ଶୈଳବାଳାର ୪ଶହ ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର : ୬ ଦିନରେ ୫ ଥର ସଂଶୋଧନ ପରେ ବି ମିଳୁନି ଠିକ୍‌ ମାର୍କ

270
ADVERTISEMENT



କଟକ ୩୦/୬(ଡ଼ିଏଚବି) : ଶୈଳବାଳା ମହିଳା କଲେଜର ୪ଶହରୁ ଅଧିକ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ରମାଦେବୀ ବିଶ୍ବବିଦ୍ୟାଳୟ। ଚଳିତମାସ ୨୪ ତାରିଖରେ ଯୁକ୍ତ ତିନି ପରୀକ୍ଷାଫଳ ପ୍ରକାଶ ପାଇଥିଲେ ବି ଆଜି ପର୍ଯ୍ୟନ୍ତ ଛାତ୍ରୀଙ୍କୁ ଠିକ୍‌ ମାର୍କ ମିଳୁ ନଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏପରି ସ୍ଥିତିରେ ଉଚ୍ଚ ଶିକ୍ଷା ପାଇଁ ଛାତ୍ରୀଙ୍କୁ ରାଜ୍ୟ ବାହାର ଓ ଭିତରର ବିଶ୍ବବିଦ୍ୟାଳୟ ଓ କଲେଜରେ ଆବେଦନ କରିବାରେ ସମସ୍ୟା ହେଉଛି। ଏପରିକି ଅନେକ ବିଶ୍ବବିଦ୍ୟାଳୟରେ ଜୁନ୍‌ ‌୩୦ ତାରିଖ ଆବେଦନର ଶେଷ ତାରିଖ ଥିବା ବେଳେ ମାର୍କକୁ ନେଇ ଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି। ଗତକାଲି ୱେବସାଇଟ୍‌ରେ କେବଳ ଜଣେ ଛାତ୍ରୀଙ୍କ ମାର୍କ ପ୍ରକାଶ ପାଉଥିବା ବେଳେ ଆଜି ସାଇଟ୍‌ ଖୋଲିଲେ ବ୍ଲାଙ୍କ ଆସୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଫଳ ପ୍ରକାଶ ପାଇବାଠାରୁ ୬ଦିନ ମଧ୍ୟରେ ୫ ଥର ମାର୍କକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସଂଶୋଧନ କରାଯାଇଥିବା ବେଳେ ଛାତ୍ରୀଙ୍କୁ କିନ୍ତୁ ଠିକ୍‌ ମାର୍କ ମିଳି ନାହିଁ। ୨୪ ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇଥିଲେ ବି ବିଶ୍ବବିଦ୍ୟାଳୟ ୱେବସାଇଟ୍‌ ୨୫ରେ ଖୋଲିଥିଲା। ପ୍ରଥମେ କେବଳ ଷଷ୍ଠ ସେମିଷ୍ଟାର ରେଜଲ୍ଟ ପ୍ରକାଶ ପାଇଥିଲା। ଏହାକୁ ଛାତ୍ରୀ ଓ ଅଭିଭାବକ ବିଶ୍ବବିଦ୍ୟାଳୟକୁ ଜଣାଇବା ପରେ ସଂଧ୍ୟାରେ ସଂପୂର୍ଣ୍ଣ ୬ଟି ସେମିଷ୍ଟାର ଫଳ ପ୍ରକାଶ ପାଇଥିଲା। ମାତ୍ର ଏଥିରେ ଅନେକ ଭୁଲ ଥିବାର ଦେଖିବାକୁ ମିଳିଥିଲା। ଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କକୁ ମିଶା ଯାଇନଥିବା ବେଳେ ଆଉ କିଛି ଛାତ୍ରୀ ବ୍ୟାକ୍‌ପେପ୍‌ର ପରୀକ୍ଷା ଦେଇଥିଲେ ବି ସେମାନଙ୍କୁ ପୁରୁଣା ମାର୍କ ଦିଆଯାଇଥିଲା। ଏହାର ସଂଶୋଧନ ପାଇଁ ପୁଣି ଛାତ୍ରୀ କହିବାରୁ ଆଉଥରେ ମାର୍କକୁ ପରିବର୍ତ୍ତନ କରାଯାଇ ୱେବସାଇଟ୍‌ରେ ଛଡ଼ାଗଲା। ଏଥିରେ ମଧ୍ୟ ଅନେକ ଛାତ୍ରୀଙ୍କର କୌଣସି ବ୍ୟାକ୍‌ପେପର ନ ଥିବା ବେଳେ, ସବୁ ବିଷୟରେ ୭୦ ପ୍ରତିଶତରୁ ଅଧିକ ମାର୍କ ଥିଲେ ବି ସେମାନଙ୍କର ଡିଷ୍ଟିଂସନ୍‌କୁ କାଟି ଦିଆଯାଇଥିଲା। ଏହାର ସଂଶୋ‌ଧନ ପାଇଁ ଛାତ୍ରୀମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଥିଲେ। ଆଉଥରେ ବିଶ୍ବବିଦ୍ୟାଳୟ ପକ୍ଷରୁ ମାର୍କ ପ୍ରକାଶ ପାଇଥିଲା। ଏଥିରେ ମଧ୍ୟ କିଛି ଛାତ୍ରୀ ଇଲେକ୍ଟିଭ୍‌ ଓ ସମ୍ମାନରେ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କୁ ଅନୁପସ୍ଥିତ ଦର୍ଶାଯାଇଛି। ଏହାର ସଂଶୋଧନ କରିବାକୁ ଛାତ୍ରୀମାନେ ବିଶ୍ବବିଦ୍ୟାଳୟକୁ କହିଥିଲେ। ମାତ୍ର ଗତକାଲି ଛାତ୍ରୀମାନେ ନିଜ ଆଇଡି ଓ ପାସ୍‌ୱାର୍ଡ ଦେଲେ ବି ୱେବସାଇଟ୍‌ରେ କେବଳ ଗୋଟିଏ ଛାତ୍ରୀ ଅଲିଶା ଜେନାଙ୍କ ମାର୍କ ପ୍ରକାଶ ପାଉଥିଲା। ଆଜି ୱେବସାଇଟ୍‌ରେ ମାର୍କ ଜାଣିବାକୁ ଖୋଲିବା ସମୟରେ ଏହା ବ୍ଲାଙ୍କ୍‌ ରହୁଛି ବୋଲି ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଏପ୍ରିଲ ମାସରେ ପରୀକ୍ଷା ‌ଶେଷ ହୋଇଥିବା ବେଳେ ବିଶ୍ବବିଦ୍ୟାଳୟ ଏପରି ଭୁଲ ମାର୍କ ବାରମ୍ବାର ୱେବସାଇଟ୍‌ରେ ଛାଡି ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଅଭିଯୋଗ ହୋଇଛି।



Advertisement