Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର: ଆହତ ଅବସ୍ଥାରେ ଖସିଗଲେ ଅଭିଯୁକ୍ତ ସଞ୍ଜୟ; କାର୍‌, ରକ୍ତଭିଜା ଶାର୍ଟ ଜବତ,...

ଖୋର୍ଦ୍ଧାରେ ଏସ୍‌ଟିଏଫ୍‌ର ଏନ୍‌କାଉଣ୍ଟର: ଆହତ ଅବସ୍ଥାରେ ଖସିଗଲେ ଅଭିଯୁକ୍ତ ସଞ୍ଜୟ; କାର୍‌, ରକ୍ତଭିଜା ଶାର୍ଟ ଜବତ, ଜଣେ ଗିରଫ

270
ADVERTISEMENT

ଭୁବନେଶ୍ୱର, ୩୦/୬(ଡ଼ିଏଚବି): ଖୋର୍ଦ୍ଧା ଏଲ୍‌ଆଇସି ପଡ଼ିଆରେ ଶନିବାର ରାତିରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ସହ ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷରୁ ବହୁ ରାଉଣ୍ଡ୍‌ ଗୁଳି ବିନିମୟ ହୋଇଥିବାବେଳେ ଏସ୍‌ଟିଏଫ୍‌ ଗୁଳିରେ ଏକାଧିକ ଆହତ ହୋଇଥିବା ଜଣାପଡିଛି। ପୋଲିସ ଜଣଙ୍କୁ କାବୁ କରିନେଇଥିବାବେଳେ ବହୁ ଅପରାଧର ଅଭିଯୁକ୍ତ ସଞ୍ଜୟ ଆହତ ଅବସ୍ଥାରେ ଖସି ଯାଇଥିବା ପୋଲିସ ଅନୁମାନ କରୁଛି। ତେବେ ଧରାପଡିଥିବା ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ ଏସ୍‌ଟିଏଫ୍‌ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଉଛି। ଏଥିସହ ଘଟଣାସ୍ଥଳରୁ ପୋଲିସ ଅଭିଯୁକ୍ତଙ୍କ କାର୍‌ ଜବତ କରିଛି। ଉକ୍ତ କାର ଭିତରୁ ରକ୍ତଭିଜା ଶାର୍ଟ ଓ ଖୋକାକୁ ଜବତ କରି ତଦନ୍ତ ଚଳାଇଛି। ତଦନ୍ତରେ ବାଧା ସୃଷ୍ଟି କାରଣରୁ ଅଭିଯୁକ୍ତଙ୍କ ନାମ ପୋଲିସ ପ୍ରକାଶ କରୁ ନ ଥିବାବେଳେ ତାଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଖଣି ମାଫିଆ ଓ ନିଶା ବେପାରୀଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଟାର୍ଗେଟ କରିଛି। ଖୋର୍ଦ୍ଧା ଅଞ୍ଚଳର ସଞ୍ଜୟ ପ୍ରଧାନ ଓ ଅନିଲ ବରାଳ ବେଆଇନ ପଥର ଖଣି ଓ ଚୋରା ନିଶା କାରବାର ଚଳାଉଥିବା ଅଭିଯୋଗ ରହିଛି। ସେମାନଙ୍କ ନାମରେ ଦାଦାବଟି ମାଗିବା ସହ ବନ୍ଧୁକ ଦେଖାଇ ଧମକାଇବା ଆଦି ମାମଲା ରହିଛି। ଏପରିକି ସେମାନେ ବାଂଲାଦେଶରୁ ନିଶାଦ୍ରବ୍ୟ ଆଣି ଖୋର୍ଦ୍ଧା ସମେତ ଅନ୍ୟ ଜିଲାରେ ର଼୍ୟାକେଟ ଚଳାଇଥିବା ପୋଲିସ ନିକଟରେ ଖବର ପହଞ୍ଚିଥିଲା। ତେଣୁ ଏସ୍‌ଟିଏଫ୍‌ ସେମାନଙ୍କ ଉପରେ ନଜର ରଖିଥିଲା। ଖୋର୍ଦ୍ଧା ଏସ୍‌ଡିପିଓଙ୍କ ଅଫିସ୍‌ଠାରୁ ୩ କିମି ଦୂର ଏଲ୍‌ଆଇସି ପଡ଼ିଆରେ ସେମାନେ ଆଡ୍ଡା ଜମାଇଥିବା ଖବର ମିଳିବା ପରେ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ଏସ୍‌ଟିଏଫ୍‌ ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ ରାତି ପ୍ରାୟ ସାଢ଼େ ୧୦ଟାବେଳେ ସେଠାରେ ଚଢାଉ କରିଥିଲା। ଅଭିଯୁକ୍ତମାନେ ଏକ କାର(ଓଡି-୦୨ଭି-୩୮୮୦)ରେ ରହି ନିଶା କାରବାର କିମ୍ବା କୌଣସି ଅପରାଧ ପାଇଁ ଯୋଜନା କରୁଥିଲେ। ପୋଲିସ ଚଢ଼ାଉ କରିଥିବା ଜାଣିବା ପରେ ସେମାନେ କାର୍‌ ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ଏସ୍‌ଟିଏଫ୍‌ ଟିମ୍‌ ସେମାନଙ୍କ ଆଗରେ ଗାଡ଼ି ଥୋଇଥିବାରୁ ଖସି ନ ପାରି ପ୍ରଥମେ ପୋଲିସ ଉପରକୁ ଦୁଇ ରାଉଣ୍ଡ୍‌ ଗୁଳି କରିଥିଲେ। ତୁରନ୍ତ ଏସ୍‌ଟିଏଫ୍‌ ଟିମ୍‌ ଜବାବ ଦେବାକୁ ଘେରିଯାଇ ଚାରିପଟୁ ଗୁଳି ଚଳାଇଥିଲା। ପୋଲିସର ପ୍ରତିଆକ୍ରମଣକୁ ସାମ୍ନା କରି ନ ପାରି କାର୍‌ ଛାଡି ଖସି ଯାଉଥିଲେ। ଏହି ସମୟରେ ଏସ୍‌ଟିଏଫ୍‌ ଜଣଙ୍କୁ କାବୁ କରି ନେଇଥିଲେ। ଅନ୍ୟଜଣଙ୍କ ଗୋଡ଼ରେ ଗୁଳି ବାଜିଥିଲା, ହେଲେ ସେ ଅନ୍ଧାରର ସୁଯୋଗ ନେଇ ଖସି ଯାଇଥିବାବେଳେ କାରରେ ସେ ରକ୍ତଲଗା ଶାର୍ଟ ଛାଡ଼ିଦେଇଥିବା ପୋଲିସ ଅନୁମାନ କରୁଛି। ସେମାନେ ବସିଥିବା କାର ସିଟ୍‌ରେ ବହୁ ସ୍ଥାନରେ ଗୁଳି ବାଜିଥିବାରୁ ଏକାଧିକ ଆହତ ହୋଇଥିବା ଓ ସେମାନଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ଟିମ୍‌ ଆଖପାଖରେ ତଲାସି କରିଥିଲେ ମଧ୍ୟ ସେମାନଙ୍କୁ ଧରିପାରିନି। ତେବେ ସେମାନଙ୍କ ଦେହରେ ଗୁଳି ବାଜିଥିବାରୁ ନିଶ୍ଚିତ କୌଣସି ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇପାରନ୍ତି। ତେଣୁ ଆଖପାଖ ଡାକ୍ତରଖାନା ଉପରେ ପୋଲିସ ନଜର ରଖିଥିବା ସୂଚନା ମିଳିଛି।

Advertisement