ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

338
Image: DSLRnews
ADVERTISEMENT

ନୂଆଦିଲ୍ଲୀ ,୧୦/୨(ଡିଏଚ) : ମହାମହିମ,ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ,ସମ୍ମାନିତ ଅତିଥି ବୃନ୍ଦ,ଆୟୁବୋଓନ! ୱଣକ୍କମ ନମସ୍କାର! ସର୍ବପ୍ରଥମେ ମୁଁ ମୋର ବନ୍ଧୁ ମହିନ୍ଦା ରାଜପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିବାରୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି । ପଦରେ ଅବସ୍ଥାପିତ ହେବା ପରେ ପରେ ମୋର ଆମନ୍ତ୍ରଣ ସ୍ୱୀକାର କରିଥିଲେ ଏବଂ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତ ଆସିଥିଲେ । ସେଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ । କିଛିଦିନ ପୂର୍ବରୁ ଶ୍ରୀଲଙ୍କା ନିଜ ସ୍ୱାଧୀନତାର ୭୨ତମ ବାର୍ଷିକ ପାଳନ କରିଛି । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ରାଜପକ୍ଷ ଏବଂ ଶ୍ରୀଲଙ୍କାର ସମସ୍ତ ଜନସାଧାରଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଭାରତ ଏବଂ ଶ୍ରୀଲଙ୍କା କେଉଁ ଅନନ୍ତ କାଳରୁ ପଡୋଶୀ ହେବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ମଧ୍ୟ । ଆମ ସଂପର୍କର ଇତିହାସ ସଂସ୍କୃତି, ଧର୍ମ, ଆଧ୍ୟାତ୍ମିକତା, କଳା ଏବଂ ଭାଷା ଭଳି ଅଗଣିତ ରଙ୍ଗ- ବେରଙ୍ଗ ସୂତାରେ ପରସ୍ପର ସହିତ ବାନ୍ଧି ହୋଇଛି । ସୁରକ୍ଷା ହେଉ ଅବା ଅର୍ଥବ୍ୟବସ୍ଥା ଅବା ସାମାଜିକ ପ୍ରଗତି, ପ୍ରତ୍ୟେକ କ୍ଷେତ୍ରରେ ଆମ ଅତୀତ ଏବଂ ଆମ ଭବିଷ୍ୟତ ପରସ୍ପର ସହିତ ସଂଶ୍ଳିଷ୍ଟ । ଶ୍ରୀଲଙ୍କାରେ ସ୍ଥାୟିତ୍ୱ, ସୁରକ୍ଷା, ଏବଂ ସମୃଦ୍ଧି ଭାରତର କଲ୍ୟାଣ ପାଇଁ ରହିଛି, ସଂପୂର୍ଣ୍ଣ ଭାରତ ମହାସାଗର କ୍ଷେତ୍ରର କଲ୍ୟାଣ ପାଇଁ ମଧ୍ୟ ରହିଛି ଏବଂ ସେଥିପାଇଁ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମଧ୍ୟ ଶାନ୍ତି ଏବଂ ସଦଭାବନା ପାଇଁ ଆମର ଘନିଷ୍ଠ ସହଯୋଗ ଅତ୍ୟନ୍ତ ମୂଲ୍ୟବାନ । ଆମ ସରକାରଙ୍କ ‘ପଡୋଶୀ ପ୍ରଥମ’ ନୀତି ଏବଂ ‘ସାଗର’ ନୀତି ଅନୂରୂପ ଆମେ ଶ୍ରୀଲଙ୍କା ସହିତ ସଂପର୍କକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଉ । କ୍ଷେତ୍ରୀୟ ସୁରକ୍ଷା ଏବଂ ବିକାଶ ପାଇଁ ଭାରତ ସହିତ ମିଶି କାମ କରିବା ପାଇଁ ଶ୍ରୀଲଙ୍କା ସରକାରଙ୍କ ସଂକଳ୍ପକୁ ଆମେ ସ୍ୱାଗତ କରୁଛୁ ।

ବନ୍ଧୁଗଣ,

ଆଜି ପ୍ରଧାନମନ୍ତ୍ରୀ ରାଜପକ୍ଷ ଏବଂ ମୁଁ ଆମ ଦ୍ୱିପାକ୍ଷିକ ସଂପର୍କର ସମସ୍ତ ଦିଗଗୁଡିକୁ ଏକ ପାରସ୍ପରିକ କଲ୍ୟାଣକାରୀ ଅନ୍ତର୍ଜାତୀୟ ବିଷୟ ଗୁଡିକ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲୁ । ଆତଙ୍କବାଦ ଆମ ପାଇଁ ଏକ ବହୁତ ବଡ ବିପଦ । ଆମେ ଦୁଇ ଦେଶ ଏହି ସମସ୍ୟାକୁ ଦୃଢତାର ସହ ମୁକାବିଲା କରିଛୁ । ବିଗତ ବର୍ଷ ଏପ୍ରିଲରେ ଶ୍ରୀଲଙ୍କାରେ ‘ଇଷ୍ଟର ଡେ’ରେ ଅତ୍ୟନ୍ତ ଦୁଃଖଦ ଏବଂ ବର୍ବର ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ କେବଳ ଶ୍ରୀଲଙ୍କା ଉପରେ ନୁହେଁ, ବରଂ ସଂପୂର୍ଣ୍ଣ ମାନବତାକୁ ଆଘାତ କରିଥିଲା ଏବଂ ସେଥିପାଇଁ ଆଜି ଆମ ଆଲୋଚନାବେଳେ ଆମେ ଆତଙ୍କବାଦ ବିରୁଦ୍ଧରେ ନିଜର ସହଯୋଗକୁ ଆହୁରି ଅଧିକ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲୁ । ମୁଁ ଅତ୍ୟନ୍ତ ଖୁସି ଯେ ଭାରତର ପ୍ରମୁଖ ଟ୍ରେନିଂ ସଂସ୍ଥାଗୁଡିକରେ ଆତଙ୍କବାଦ ନିରୋଧୀ ପାଠ୍ୟକ୍ରମଗୁଡିକରେ ଶ୍ରୀଲଙ୍କା ପୁଲିସ ଅଧିକାରୀମାନେ ଅଂଶଗ୍ରହଣ କରିବା ଆରମ୍ଭ କରିଦେଲେଣି । ଦୁଇ ଦେଶର ଏଜେନ୍ସୀମାନଙ୍କ ମଧ୍ୟରେ ସଂପର୍କ ଏବଂ ସହଯୋଗକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ମଧ୍ୟ ଆମେ ପ୍ରତିଶୃତିବଦ୍ଧ ।

ବନ୍ଧୁଗଣ,

ଆଜିର ଆଲୋଚନାରେ ଆମେ ଶ୍ରୀଲଙ୍କାରେ ସଂଯୁକ୍ତ ଅର୍ଥନୈତିକ ପ୍ରକଳ୍ପଗୁଡିକ ଉପରେ, ଅର୍ଥନୈତିକ, ବ୍ୟବସାୟିକ ଏବଂ ପୁଞ୍ଜି ନିବେଶ ସଂପର୍କକୁ ଆହୁରି ବିସ୍ତାର କରିବା ଉପରେ ମଧ୍ୟ ଆଲୋଚନା କରିଥିଲୁ । ଆମେ ଜନସାଧାରଣଠାରୁ ଜନସାଧାରଣ ସଂପର୍କ ବୃଦ୍ଧି, ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବା, ଏବଂ ସଂଯୋଗ ବ୍ୟବସ୍ଥାକୁ ଉତ୍ତମ କରିବା ଉପରେ ମଧ୍ୟ ଆଲୋଚନା କରିଥିଲୁ ।

ଚେନ୍ନାଇ ଏବଂ ଜାଫନା ମଧ୍ୟରେ କିଛି ଦିନ ପୂର୍ବେ ଆରମ୍ଭ କରାଯାଇଥିବା ବିମାନ ସେବାର ଆରମ୍ଭ, ଏହି କ୍ଷେତ୍ରରେ ଆମ ପ୍ରଚେଷ୍ଟାର ଅଂଶବିଶେଷ । ଏହି ବିମାନ ସେବା ଜରିଆରେ ଶ୍ରୀଲଙ୍କାର ଉତ୍ତର କ୍ଷେତ୍ରରେ ତାମିଲ ଜନସଂଖ୍ୟା ପାଇଁ ସଂଯୋଗର ବିକଳ୍ପ ବୃଦ୍ଧି ହେବ । ଏହା ଏହି ଅଞ୍ଚଳର ଆର୍ଥିକ ଏବଂ ସାମାଜିକ ବିକାଶ ପାଇଁ ମଧ୍ୟ ଲାଭଦାୟକ ହେବ । ଏହି ବିମାନ ସେବାର ସଫଳତା ଆମ ଦୁଇ ଦେଶ ପାଇଁ ଆନନ୍ଦର ବିଷୟ । ଏହି ସଂପର୍କକୁ ଆହୁରି ବିସ୍ତୃତ କରିବା, ସଂସ୍କାର ଆଣିବା ଏବଂ ସ୍ଥାୟୀ କରିବା ଦିଗରେ ଆହୁରି ପ୍ରଚେଷ୍ଟା କରିବା ନେଇ ଆଲୋଚନା କରିଥିଲୁ ।

ବନ୍ଧୁଗଣ,

ଶ୍ରୀଲଙ୍କାର ବିକାଶ ପ୍ରଚେଷ୍ଟାରେ ଭାରତ ଏକ ବିଶ୍ୱସ୍ତ ଅଂଶୀଦାର । ବିଗତ ବର୍ଷ ଘୋଷଣା କରାଯାଇଥିବା ନୂତନ ଲାଇନ୍ସ ଅଫ କ୍ରେଡିଟ ଋଣ ସହାୟତାରୁ ଆମ ବିକାଶ ସହଯୋଗକୁ ଆହୁରି ଅଧିକ ସୁଦୃଢ କରିହେବ । ଆମେ ଅତ୍ୟନ୍ତ ଖୁସି ଯେ ଶ୍ରୀଲଙ୍କାର ଉତ୍ତର ଏବଂ ପୂର୍ବ କ୍ଷେତ୍ରରେ ବିସ୍ଥାପିତ ଲୋକମାନଙ୍କ ପାଇଁ ୪୮,୦୦୦ରୁ ଅଧିକ ଗୃହ ନିର୍ମାଣର ଇଣ୍ଡିଆନ ହାଉସିଂ ପ୍ରୋଜେକ୍ଟ ସଂପୂର୍ଣ୍ଣ କରାଯାଇଛି । ଏହା ବ୍ୟତୀତ ଅପ-କଣ୍ଟ୍ରୀ କ୍ଷେତ୍ରରେ ଭାରତୀୟ ବଂଶୋଦ୍ଭବ ତାମିଲ ଲୋକମାନଙ୍କ ପାଇଁ ଅନେକ ହଜାର ଗୃହର ନିର୍ମାଣ କାର୍ୟ୍ୟ ମଧ୍ୟ ଜାରି ରହିଛି । ପ୍ରଧାନମନ୍ତ୍ରୀ ରାଜପକ୍ଷ ଏବଂ ମୁଁ ମତ୍ସ୍ୟଜୀବୀଙ୍କର ମାନବିକ ବିଷୟଗୁଡିକ ଉପରେ ଆଲୋଚନା କରିଥିଲୁ । ଏହି ବିଷୟର ପ୍ରଭାବ ଦୁଇ ଦେଶର ଲୋକମାନଙ୍କର ଜୀବନଜୀବିକା ଉପରେ ସିଧାସଳଖ ଭାବେ ପଡୁଛି । ସେଥିପାଇଁ, ଆମେ ଏହି ବିଷୟ ଉପରେ ଗଠନମୂଳକ ଏବଂ ମାନବୀୟ ଦୃଷ୍ଟିକୋଣରୁ ଜାରି ରଖିବା ପାଇଁ ସହମତି ଜଣାଇଛୁ ।

ବନ୍ଧୁଗଣ,

ଶ୍ରୀଲଙ୍କାରେ ରି-କନସିଲିଏସନ ସମ୍ବନ୍ଧିତ ବିଷୟଗୁଡିକ ଉପରେ ଆମେ ଖୋଲା ମନରେ ଆଲୋଚନା କରିଥିଲୁ । ମୋର ବିଶ୍ୱାସ ଯେ ଶ୍ରୀଲଙ୍କା ସରକାର ୟୁନାଇଟେଡ ଶ୍ରୀଲଙ୍କାରେ ସମାନତା, ନ୍ୟାୟ, ଶାନ୍ତି ଏବଂ ସମ୍ମାନ ପାଇଁ ତାମିଲ ଲୋକମାନଙ୍କର ଆକାଂକ୍ଷାକୁ ସାକାର କରିବ । ସେଥିପାଇଁ ଏହା ଆବଶ୍ୟକ ଯେ ଶ୍ରୀଲଙ୍କା ସମ୍ବିଧାନରେ ୧୩ତମ ସଂଶୋଧନ ଲାଗୁ କରିବା ସହିତ ରି-କନସିଲିଏସନ ପ୍ରକ୍ରିୟାକୁ ଆଗକୁ ଅଗ୍ରସର କରାଯିବ ।

ବନ୍ଧୁଗଣ, ମୁଁ ପୁନର୍ବାର ପ୍ରଧାନମନ୍ତ୍ରୀ ରାଜପକ୍ଷଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି । ମୋର ବିଶ୍ୱାସ ଯେ ତାଙ୍କର ଏହି ଯାତ୍ରା ଦ୍ୱାରା ଭାରତ ଏବଂ ଶ୍ରୀଲଙ୍କାର ମୈତ୍ରୀ ଏବଂ ବହୁବିଧ ସହଯୋଗ ଆହୁରି ଅଧିକ ମଜବୁତ ହେବ । ଏଥି ସହିତ ଦୁଇ ଦେଶ ମଧ୍ୟରେ କ୍ଷେତ୍ରୀୟ ଶାନ୍ତି ଏବଂ ସ୍ଥାୟିତ୍ୱ ପାଇଁ ସହଯୋଗ ମଧ୍ୟ ବୃଦ୍ଧି ହେବ ।

ବୋହମା ସ୍ଥୁତି,

ନନ୍ଦ୍ରୀ,

ଧନ୍ୟବାଦ !

Advertisement