Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର ମହାପ୍ରଭୁ ସୁସ୍ଥ: ରକ୍ତବସ୍ତ୍ର ପିନ୍ଧିଲେ, ଲାଗିହେଲା ପ୍ରଥମ ତୁଳସୀ; ଆସନ୍ତାକାଲି ଗଜପତିଙ୍କୁ ଦିଆଯିବ ସୂଚନା

ମହାପ୍ରଭୁ ସୁସ୍ଥ: ରକ୍ତବସ୍ତ୍ର ପିନ୍ଧିଲେ, ଲାଗିହେଲା ପ୍ରଥମ ତୁଳସୀ; ଆସନ୍ତାକାଲି ଗଜପତିଙ୍କୁ ଦିଆଯିବ ସୂଚନା

୪୦କେଜି ଚନ୍ଦନରେ ହେଲା ସର୍ବାଙ୍ଗ ବେଶ; ଆସନ୍ତାକାଲି ହେବ ରାଜପ୍ରାସାଦ ବିଜେ ନୀତି

304
ADVERTISEMENT

ପୁରୀ, ୩୦/୬(ଡ଼ିଏଚବି): ଚାଲିଛି ଗୋପନ ସେବା। ଗତକାଲି ମହାପ୍ରଭୁ ଚକାବିଜେ କରିବାପରେ ଆଜି ଅଣସର ନୀତି ଚକା ଉପରେ ସଂପନ୍ନ ହୋଇଛି। ଆଜି ଖଳିଲାଗି, ରକ୍ତବସ୍ତ୍ର ଲାଗି, ସର୍ବାଙ୍ଗ ଚନ୍ଦନ ଆଦି ଗୋପନ ନୀତି ସବୁ ସଂପନ୍ନ ହୋଇଛି। ଗତକାଲି ଶ୍ରୀମନ୍ଦିରକୁ ବିଜେ ହୋଇଥିବା ମହୌଷଧି ଦଶମୂଳ ଆଜି ବି ମହାପ୍ରଭୁଙ୍କୁ ଲାଗି କରାଯାଇଛି। ଦୀର୍ଘଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳାଫୁଲ ଲାଗି କରାଯାଉଥିବା ବେଳେ ଆଜିଠାରୁ ତୁଳସୀ ଲାଗି ହୋଇଛି। ବିଳମ୍ୱିତ ରାତିରେ ଏସବୁ ନୀତି ସଂପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଛନ୍ତି।

ସେହିପରି ଆସନ୍ତାକାଲି ମହାପ୍ରଭୁଙ୍କ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେଉଛି। ଆସନ୍ତାକାଲି ସକାଳ ସୁଦ୍ଧା ମହାପ୍ରଭୁଙ୍କ ଗୁପ୍ତନୀତି ସରିବା ପରେ ପୂର୍ବାହ୍ନ ସାଢ଼େ ୧୦ଟାରେ ରାଜପ୍ରାସାଦ ବିଜେ ନୀତି ସଂପନ୍ନ ହେବ ବୋଲି ଜଣାପଡ଼ିଛି। ଦଇତାପତି ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ରାଜପ୍ରାସାଦକୁ ନେବେ। ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ରଥଯାତ୍ରା ଓ ଗୁପ୍ତନୀତି ସଂପର୍କରେ ସୂଚନା ଦେବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ସେହିଭଳି, ବିଳମ୍ୱିତ ରାତିରେ ଘଣାଲାଗି ନୀତି ମଧ୍ୟ ଆରମ୍ଭ ହେବାକୁ ଯାଉଛି।

Advertisement