଼ିକ ଉପରେ ବି ପାଣି ସୁଅ ଛୁଟିଲା। ତଳି ଅଞ୍ଚଳରେ ତ ସ୍ଥିତି ସାଂଘାତିକ ହୋଇଗଲା। ଅଧିକାଂଶ ଘରେ ପାଣି ପଶିଲା ହେଲେ ବିଏମ୍‌ସିର ପାଣି ପମ୍ପ କାମ ଦେଲାନି। ପୂରା ରାଜଧାନୀ ଆଜି ଲଘୁଚାପ ବର୍ଷାରେ ଭାସିଛି। ବାଣୀବିହାର ଛକରୁ ଆରମ୍ଭ କରି ରାଜମହଲ ପର୍ଯ୍ୟନ୍ତ ଜନପଥରେ ଆଜି ପାଣି ଜମିଥିବା ଦେଖିବାକୁ ମିଳିଥିଲା। ମଝିରେ ମଝିରେ ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ିଦେଲେ ସବୁଠି ଆଣ୍ଠୁଏ ଉଚ୍ଚରେ ପାଣି ଚାଲିଥିଲା। ଏପରିକି ରୂପାଲି ଛକ, ଶ୍ରୀୟା ଛକରେ ସ୍ଥିତି ସାଂଘାତିକ ହୋଇଥିଲା। ଏହି ରାସ୍ତାରେ ଓପିଟିସିଏଲ୍‌ ପକ୍ଷରୁ ଭୂତଳ କେବୁଲ୍‌ ବିଛାଇବା ପାଇଁ ରାସ୍ତା ଖୋଳା ଯାଇଥିବାବେଳେ ଏହା ବର୍ଷା ସମୟରେ ଅସମ୍ଭାଳ ଭିଡ଼ର କାରଣ ସାଜିଥିଲା। ଏପରିକି କେତେକ ସ୍ଥାନରେ ଲୋକ ଏହି ଗାତରେ ପଡ଼ି ଖଣ୍ଡିଆଖାବରା ହୋଇଥିଲେ।

ଆଉ ଦୁଇଦିନ ପ୍ରବଳ ବର୍ଷା, ଏତିକିରେ ଏତେ

ଆଜି ମାତ୍ର ୧୬.୫ମିମି ବର୍ଷାରେ ରାଜଧାନୀ ସ୍ଥିତି ସଙ୍ଗିନ ହୋଇଗଲା। ଏପଟେ ପାଣିପାଗ ବିଭାଗ ପୂର୍ବାନୁମାନ କଲାଣି ସୋମବାର ଓ ମଙ୍ଗଳବାର ପ୍ରବଳ ବର୍ଷା ହେବ। ଯଦି ପାଣିପାଗ ପୂର୍ବାନୁମାନ ସତ ହେଲା ତେବେ ରାଜଧାନୀ ସ୍ଥିତି କେତେ ଦୟନୀୟ ହେବ ତାହା ଆଜି ରାଜଧାନୀବାସୀ ଅନୁମାନ କରିନେଇଛନ୍ତି। ମୌସୁମୀ ପୂର୍ବରୁ ପର୍ଯ୍ୟାପ୍ତ ପ୍ରସ୍ତୁତି ନକରିବା, ରାସ୍ତାଗୁଡ଼ିକର ଭୁଲ୍‌ ଡିଜାଇନ୍, ‌ହଜାର ହଜାର ଜବରଦଖଲ, ବିଡିଏ ଓ ବିଏମ୍‌ସିର ବ୍ଳଉପ୍ରିଣ୍ଟର ଅଭାବ ରାଜଧାନୀବାସୀଙ୍କୁ ଆସନ୍ତା ଦୁଇ ଦିନ ନାକେଦମ୍ କରିବା ଥୟ।


Advertisement