• ଜନସାଧାରଣ ବେଗ, ବ୍ୟାପକତା, ଦୃଢ଼ସଂକଳ୍ପ ଓ ନିଶ୍ଚିତତା ଚାହାନ୍ତି : ପ୍ରଧାନମନ୍ତ୍ରୀ
• କୃଷି ବଜେଟ ପାଞ୍ଚ ଗୁଣ ବୃଦ୍ଧି ପାଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ
• ଅଧିକ ନିବେଶ, ଉନ୍ନତ ଭିତ୍ତିଭୂମି ଓ ସର୍ବାଧିକ ନିଯୁକ୍ତି ସୃଷ୍ଟି ସରକାରଙ୍କ ସଂକଳ୍ପ
ନୂଆଦିଲ୍ଲୀ, ୭।୨(ଡି.ଏଚ): ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତି ରଖି ଲୋକସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ ଆଶାର ଭାବନା ଜାଗ୍ରତ କରିଛି ଏବଂ ଆଗାମୀ ଦିନରେ ଦେଶକୁ ଆଗେଇ ନେବାର କାର୍ୟ୍ୟଖସଡ଼ା ଏଥିରେ ଉପସ୍ଥାପିତ ହୋଇଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ “ରାଷ୍ଟ୍ରପତି ଏପରି ଏକ ସମୟରେ ଭାଷଣ ରଖିଛନ୍ତି ଯେତେବେଳେ ଆମେ ଏହି ଶତାବ୍ଦୀର ତୃତୀୟ ଦଶକରେ ପାଦ ଥାପୁଛୁ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଶବାସୀଙ୍କ ମନରେ ଆଶା ଜାଗ୍ରତ କରିଛି ଏବଂ ଏଥିରେ ଆଗାମୀ ଦିନରେ ଦେଶକୁ ଆହୁରି ଆଗେଇ ନେବାର କାର୍ୟ୍ୟଖସଡ଼ା ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଦେଶବାସୀ ଆଉ ଅପେକ୍ଷା କରିବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ବେଗ ଓ ବ୍ୟାପକତା, ଦୃଢ଼ସଂକଳ୍ପ ଓ ନିଶ୍ଚିତତା, ସମ୍ବେଦନଶୀଳତା ଓ ସମାଧାନ ଚାହାନ୍ତି । ଆମ ସରକାର ଖୁବ ଦ୍ରୁତ ବେଗରେ କାର୍ୟ୍ୟ କରିଛନ୍ତି । ଯାହାର ଫଳସ୍ୱରୂପ ଗତ ୫ ବର୍ଷ ମଧ୍ୟରେ ୩୭ ମିଲିୟନ ଲୋକଙ୍କର ବ୍ୟାଙ୍କ ଆକାଉଂଟ ଖୋଲିପାରିଛି, ୧୧ ମିଲିୟନ ଲୋକଙ୍କ ଘରେ ଶୌଚାଳୟ ନିର୍ମିତ ହୋଇଛି, ୧୩ ମିଲିୟନ ଲୋକଙ୍କ ଘରେ ରୋଷେଇ ଗ୍ୟାସ ସଂଯୋଗ ହୋଇଛି । ଆଜି ୨ କୋଟି ଲୋକଙ୍କର ନିଜ ଘରେ ରହିବାର ସ୍ୱପ୍ନ ସାକାର ହୋଇଛି । ଦିଲ୍ଲୀରେ ୧୭୦୦ରୁ ଊର୍ଦ୍ଧ୍ଵ ବେଆଇନ କଲୋନୀରେ ରହୁଥିବା ୪୦ ଲକ୍ଷ ଲୋକଙ୍କର ଦୀର୍ଘ ପ୍ରତୀକ୍ଷା ଏବେ ଶେଷ ହୋଇଛି ।
କୃଷି ବଜେଟରେ ୫ ଗୁଣା ବୃଦ୍ଧି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଆମର ପ୍ରାଥମିକତା । ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି, ଫସଲ ବୀମା ଏବଂ ଜଳସେଚନ ସହ ଜଡ଼ିତ ଯୋଜନା ଅନେକ ଦଶନ୍ଧି ଧରି ପଡ଼ି ରହିଥିଲା । ଆମେ ଏମଏସପିକୁ ଦେଢ଼ ଗୁଣ ବୃଦ୍ଧି କରିଛୁ ଏବଂ ଅଟକି ରହିଥିବା ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଲାଗି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛୁ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସାଢ଼େ ୫ କୋଟିରୁ ଅଧିକ କୃଷକ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହୋଇଛନ୍ତି, କୃଷକମାନଙ୍କୁ ସାଢ଼େ ୧୩ କୋଟି ଟଙ୍କାର ପ୍ରିମିୟମ ମିଳିଛି । ୫୬ ହଜାର କୋଟି ଟଙ୍କାର ବୀମା ଦାବିର ସମାଧାନ ହୋଇଛି ।” ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏହି ସରକାରଙ୍କ କାର୍ୟ୍ୟକାଳ ସମୟରେ କୃଷି ବଜେଟ ୫ ଗୁଣ ବୃଦ୍ଧି ପାଇଛି । “ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ଯୋଜନାରେ ବହୁସଂଖ୍ୟକ କୃଷକଙ୍କ ଜୀବନ ବଦଳିବାରେ ଲାଗିଛି । ୪୫ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରାଶି ହସ୍ତାନ୍ତରିତ କରାଯାଇଛି ଏବଂ ବହୁ କୃଷକଙ୍କୁ ଏହି କାରଣରୁ ଲାଭ ହୋଇଛି । ଏହି ଯୋଜନାରେ କେହି ମଧ୍ୟସ୍ଥ ଓ ଦଲାଲ ନାହାନ୍ତି କିମ୍ବା କୌଣସି ଅତିରିକ୍ତ ଫାଇଲ କାର୍ୟ୍ୟ ଆବଶ୍ୟକ ପଡ଼ୁନାହିଁ ।
ଅଧିକ ନିବେଶ, ଉନ୍ନତ ମୌଳିକ ଭିତ୍ତିଭୂମି ଓ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ପରିକଳ୍ପନା
ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ତାଙ୍କ ସରକାର ରାଜସ୍ୱ ନିଅଂଟ ଉପରେ ଅଂକୁଶ ଲଗାଇ ପାରିଛନ୍ତି । ସେ କହିଥିଲେ, ମୂଲ୍ୟବୃଦ୍ଧି ମଧ୍ୟ ଯାଞ୍ଚ ପରିଧି ମଧ୍ୟକୁ ଆସୁଛି ଏବଂ ବୃହତ ଆର୍ଥିକ ସ୍ଥିରତା ରହିଛି ।
ଶ୍ରୀ ମୋଦୀ ନିବେଶକଙ୍କ ବିଶ୍ୱାସ ବୃଦ୍ଧି କରିବା ଓ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ସେ କହିଥିଲେ, “ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ : ଉଦ୍ୟୋଗ, ଜଳସେଚନ, ସାମାଜିକ ଭିତ୍ତିଭୂମି, ଗ୍ରାମୀଣ ଭିତ୍ତିଭୂମି, ବନ୍ଦର, ଜଳପଥ ଆଦି ।”
“ଷ୍ଟାଣ୍ଡ ଅପ ଇଣ୍ଡିଆ ଏବଂ ମୁଦ୍ରା ଅନେକ ଲୋକଙ୍କ ଜୀବନରେ ସମୃଦ୍ଧି ଆଣିଛି । ମୁଦ୍ରା ହିତାଧିକାରୀଙ୍କ ମଧ୍ୟରେ ପର୍ୟ୍ୟାପ୍ତ ସଂଖ୍ୟାରେ ମହିଳାମାନେ ଅଛନ୍ତି । ମୁଦ୍ରା ଯୋଜନା ଅନ୍ତର୍ଗତ କୋଟି କୋଟି ଯୁବକମାନଙ୍କୁ ଲାଭାନ୍ୱିତ କରିବା ଲାଗି ୨୨ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁରି ମିଳିଛି ।”
ପ୍ରଧାନମନ୍ତ୍ରୀ କହିଥିଲେ, “ସରକାର ଶ୍ରମିକ ସଂଗଠନଗୁଡ଼ିକ ସହିତ ବିଚାରବିମର୍ଶ କରିବା ପରେ ଶ୍ରମ ସଂସ୍କାର ଉପରେ କାମ କରୁଛନ୍ତି ।”
ପ୍ରଧାନମନ୍ତ୍ରୀ କହିଥିଲେ, “ଆମ ପାଇଁ ମୌଳିକ ଭିତ୍ତିଭୂମି ହେଉଛି ଆକାଂକ୍ଷା ଓ ଉପଲବ୍ଧିର ମିଶ୍ରଣ, ଲୋକମାନଙ୍କୁ ସେମାନଙ୍କ ସ୍ୱପ୍ନ ସହ ଯୋଡ଼ିବା, ଲୋକଙ୍କ ସୃଜନଶୀଳତାକୁ ଉପଭୋକ୍ତାଙ୍କ ନିକଟରେ ପହଁଚାଇବା । ଭିତ୍ତିଭୂମି ଜଣେ ଛାତ୍ରକୁ ସ୍କୁଲ ନିକଟରେ ପହଁଚାଇଥାଏ, କୃଷକକୁ ବଜାର ନିକଟରେ ଓ ଜଣେ ବ୍ୟବସାୟୀକୁ ଗ୍ରାହକ ନିକଟରେ ପହଁଚାଇଥାଏ । ଏହା ଲୋକଙ୍କୁ ଲୋକମାନଙ୍କ ସହିତ ଯୋଡ଼ିଥାଏ ।
ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଆହୁରି କହିଥିଲେ ଯେ ଭାରତର ପ୍ରଗତିକୁ ଆଗେଇ ନେବାର ପ୍ରମୁଖ ବାହକ ମଧ୍ୟରୁ ଗୋଟିଏ ହେଉଛି ପରବର୍ତ୍ତୀ ପିଢ଼ିର ମୌଳିକ ଭିତ୍ତିଭୂମି ।
ପୂର୍ବରୁ, ମୌଳିକ ଭିତ୍ତିଭୂମି ଗଠନ କିଛି ହାତଗଣତି ଲୋକଙ୍କ ପାଇଁ ଆର୍ଥିକ ଲାଭର ସୁଯୋଗ ଆଣୁଥିଲା । କିନ୍ତୁ ଏବେ ଆଉ ଏପରି ହେଉନାହିଁ । ଆମେ ଏହି କ୍ଷେତ୍ରକୁ ପାରଦର୍ଶୀ କରିଛୁ । ଯୋଗାଯୋଗ ବୃଦ୍ଧି କରିବା ଲାଗି କାର୍ୟ୍ୟ କରୁଛୁ ।
ସେ କହିଥିଲେ ଯେ ଆଗାମୀ ଦିନରେ ଆମେ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ କରିବୁ । ଏହାଦ୍ୱାରା ବିକାଶ, ଅର୍ଥବ୍ୟବସ୍ଥା ଓ ରୋଜଗାର ବୃଦ୍ଧି ପାଇବ ।



















